ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମଙ୍ଗଳବାର ରାତିରେ ୯ଟି ଦେବ-ମାନବ ଦୁର୍ଲଭ ‘ବ୍ରହ୍ମକମଳ’ ପୁଷ୍ପ ଫୁଟିଛି କୋକସରା ବ୍ଳକ ବଡ଼ପୋଡ଼ାଗୁଡ଼ା ଗ୍ରାମର ଉମାଶଙ୍କର ଦାସଙ୍କ ଘର ବଗିଚାରେ। ଏହି ଖବର ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଉମାଶଙ୍କରଙ୍କ ବାଡ଼ିକୁ ଆସି ବ୍ରହ୍ମକମଳ ଦର୍ଶନ କରିଥିଲେ। ହିମାଳୟର ପର୍ବତ୍ୟାଞ୍ଚଳରେ ସାଧାରଣତଃ ଫୁଟିଥାଏ ବ୍ରହ୍ମକମଳ। ଏହା ଦେବତାମାନଙ୍କ ଅତି ପ୍ରୀୟ ହୋଇଥିବାବେଳେ ପୁଣ୍ୟ ଫଳରେ ମାନବଙ୍କୁ ଦର୍ଶନ ଦେଉଥିବା ବିଶ୍ଵାସ ରହିଛି। ବର୍ତ୍ତମାନ ଶ୍ରାବଣ ମାସ ଚାଲିଥିବାରୁ ଏହା ପ୍ରଭୁ କୃପା ବୋଲି କହିଛନ୍ତି ବଡପୋଡାଗୁଡାବାସୀ।
ଶ୍ରୀ ଦାସଙ୍କ ପରିବାର ଭକ୍ତିର ସହ ଧୂପ, ଦୀପ ଜାଳି ଏହି ପୁଷ୍ପକୁ ପୂଜାର୍ଚ୍ଚନା କରିବା ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଅର୍ପଣ କରିଥିଲେ। ଏହା ପୂର୍ବରୁ ସୋମବାର ରାତିରେ ମଧ୍ୟ ଗୋଟିଏ ବ୍ରହ୍ମକମଳ ପୁଷ୍ପ ଫୁଟିଥିଲା, ତାହାକୁ ସେମାନେ ନିକଟସ୍ଥ ଶିବ ମନ୍ଦିରରେ ଅର୍ପଣ କରିଥିଲେ। ଆଜି ଏକା ସାଙ୍ଗରେ ପୁଣି ୯ଟି ଫୁଲ ଫୁଟିଥିବା ଦେଖି ତାଙ୍କ ପରିବାର ଲୋକେ ଧୁପ ଦୀପ ଦେଇ ପୂଜା କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ଗତ ତିନିମାସ ତଳେ ପ୍ରଥମ କରି ଶ୍ରୀ ଦାସଙ୍କ ବଗିଚାରେ ଏହି ଫୁଲ ଫୁଟିବା ଆରମ୍ଭ ହୋଇଥିଲା।