ନାଁ କୁ ବର୍ଷା ପାଣି ନାହିଁ: ଶୂନ୍ୟ ଗର୍ଭା ହୋଇ ପଡ଼ିରହିଛି ନଈ, ନାଳ, ଗାଡିଆ, ପୋଖରୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ୨୫/୭ ରୁ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ମାଲକାଗିରି ଅଞ୍ଚଳ ଏହି ଲଗାଣ ବର୍ଷାରେ ପ୍ରବଳ ବନ୍ୟା ଜଳ ମାଡ଼ିଯାଇ ବ୍ୟାପକ କ୍ଷତି କରିଥିବା ବେଳେ ୟେଲୋ ୱାର୍ଣିଂ ରହିଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲା ନର୍ଲାରେ ଆଖି ଦୃଶିଆ ବର୍ଷା ହୋଇନି। ଫଳରେ ରୁଆ, ବେଉଷଣ ଚାଷ କାର୍ଯ୍ୟ ବିଶେଷ ଆଗେଇ ପାରିନି। ଲଘୁଚାପ ବର୍ଷାକୁ ହିସାବକୁ ନେଲେ ଜମି ଗୁଡିକରେ ଜଳାଭାବ ଯୋଗୁଁ ମାତ୍ର ୫୦ ପ୍ରତିଶତ ଜମିରେ ରୁଆ ବେଉଷଣ ସରିଥିବା ବେଳ ୫୦ ପ୍ରତିଶତ ଜମିରେ ଚାଷ କାର୍ଯ୍ଯ ଆଗେଇ ପାରୁନି। ଲଗାତାର ବର୍ଷା ଲାଗିରହିଛି। ହେଲେ ପାଣିପାଗ ବିଭାଗ ଯୋଉ ବର୍ଷା ଛେଚିବ ବୋଲି ପୂର୍ବାନୁମାନ କରିଥିଲା ସେହି ପରିମାଣରେ ବର୍ଷା ହୋଇନି। ଗତ ୨୫/୭ ରୁ ଦୁଇ ଦୁଇଟା ଲଘୁଚାପ ଜନିତ ବର୍ଷା ହୋଇଥିଲେ ମଧ୍ଯ କେବଳ ଝିପିଝିପି ହୋଇ ଗୁଣ୍ଡ ଗୁଣ୍ଡ ବର୍ଷା ପଡ଼ିବା ଯୋଗୁଁ ରାସ୍ତା ଘାଟ କାଦୁଅ ହେବା କେବଳ ସାର ହୋଇଛି। 

ଲଘୁଚାପ ଜନିତ ଲଗାଣ ବର୍ଷାରେ ନଈ ବଢ଼ି କିମ୍ବା ଗାଡିଆ ପୋଖରୀ ପୂର୍ଣ୍ଣ ଗର୍ଭା ହୋଇପାଇଲାନି। ଦୁଇ ଦୁଇଟା ଲଘୁଚାପ ଜନିତ ବର୍ଷା ପାଣିରେ ନର୍ଲା ଅଞ୍ଚଳ ଚାଷୀଙ୍କ ମନ ବୁଝିଲାନି। ନର୍ଲା ଅଞ୍ଚଳର ସାନ୍ଦୁଲ, ରେତ ଓ ବାଗପୁର ନଈରେ ପାଣି ନାହିଁ। ନହେଲେ ଅନ୍ୟବର୍ଷ ମାନଙ୍କରେ ଠିକ ଏହି ସମୟରେ ଦୁଇ ଥର ନଈ ବଢ଼ି ହୋଇ ସାରିଥାଏ। ଦୁଇ କୁଳ ଖାଇ ନଈରେ ବଢି ପାଣି ଆସିଥାଏ। ଏବର୍ଷ କିନ୍ତୁ ନର୍ଲା ଅଞ୍ଚଳରେ ହୀନବୃଷ୍ଟି ଯୋଗୁଁ ନଈ, ନାଳ, ଗାଡିଆ, ପୋଖରୀ ସବୁ ଖାଲି ପଡ଼ିଥିବା ଦୃଶ୍ୟମାନ ହେଉଛି। ପର୍ଯ୍ୟାପ୍ତ ବର୍ଷା ନହେବା ଯୋଗୁଁ ନଈ ରେ ବଢ଼ି ପାଣି ନାହିଁ। ଫଳରେ ନଈ ଗର୍ଭରେ, ପୋଖରୀ ମଝିରେ ଉଚ୍ଚ ବୁଦା ଓ ଘାସ ଯୋଗୁଁ ବଣ ପାଲଟି ଗଲାଣି। ନର୍ଲା ଅଞ୍ଚଳ ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠାକାର ଚାଷୀ ଇନ୍ଦ୍ର ଦେବତାଙ୍କୁ ଭରଷା କରି ଚାଷ କରିଥାନ୍ତି। ଯୋଉ ବର୍ଷ ଭଲ ବର୍ଷା ହେଲା ତ ଠିକ। ନହେଲେ ମରୁଡ଼ିର କଷାଘାତରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ପଡ଼ିଥାଏ। ଚଳିତ ବର୍ଷର ବର୍ଷାକୁ ଦେଖିଲେ ଚାଷର ପୁଣି ସେଭଳି ସ୍ଥିତି ଉପୁଜିବାର ସମ୍ଭାବନାକୁ ଏଡେଇ ଦିଆଯାଇ ନପାରେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.