ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବିଲରେ କାମ କରୁଥିବାବେଳେ ବିଷଧର ସାପ କାମୁଡାରେ ଜଣେ ଯୁବକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଯୁବକ ଜଣକ ହେଲେ କୋକସରା ଥାନା ରେଙ୍ଗାପାଳି ଗ୍ରାମ ପଞ୍ଚାୟତ ଝରିଆଗୁଡ଼ା ଗ୍ରାମର ରସିକ ବଛା (୨୭)। ସୂଚନା ଅନୁସାରେ, ଗୁରୁବାର ବିଲରେ ଚାଷ କାର୍ଯ୍ୟ କରୁଥିବା ସମୟରେ ରସିକକୁ ଏକ ବିଷଧର ସାପ କାମୁଡି ଦେଇଥିଲା। ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କୋକସରା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଗୁରୁତର ରସିକକୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡିଛି।