ଆଜି ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋହନ ମାଝୀ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ବୁଧବାର ରାଜ୍ୟର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋହନ ମାଝୀ । ଭୁବନେଶ୍ୱରର ଜନତା ମଇଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏନେଇ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା ପ୍ରମୁଖ ଏଥିରେ ଯୋଗ ଦେବେ । ତେବେ ଏଥର ସୁରେଶ ପୂଜାରୀ, କେଭି ସିଂହଦେଓ, ପ୍ରଭାତୀ ପରିଡା, ମନମୋହନ ସାମଲ, ମୁକେଶ ମହାଲିଙ୍ଗଙ୍କ ପରି ଅନେକ ନେତା ମୁଖ୍ୟମନ୍ତ୍ରୀ ରେସରେ ଥିଲେ । ହେଲେ  ସମସ୍ତଙ୍କୁ ପଛରେ ପକାଇ ମୁଖ୍ୟମନ୍ତ୍ରୀ ହେଇଛନ୍ତି ମୋହନ ମାଝୀ । କେନ୍ଦୁଝର ଆସନରୁ ଲଗାତାର ନିର୍ବାଚିତ ହେଇ ଆସୁଥିବା ମୋହନ ମାଝୀ ରାଜ୍ୟ ବିଜେପିର ଜଣେ ଟାଣୁଆ ଆଦିବାସୀ ନେତା । ଯେଉଁ କାରଣରୁ ମୁଖ୍ୟମନ୍ତ୍ରୀ ରେସରେ ଅଧ ଡଜନେରୁ ଅଧିକ ନେତା  ଥିଲେ ବି, ସମସ୍ତଙ୍କୁ ପଛରେ ପକେଇ ବାଜି ମାରି ନେଇଛନ୍ତି ମୋହନ ମାଝୀ । ଅନ୍ୟପଟେ ବିରୋଧୀ ଆସନରେ ବସି ସରକାରକୁ ତୀକ୍ଷଣ୍ ତୀର ମାରିବାରେ ମଧ୍ୟ ମୋହନ ମାଝୀ ବେଶ୍ ମାହିର । ଗତ ସରକାରରେ ସେ ରାଜ୍ୟର ବିରୋଧୀ ଦଳ ମୁଖ୍ୟ ସଚେତକ ରହିଥିଲେ । ଏମିତି କି, ବାଚସ୍ପତିଙ୍କ ଉପରକୁ ଡାଲି ଫିଙ୍ଗିବାର ସାହାସ ମଧ୍ୟ ଦେଖାଇଥିଲେ । ତେଣୁ ଏମିତି ଜଣେ ଚେହେରାକୁ ଆଗକୁ ଆଣି, ରାଜ୍ୟରେ ସ୍ଥିର ସରକାର ଦେବାକୁ ଲକ୍ଷ୍ୟ ରଖିଛି ବିଜେପି । ଏଥର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡିଶାରୁ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଥିଲା । ଏ ଦୁଇଟି ଆସନ ହେଉଛି ପଶ୍ଚିମ ଓଡିଶାର । ତେଣୁ ପଶ୍ଚିମ ଓଡିଶା ବଦଳରେ ଅନ୍ୟ ଅଞ୍ଚଳକୁ ମଧ୍ୟ ସମାନ ପ୍ରତିନିଧିତ୍ୱ ଦେବାକୁ ବିଜେପି ଏପରି ସମୀକରଣ ଠିକ୍ କରିଥିବା ଆଲୋଚନା ହେଉଛି । ମୋହନ ମାଝୀ କେନ୍ଦୁଝରରୁ ଆସୁଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ବାଛି ସରକାରରେ ଉତ୍ତର ଓଡିଶାକୁ ପ୍ରତିନିଧିତ୍ୱ ଦେଇଛି ବିଜେପି । ସେହିପରି ପଶ୍ଚିମ ଓଡିଶାର ଟାଣୁଆ ନେତା କେଭି ସିଂହଦେଓଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିଛି ଦଳ । ତା ସହିତ ଉପକୂଳ ନେତା ତଥା ମହିଳା ଚେହେରା ଭାବେ ଦଳ ନିମାପଡା ବିଧାୟିକା ପ୍ରଭାତୀ ପରିଡାଙ୍କୁ ମଧ୍ୟ ଉପ-ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ସହିତ ସରକାରରେ ସବୁ ଅଞ୍ଚଳକୁ ସମାନ ପ୍ରତିନିଧିତ୍ୱ ଦେବାକୁ ଚେଷ୍ଟା କରିଥିବା କୁହାଯାଉଛି । ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ମୋହନ ମାଝୀଙ୍କୁ ବାଛିବା ପଛରେ ଆଗାମୀ ଝାଡଖଣ୍ଡ ବିଧାନସଭାର ଗନ୍ଧ ବାରିଛନ୍ତି ରାଜନୈତିକ ବିଶେଷଜ୍ଞ । ଆଗକୁ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଅଛି, ଆଉ ଏହା ପୂର୍ବରୁ ଆଦିବାସୀ କାର୍ଡ ଖେଳି ପଡୋଶୀ ଝାଡଖଣ୍ଡରେ ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଛି ପଦ୍ମ ଦଳ । କାହିଁକି ନା, ଗତ ଲୋକସଭା ନିର୍ବାଚନରେ ଝାଡଖଣ୍ଡର ୧୪ରୁ ୧୨ ଲୋକସଭା ଆସନ ଜିତିଥିବା ଏନଡିଏ, ଏଥର ୨୦୨୪ରେ ମାତ୍ର ୯ଟି ଆସନ ଜିତିପାରିଛି । ତେଣୁ ଆଗକୁ ଏଠାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ, ମୋହନ ମାଝୀଙ୍କ ଭଳି ଆଦିବାସୀ ଚେହେରାଙ୍କୁ ସାମ୍ନାକୁ ଆଣି ଝାଡଖଣ୍ଡର ଆଦିବାସୀ ଭୋଟରଙ୍କ ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରିଛି ଭାରତୀୟ ଜନତା ପାର୍ଟି । ଜେଏମଏମ୍ ନେତା ହେମନ୍ତ ସୋରେନଙ୍କ ଗିରଫ ପରେ ଏଠାରେ ବିଜେପି ପାଇଁ ସାମାନ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି ହେଇଛି । ଆଉ ଏହାକୁ କାଉଣ୍ଟର କରିବାକୁ ଦଳ ମୋହନଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଭେଟି ଦେଇଛି ବୋଲି ରାଜନୈତିକ ପଣ୍ଡିତମାନେ କହିବା ଆରମ୍ଭ କରିଛନ୍ତି । ରାଜ୍ୟ ବିଜେପିରେ ଅଧିକାଂଶ ସମୟରେ ଗୋଷ୍ଠୀ କନ୍ଦଳ କଥା ସାମ୍ନାକୁ ଆସିଥାଏ । ହେଲେ ରାଜନୈତିକ ବିଶେଷଜ୍ଞଙ୍କ କହିବା ମୁତାବକ, ମୋହନ ମାଝୀ ହେଉଛନ୍ତି ଏମିତି ଜଣେ ନେତା, ଯିଏକି ଗୋଷ୍ଠୀ କନ୍ଦଳରେ ରୁହନ୍ତି ନାହିଁ । ରାଜ୍ୟ ବିଜେପିର ପ୍ରତିଟି ଗୋଷ୍ଠୀର ଲୋକ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ କଥାରେ ହଁ ଭରିଥାନ୍ତି । ତେଣୁ ଗୋଷ୍ଠୀ କନ୍ଦଳରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ମୋହନଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ବଛାଯାଇଥିବା ଅନୁମାନ କରାଯାଉଛି । ତା ସହିତ ତାଙ୍କ ପାଖରେ ଦୀର୍ଘ ଦିନର ଅଭିଜ୍ଞତା ରହିଛି । ଶିକ୍ଷକତା ସହିତ ସେ ଜଣେ ଉଚ୍ଚଶିକ୍ଷିତ ନେତା । ଏହାବାଦ୍ ବିରୋଧୀ ଦଳରେ ଥିବା ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହି ଆସିଛନ୍ତି । ତେଣୁ ଏହି ସବୁ ସମୀକରଣକୁ ଦେଖି ମୋହନଙ୍କୁ ଦଳ ବାଛିଥିବା କୁହାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.