ଫକୀର ମୋହନ ବିଶ୍ୱବିଦ୍ୟାଳୟ ଦ୍ବାରା ବିଶ୍ବ ପରିବେଶ ଦିବସ ପାଳିତ

ପତିତ ଜମିରେ କଲେ ବୃକ୍ଷରୋପଣ ଓ ଜନସଚେତନତା ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିବେଶ ସଂରକ୍ଷଣ ଦିଗରେ ସର୍ବଦା ଯତ୍ନଶୀଳ। ବିଶ୍ବ ପରିବେଶ ଦିବସ ଅବରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏକ ଅନନ୍ଯ ଉଦାହରଣ ସୃଷ୍ଟି କରିଛନ୍ତି। ସେ ନିଜ ତତ୍ତ୍ବାବଧାନରେ ବିଶ୍ବବିଦ୍ୟାଳୟ ପରିସରକୁ ସବୁଜ ସୁନ୍ଦର କରି ଗଢିତୋଳିବା ପରେ ବର୍ତ୍ତମାନ ପରିସର ବାହାରେ ତଥା ବିଶ୍ଵବିଦ୍ୟାଳୟର ନିକଟତମ ଗ୍ରାମ ମିତ୍ରପୁର ସ୍ଥିତ ବ୍ଲୁ ଲେକ୍ ଅଞ୍ଚଳରେ ଥିବା ପତିତ ଜମିରେ ବୃକ୍ଷରୋପଣ କାର୍ଯ୍ଯକ୍ରମକୁ ସଫଳ ରୂପାୟନ କରିଛନ୍ତି।ବିଶ୍ବବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗର ଉଦ୍ୟମରେ ମଛୁଆ ଗ୍ରାମ ଉପକଣ୍ଠସ୍ଥ ବିଭିନ୍ନ ପତିତ ଜମିରେ ବୃକ୍ଷଚାରା ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବର, ଅଶ୍ବସ୍ଥ, ଜାମୁ, ନିମ୍ବ, ବେଲ, ବଉଳ ଆଦି ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା।

ଏଥିସହ କରଞ୍ଜ,ବଉଳ, ତେନ୍ତୁଳି, ଚାରକୋଳି,ମହୁଲ, ବରକୋଳି, କାଠବାଦାମ ଆଦି ଗଛର ମଞ୍ଜି ସହ ମାଟି ଓ ଖତକୁ ନେଇ ପ୍ରସ୍ତୁତ ହୋଇଥିବା ମଞ୍ଜିଗୋଲାକୁ ମଛୁଆ ଗ୍ରାମର ପାହାଡ ତଳି ପତିତ ଜମିରେ ନିକ୍ଷେପ କରାଯାଇଥିଲା। ଆଗାମୀ ମୌସୁମୀର ଆଗମନରେ ଉପଯୁକ୍ତ ପରିବେଶ ପାଇ ଏହି ମଞ୍ଜିଗୋଲାରୁ ଅଙ୍କୁରୋଦଗମ ହୋଇ ଏକ ସବୁଜବଳୟ ସୃଷ୍ଟିର ଆଧାର ହୋଇପାରିବ ବୋଲି ଲକ୍ଷ୍ଯ ନେଇ ଏହି କାର୍ଯ୍ଯକ୍ରମ କରାଯାଇଛି ବୋଲି କୁଳପତି ପ୍ରଫେସର ତ୍ରିପାଠୀ ଆଶାବ୍ୟକ୍ତ କରିଛନ୍ତି। ଏଥିସହ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ଜନସଚେତନତା ପଦଯାତ୍ରା ଆୟୋଜିତ କରାଯାଇଥିଲା। ନୂଆପାଢୀ ସ୍ଥିତ ବିଶ୍ୱବିଦ୍ୟାଳୟର ମୁଖ୍ଯ ଫାଟକ ଠାରୁ ମିତ୍ରପୁର ବଜାର ପର୍ଯ୍ୟନ୍ତ ଯାଇ ଉପସ୍ଥିତ ଜନସାଧାରଣଙ୍କୁ ପରିବେଶର ମହତ୍ତ୍ବ, ଏହାର ଜୈବ ବିବିଧତା ଓ ସ୍ବଚ୍ଛତା ସଂପର୍କରେ ସଚେତନତା ମୂଳକ ପ୍ରଚାରପତ୍ର ବଣ୍ଟନ କରାଯାଇ ପଦଯାତ୍ରାକୁ ସଫଳ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଶ୍ବବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗ ମୂଖ୍ଯ ଡ଼କ୍ଟର ପ୍ରକାଶ ଚନ୍ଦ୍ର ମିଶ୍ର ପରିଚାଳନା କରିଥିବା ବେଳେ ପ୍ରଫେସର ସୁର୍ଯେନ୍ଦୁ କୁମାର ଦେ ମାର୍ଗଦର୍ଶନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ଯ, ମିଳିତ ଜାତିସଂଘର ପରିବେଶ କାର୍ଯ୍ଯକ୍ରମ ଅନ୍ତର୍ଗତ ୧୯୭୨ ମସିହା ଠାରୁ ପ୍ରତିବର୍ଷ ଜୁନ ପାଞ୍ଚ ତାରିଖରେ ବିଶ୍ବ ପରିବେଶ ଦିବସ ଆୟୋଜିତ କରାଯାଇଥାଏ।ଚଳିତ ବର୍ଷ ଏହି ଦିବସର ୫୨ତମ ସଂସ୍କରଣ ଅନୁସାରେ ‘ପତିତ ଜମି ପୁନରୁଦ୍ଧାର, ମରୁଭୂମି ଓ ମରୁଡି ପ୍ରତିରୋଧ’ ବିଷୟବସ୍ତୁ ଉପରେ ପର୍ଯ୍ୟବେଶିତ ହୋଇ ସାରା ବିଶ୍ୱରେ ଏହାକୁ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ବହୁ ଶିକ୍ଷକ ଶିକ୍ଷୟିତ୍ରୀ, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ସହଯୋଗ ଓ ଉପସ୍ଥିତି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ଯକୁ ସୁଦୂର ପ୍ରସାରିତ କରିବାରେ ସହାୟକ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.