ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦୀ । ୯ ଜୁନରେ ଶପଥ ଗ୍ରହଣ କରିବା ପରେ ୧୦ ଜୁନ ରେ ସମସ୍ତ ମନ୍ତ୍ରୀଙ୍କ ମନ୍ତ୍ରଣାଳୟ ମଧ୍ୟ ବଣ୍ଟନ କରାଯାଇଥିଲା ଏବଂ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏବେ ଲୋକସଭା ବାଚସ୍ପତି ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି । ଏହାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ନିର୍ବାଚନ ୨୬ଜୁନରେ ଅନୁଷ୍ଠିତ ହେବ । ମିଳିଥିବା ସୂଚନା ମୁତାବକ, ଜୁନ୍ ୨୬ ତାରିଖରେ ଲୋକସଭାରେ ବାଚସ୍ପତି ପଦ ପାଇଁ ଭୋଟ୍ ପଡିବ । ଯେଉଁଥିରେ ସାଂସଦ ମାନେ ବାଚସ୍ପତି ପଦ ପାଇଁ ଭୋଟ୍ ଦେବେ । ତେବେ ଏହା ପୂର୍ବରୁ କାମଚଳା ବାଚସ୍ପତି ପ୍ରଥମେ ସାଂସଦମାନଙ୍କ ଶପଥ ପାଠ କରାଇବେ । ଏହାପରେ ବାଚସ୍ପତି ପଦ ପାଇଁ ଭୋଟିଂ ହେବ । ସରକାର ଗଠନ କରିବା ପରେ ସଂସଦର ପ୍ରଥମ ଅଧିବେଶନ ଜୁନ ୨୪ରେ ବସିବ । ପ୍ରଥମ ଦିନରେ ସଂସଦର ଉଭୟ ସଦନକୁ ରାଷ୍ଟ୍ରପତି ସମ୍ବୋଧନ କରିବେ । ସେହିପରି ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ । ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଅସ୍ଥାୟୀ ବାଚସ୍ପତିଙ୍କୁ ନିଯୁକ୍ତ କରିବେ । ସାଂସଦମାନେ ଶପଥ ନେବା ପରେ ଜୁନ ୨୬ରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ ।