ମ.ରାମପୁର ୧୦୨ ଗୋଟି ସ୍ଲଟ ରହିଥିବା ବେଳେ ନର୍ଲାରେ ମାତ୍ର ୩୬ ଗୋଟି ସ୍ଲଟ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ତହସିଲ ଅଫିସରେ ଗତବର୍ଷ ଅପ୍ରେଲ ପହିଲା ଠାରୁ ସବ ରେଜିଷ୍ଟାର ଅଫିସ ଖୋଲିଲା। ଏହାପରେ ନର୍ଲା ସବ-ରେଜିଷ୍ଟାର ଅଫିସରେ ସପ୍ତାହକୁ ଗୋଟାଏ ଦିନ ଅର୍ଥାତ ପ୍ରତି ବୁଧବାର ଦିନ ଜମି ଜମା ସଂକ୍ରାନ୍ତୀୟ ରେଜିଷ୍ଟ୍ରେସନ ଚାଲୁଛି। ସପ୍ତାହକ ପାଇଁ ମାତ୍ର ୩୬ ଗୋଟି ସ୍ଲଟ ଦିଆ ଯାଇଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ରେଜିଷ୍ଟ୍ରିକାରୀ। ପୂର୍ବରୁ ମ.ରାମପୁରରେ ହିଁ ତହସିଲ ଅଫିସ ଚାଲୁଥିଲା। ଲୋକେ ଜମି ଜମା ସଂକ୍ରାନ୍ତୀୟ ରେଜିଷ୍ଟ୍ରୀ ପାଇଁ ନର୍ଲାରୁ ମ.ରାମପୁରକୁ ଯାଉଥିଲେ। କେବଳ ନର୍ଲା ବୋଲି ନୁହଁ ନର୍ଲା, କର୍ଲାମୁଣ୍ଡା ଓ ଲାଞ୍ଜିଗଡ ବ୍ଲକରୁ ମଧ୍ୟ ଲୋକେ ମ.ରାମପୁରକୁ ଯାଉଥିଲେ। ଏବେ ଭଳି ପୂର୍ବରୁ ମଧ୍ୟ ସପ୍ତାହକୁ ମଙ୍ଗଳବାର ଓ ଶୁକ୍ରବାର ଦୁଇଦିନ ରେଜିଷ୍ଟ୍ରେସନ ରହୁଥିଲା। ସେତେବେଳେ ମାନୁଆଲି ହାତ ଲେଖାରେ ଜମି କିମ୍ବା ଘରଡିହ ପ୍ଲଟ ରେଜିଷ୍ଟ୍ରେସନ ହେଉଥିଲା। ୧୨ ବର୍ଷ ତଳେ ବିଭିନ୍ନ ବ୍ଲକ ଗୁଡିକରେ ତହସିଲ ଅଫିସ ସବୁ ଖୋଲିଗଲା। ହେଲେ ସବ ରେଜିଷ୍ଟାର ଅଫିସ ହୋଇପାରି ନଥିଲା। ଯାହା ଗତ ବର୍ଷ ୨୦୨୩ରୁ ଆରମ୍ଭ ହୋଇଛି ବ୍ଲକ ସ୍ତରରେ ରହିଥିବା ତହସିଲ ଅଫିସ ଗୁଡିକରେ। ଏହି କ୍ରମରେ ମ.ରାମପୁର ମୁଖ୍ୟ ତହସିଲ ଅଫିସ ଠାରୁ ଏହା ଅଧିନରେ ରହିଥିବା ନର୍ଲା, କର୍ଲାମୁଣ୍ଡା ଓ ଲାଞ୍ଜିଗଡ ତହସିଲ ଅଫିସ ଅଲଗା ହୋଇ ସ୍ୱତନ୍ତ୍ର ଭାବରେ ଚାଲିଲା। ହେଲେ ଜମି ରେଜିଷ୍ଟ୍ରସନ ପାଇଁ ତଥାପି ଲୋକେ ମ.ରାମପୁର ଧାଉଁଥିଲେ। ଲାଞ୍ଜିଗଡ (ବିଶ୍ୱନାଥପୁର) ଠାରେ ସ୍ୱତନ୍ତ୍ର ତହସିଲ ଅଫିସ ଚାଲୁଛି ହେଲେ ସେଠାରେ ଅଦ୍ୟାବଧି ସବ-ରେଜିଷ୍ଟାର ଅଫିସ ଖୋଲିନି। ବର୍ତ୍ତମାନ ଜମି କିମ୍ବା ଘରଡିହ ପ୍ଲଟ ରେଜିଷ୍ଟ୍ରେସନ କରିବାକୁ ହେଲେ ପୂର୍ବରୁ ଏଥିପାଇଁ ସ୍ଲଟ ବୁକିଙ୍ଗ କରିବାକୁ ପଡୁଛି। ନର୍ଲା ପାଇଁ ମାତ୍ର ୩୬ ଗୋଟି ସ୍ଲଟ ଉପଲବ୍ଧ କରା ଯାଇଥିବାରୁ ଲୋକେ ମାସ ମାସ ଧରି ସ୍ଲଟ ବୁକିଙ୍ଗ କରିପାରୁ ନାହାନ୍ତି। ଫଳରେ ଲୋକେ ଜମି