କେଓମାଲ ୟୁପି ସ୍କୁଲରେ ଶିକ୍ଷକ ବଦଳି ବାତିଲ ପ୍ରସଙ୍ଗ: ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ପରେ ଖୋଲିଲା ବିଦ୍ୟାଳୟର ତାଲା 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଜୁ୍ରାବନ୍ଧ ପଞ୍ଚାୟତ ସ୍ଥିତ କେଓମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କୁ ବଦଳି ବାତିଲ ଘଟଣାକୁ ନେଇ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକଙ୍କ ତରଫରୁ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ ଜାରୀ ରଖିଥିଲେ। ଏହି ଘଟଣା ନେଇ ବାରମ୍ବାର “ଓଡ଼ିଆ ବାର୍ତ୍ତା”ରେ ଖବର ପ୍ରକାଶ ପାଇବା ପରେ ଶିକ୍ଷା ବିଭାଗ ତତ୍ପରତା ପ୍ରକାଶ ଶୁକ୍ରବାର ଶିକ୍ଷକଙ୍କୁ ପୁନଃ ନିଯୁକ୍ତି କରିବା ପରେ ବିଦ୍ୟାଳୟର ତାଲା ଖୋଲିଥିଲା। ଯାହାଫଳରେ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି। ପ୍ରକାଶ ଯେ, ଏହି ବିଦ୍ୟାଳୟରେ ୮ଟି ଶ୍ରେଣୀ ରହିଥିବା ବେଳେ ୮୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପ୍ରଧାନ ଶିକ୍ଷକ ସମେତ ୩ ଜଣ ଶିକ୍ଷକ ଦାୟିତ୍ୱ ନିର୍ବାହ କରୁଥିଲେ। କିନ୍ତୁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଜୟ ସୁନାଙ୍କୁ ଅନ୍ୟ ଏକ ବିଦ୍ୟାଳୟକୁ ବଦଳି ହେବା ଯୋଗୁଁ ଦୀର୍ଘ ୫ ଦିନ ଧରି ବିଦ୍ୟାଳୟ ତାଲା ପଡିବା ଯୋଗୁଁ ପାଠପଢ଼ା ବାଧାପ୍ରାପ୍ତ ହୋଇଥିଲା।

ଏହାର ପ୍ରତିବାଦରେ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ମାନେ ଆନ୍ଦୋଳନ କରିବା ପରେ ପ୍ରଶାସନ ପୁଣି ଶିକ୍ଷକ ଶ୍ରୀ ସୁନାଙ୍କୁ ବିଦ୍ୟାଳୟରେ ପୁନଃ ନିଯୁକ୍ତି ଦେଇଥିବାରୁ ଗ୍ରାମବାସୀ ତରଫରୁ ଶିକ୍ଷା ବିଭାଗର ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି। ଏଥିରେ କମିଟି ସଭାପତି ଯଶୋବନ୍ତ ପଧାନ, ପୂର୍ବତନ ସରପଞ୍ଚ ମଛିନ୍ଦ୍ର ନନ୍ଦ, ସଭ୍ୟ ଡିଙ୍ଗର ଭୋଇ, ଭେଳାରାମ ଧରୁଆ, ସୁରୁସିଂ ମାଝୀ, ଚତୁର୍ଭୁଜ ମାଝୀ, ହର ମାଝୀ, ବସନ୍ତ ଭୋଇ, ଗିରେସୀ କୁଅର, ଲୋଚନ ନାଗ, ବେନ୍ୟାବିନ ନନ୍ଦ, ୱାର୍ଡ ସଭ୍ୟ ସିଦ୍ଧେଶ୍ଵର ତାଣ୍ଡିଙ୍କ ସମେତ କମିଟି ସଦସ୍ୟ ଓ ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.