ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା କୃଷି ଅଫିସରେ ତିନିଦିନ ହେଲା ଚାଲିଛି ଡିଜିଟାଲ ଫସଲ ସର୍ବେକ୍ଷଣ ତାଲିମ କାର୍ଯକ୍ରମ। କେଉଁ ଜମିରେ କେଉଁ ଫସଲ ହୋଇଛି? ଏହାକୁ ଡିଜିଟାଲ ମାଧ୍ୟମରେ ପ୍ଲଟ ଅନୁଯାୟୀ ସର୍ବେକ୍ଷଣ କରିବେ ତାଲିମ ପ୍ରାପ୍ତ କର୍ମଚାରୀ। ଏଥିରେ ଗ୍ରାମ୍ୟ କୃଷି କର୍ମଚାରୀ, ଆରଆଇ, କୃଷକ ସାଥୀ, ସିଆରପି, ଏମବିକେ, ଗ୍ରାମ ପଞ୍ଚାୟତ କର୍ମଚାରୀ ପ୍ରମୁଖ ସାମିଲ ରହିବେ। ଏଣୁ ଗତ ସୋମବାରରୁ ପର୍ଯ୍ୟାୟ କ୍ରମେ ଏମାନଙ୍କୁ ତାଲିମ ଦିଆଯାଉଛି।
ନର୍ଲା ତହସିଲଦାର ବିଶ୍ୱରଂଜନ କହଁରଙ୍କ ଅଧ୍ୟକ୍ଷତାରେ ଏହି ତାଲିମ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଏଥିପାଇଁ ସ୍ଵତନ୍ତ୍ର ତାଲିମ ନେଇଥିବା ନର୍ଲା ସହକାରୀ କୃଷି ଅଧିକାରୀ ପ୍ରବୀଣ ନାଏକ, ନର୍ଲା ମତ୍ସ୍ୟ ଅଧିକାରୀ ଡିଜିଟାଲ ମାଧ୍ୟମରେ ଫସଲ ସର୍ବେ ବିଷୟରେ ତାଲିମ ପ୍ରଦାନ କରୁଥିବ ଜଣାପଡ଼ିଛି।

ଏହି କ୍ରମରେ ବୁଧବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ନର୍ଲା ବ୍ଲକ ଅଧିନସ୍ଥ ୨୬ ଗୋଟି ଗ୍ରାମ ପଂଚାୟତର ସମସ୍ତ ସରପଞ୍ଚ, ସମିତି ସଦସ୍ୟ, ସଦସ୍ୟା, ସିଆର୍ପି, ଏମବିକେ ପ୍ରମୁଖ ଙ୍କ ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଡ଼ିଓ ରିପୁନାଥ ସୁନା, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନର୍ଲା ଓଲଏମ ସଂଯୋଜକ ସନତ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ। ନର୍ଲା ବ୍ଲକ କୃଷି ଅଧିକାରୀ ରଜତ କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସରକାରଙ୍କ ଏହି କାର୍ଯ୍ୟକ୍ରମ ଚାଷୀଙ୍କ ଫସଲ ବିକ୍ରି କରିବା ସମୟରେ ଆହୁରି ସ୍ବଚ୍ଛତା ରହିବ ବୋଲି ସମ୍ମାନୀତ ଅତିଥି ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମାଝୀ ତାଙ୍କ ବକ୍ତବ୍ୟରେ କହିଥିଲେ। କାର୍ଯ୍ୟକ୍ରମକୁ ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର ପରିଚାଳନା କରିଥିବା ବେଳେ ଅନ୍ୟ ଗ୍ରାମ୍ୟ କୃଷି କର୍ମଚରୀମାନେ ସହଯୋଗ କରିଥିଲେ। ଏହି ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟକ୍ରମ ଅଗଷ୍ଟ ୧୬ ରୁ ସେପ୍ଟେମ୍ବର ଶେଷ ଯାଏଁ ଚାଲିବ ବୋଲି ଜଣାପଡିଛି।

 
                                        
 
 
         
 
         
 
         
 
        


