ବଜ୍ରପାତରେ ବାପ ଝିଅଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣାକୁ ନେଇ ରାଜନୈତିକ ଦଳ, ଦଳୀୟ କର୍ମୀ, ପ୍ରଶାସନ ସମେତ ସାଧାରଣ ଲୋକେ ଆଜି ଦିନ ତମାମ ଉତ୍ସାହିତ ଥୂଲେ। ସନ୍ଧ୍ୟାରେ ଫଳାଫଳ ବାହାରିବା କ୍ଷଣି ବିଜୟୀ ଦଳର ଲୋକେ ବିଜୟ ଉତ୍ସବ ମନାଉଥିବା ସମୟରେ ଏକ ଅଘଟଣ ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ବନାଥପୁରଠାରେ। ଆଜି ସନ୍ଧ୍ୟା ସମୟରେ ବିଶ୍ବନାଥପୁର ପିଡବ୍ଲଡି ବଙ୍ଗଳା ନିକଟସ୍ଥ ଗଉଡ଼ପଡାରେ ନିଜ ଗୁହାଳରେ ବଳଦକୁ ବାନ୍ଧୁଥିବାବେଳେ ବାପଝିଅଙ୍କ ଉପରେ ବଜ୍ରପାତ ହେବାରୁ ବଳଦ ସମେତ ବାପଝିଅଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମୃତ ବାପଝିଅ ହେଲେ ହରି ଗଉଡ଼ (୫୨) ଓ ତାଙ୍କ ଝିଅ ହିମାଦ୍ରୀ ଗଉଡ଼(୧୭)। ଆଜି ସନ୍ଧ୍ୟାରେ କାଳ ବୈଶାଖୀ ଯୋଗୁଁ ଝଡ଼ପବନ ଓ ପ୍ରବଳ ବିଜୁଳି ଘଡଘଡି ହେଉଥିଲା। ଏହି ସମୟରେ ବାହାରକୁ ଚରି ଯାଇଥିବା ବଳଦ ଘରକୁ ଫେରିବାରୁ ହରି ଓ ହିମାଦ୍ରୀ ବାପଝିଅ ଦୁହେଁ ମିଶି ତାକୁ ଖୁଣ୍ଟରେ ବାନ୍ଧିଦେବାକୁ ଯାଇଥିଲେ। ଘରକୁ ଲାଗି ଥିବା ଗୁହାଳରେ ବଳଦକୁ ବାନ୍ଧୁଥିବାବେଳେ ହଠାତ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ବଳଦ ସହିତ ବାପଝିଅ ଟଳି ପଡ଼ିଥିଲେ। ପରିବାର ଲୋକେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବାବେଳେ ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।ବିଶ୍ଵନାଥପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମାଲ ରୁଜୁ କରିଛି। ଏନେଇ ବିଶ୍ୱନାଥ ପୁର ଥାନା ଅଧିକାରୀ ମମତା ହେମ୍ବ୍ରମକୁ ପଚାରିବାରୁ ବଜ୍ର ଘାତରେ ବାପଝିଅର ମୃତ୍ୟୁ ଘଟିଛି। ଆଜି ଶବ ବ୍ୟବଚ୍ଛେଦ ହୋଇ ପାରି ନାହିଁ ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପ୍ରକାଶ କରିଥିଲେ। କୁଲିମଜୁରୀ କରି ପରିବାର ଚଳାଉଥିବା ହରିଙ୍କ ସହିତ ତାଙ୍କ କଲେଜ ପଢୁଆ ଝିଅଙ୍କ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡିଛି। ଏବେ ପରିବାର ଲୋକଙ୍କ କାନ୍ଦବୋବାଳିରେ ଘର ଓ ହସ୍ପିଟାଲ ପରିସର ଫାଟି ପଡୁଥିବାବେଳେ ବିଶ୍ବନାଥପୁର ସହର ଏକପ୍ରକାର ସୁବ୍ଧ ପାଲଟିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.