ଓଡ଼ିଆ ବାର୍ତ୍ତା/ ୟେମେନ: ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ୟେମେନ ଉପକୂଳରେ ବୁଡ଼ି ଯାଇଛି। ଏହି ଘଟଣାରେ ୪୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୦ ଜଣ ନିଖୋଜ ଅଛନ୍ତି। ମିଳିତ ଜାତିସଂଘର ଅନ୍ତର୍ଜାତୀୟ ସ୍ଥାନାନ୍ତରଣ ସଂଗଠନ (ଆଇଓଏମ୍) ମଙ୍ଗଳବାର ଏହି ସୂଚନା ଦେଇଛି। ଆଇଓଏମ୍ ଏକ ବିବୃତ୍ତିରେ କହିଛି, ଏହି ଡଙ୍ଗାଟି ସୋମାଲିଆର ଉତ୍ତର ଉପକୂଳଠାରୁ ପ୍ରାୟ ୩୨୦ କିଲୋମିଟର (୨୦୦ମାଇଲ) ଦୂରରେ ପ୍ରାୟ ୨୬୦ ସୋମାଲିଆ ଏବଂ ଇଥିଓପିଆର ଲୋକଙ୍କୁ ନେଇ ଯାଉଥିଲା। କିନ୍ତୁ ଏହା ୟେମେନର ଦକ୍ଷିଣ ଉପକୂଳରେ ବୁଡ଼ିଯାଇଥିଲା। ବିବୃତ୍ତି ଅନୁଯାୟୀ ନିଖୋଜ ଲୋକଙ୍କ ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ଏବଂ ଏପର୍ଯ୍ୟନ୍ତ ୭୧ ଜଣଙ୍କୁ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୩୧ ଜଣ ମହିଳା ଏବଂ ୬ଜଣ ଶିଶୁ ଅଛନ୍ତି। ପୂର୍ବ ଆଫ୍ରିକା ଏବଂ ଆଫ୍ରିକାର ହର୍ନରୁ ଆସିଥିବା ପ୍ରବାସୀମାନଙ୍କ ପାଇଁ ୟେମେନ ଏକ ପ୍ରମୁଖ ଗମନାଗମନ ମାର୍ଗ । ପ୍ରବାସୀମାନେ କାମ ପାଇଁ ଗଲ୍ଫ ଦେଶରେ ପହଞ୍ଚିବାକୁ ପ୍ରୟାସ କରିଥାନ୍ତି। ଗତ ମାସରେ ଆଇଓଏମ୍ କହିଥିଲା ୟେମେନରେ ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିବା ଗୃହଯୁଦ୍ଧ ଯୋଗୁ ୨୦୨୧ ରୁ ୨୦୨୩ପର୍ଯ୍ୟନ୍ତ ବାର୍ଷିକ ଆସୁଥିବା ପ୍ରବାସୀ ସଂଖ୍ୟା ତିନିଗୁଣା ହୋଇ ୨୭ ହଜାରରୁ ୯୦ ହଜାରରୁ ଅଧିକ ହୋଇଯାଇଛି। ଏଜେନ୍ସି ଅନୁଯାୟୀ, ୟେମେନରେ ବର୍ତ୍ତମାନ ପ୍ରାୟ ୩,୮୦,୦୦୦ ପ୍ରବାସୀ ଅଛନ୍ତି। ମାନବ ଚୋରା ଚାଲାଣକାରୀମାନେ ପ୍ରବାସୀମାନଙ୍କୁ ଲୋହିତ ସାଗର କିମ୍ବା ଆଡେନ୍ ଗଲ୍ଫ ଦେଇ ୟେମେନରେ ପହଞ୍ଚାଇବା ପାଇଁ ପ୍ରାୟତଃ ଡଙ୍ଗାର ସାହାରା ନେଇଥାନ୍ତି। କ୍ଷମତାଠାରୁ ଅଧିକ ଲୋକଙ୍କୁ ନେଉଥିବାରୁ ଅଧିକାଂଶ ସମୟରେ ଡଙ୍ଗାବୁଡି ଘଟଣା ଘଟିଥାଏ।