ରେଜିଷ୍ଟ୍ରେସନ ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି। ସେହିଭଳି କର୍ଲାମୁଣ୍ଡାରେ ୧୯ ଗୋଟି ସ୍ଲଟ ଉପଲବ୍ଧ କରାଯାଇଛି। ସେଠାରେ ମଧ୍ୟ ସ୍ଲଟ ବୁକିଙ୍ଗ ପାଇଁ ଲୋକେ ହଇରାଣ ହରକତ ହେଉଥିବା ଜଣାପଡିଛି। ହେଲେ କର୍ଲାମୁଣ୍ଡା ବ୍ଲକ ନର୍ଲା ବ୍ଲକ ତୁଳନାରେ ଛୋଟ ହୋଇଥିବାରୁ ସେଠାରେ ମେନେଜ ହୋଇଯାଉଥିବା ଜଣାପଡିଛି। କର୍ଲାମୁଣ୍ଡାରେ ଶୁକ୍ରବାର ଗୋଟାଏ ଦିନ ଶୁକ୍ରବାର ରେଜିଷ୍ଟ୍ରେସନ ହେଉଥିବା ଜଣାପଡିଛି। ମ.ରାମପୁରରେ ପୂର୍ବଭଳି ସପ୍ତାହକୁ ଦୁଇଦିନ ମଙ୍ଗଳବାର ଓ ଶୁକ୍ରବାର ରେଜିଷ୍ଟ୍ରେସନ ପାଇଁ ଦିନ ଧାର୍ଯ୍ୟ ହୋଇଛି। ଏବଂ ସପ୍ତାହକୁ ୫୧+୫୧=୧୦୨ ଗୋଟି ସ୍ଲଟ ରହୁଥିବାରୁ ଜମି ରେଜିଷ୍ଟ୍ରେସନ କରୁଥିବା ଲୋକ ସ୍ଲଟ ବୁକିଙ୍ଗ କଲାପରେ ମଧ୍ୟ ଅନେକ ସ୍ଲଟ ବଳକା ରହୁଥିବା ଜଣାପଡିଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ମ.ରାମପୁର ଓ କର୍ଲାମୁଣ୍ଡାରୁ ନର୍ଲା ବହୁତ ବଡ ବ୍ଲକ ଅଟେ। ମ.ରାମପୁରରେ ୧୯ ଗୋଟି ଗ୍ରାମ ପଞ୍ଚାୟତ ରହିଛି। କର୍ଲାମୁଣ୍ଡାରେ ୧୨ ଗୋଟି ଗ୍ରାମ ପଞ୍ଚାୟତ ରହିଛି। ହେଲେ ନର୍ଲା ବ୍ଲକରେ ୨୬ ଗୋଟି ଗ୍ରାମ ପଞ୍ଚାୟତ ରହିଛି। ଏଣୁ ଗ୍ରାମ ପଞ୍ଚାୟତ ସଂଖ୍ୟା ଓ ଜନସଂଖ୍ୟା ଦୃଷ୍ଟିରୁ ନର୍ଲା ବ୍ଲକ ମ.ରାମପୁର ରୁ ଢେର ବଡ ହୋଇଥିବା ସତ୍ୱେ ମ.ରାମପୁର ବ୍ଲକ ପାଇଁ ଦୁଇଦିନ ରେଜିଷ୍ଟ୍ରସନ ରଖାଯାଇ ୧୦୨ ଗୋଟି ସ୍ଲଟ ଉପଲବ୍ଧ କରାଯାଇଥିବା ବେଳେ ନର୍ଲା ପାଇଁ ଗୋଟିଏ ଦିନ ରେଜିଷ୍ଟ୍ରସନ ବୁଧବାର ରଖାଯାଇଛି ଏବଂ ମ.ରାମପୁରର ପାଇଁ ଉପଲବ୍ଧ ରହିଥିବା ସ୍ଲଟ ତୁଳନାରେ ନର୍ଲା ପାଇଁ (୩୬) ଏହାର ଅଧା ମଧ୍ୟ ରଖାଯାଇ ନଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ଏହାକୁ ଦେଖି ନର୍ଲାର ଅନେକ ବୁଦ୍ଧିଜୀବୀ ଏବଂ ଆଇନଜୀବୀ ମାନେ ଏହା ନର୍ଲା ପାଇଁ ଦୁର୍ଭାଗ୍ୟ ଜନକ ବୋଲି କହୁଥିବା ବେଳେ ନର୍ଲା ତହସିଲଦାର ବିଶ୍ୱନାଥ କହଁରଙ୍କ ମତାମତ ପାଇଁ ଯୋଗାଯୋଗ କରିବାରୁ ସେ ଫୋନ ଗ୍ରହଣ କରିନଥିଲେ। ନର୍ଲା ତହସିଲ ଅଫିସରେ ସ୍ଲଟ ସଂଖ୍ୟା କେବେ ବଢିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।