ପରଲୋକରେ ବରିଷ୍ଠ ଆଦିବାସୀ ନେତା ରଣ ମାଝୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ଶାନ୍ତପୁର ଗ୍ରାମ ପଞ୍ଚାୟତ ସାନ ଚିଚିଙ୍ଗ ଗାଁ ର ବରିଷ୍ଠ ଆଦିବାସୀ ନେତା ରଣଜିତ ମାଝୀ(୬୦) ରବିବାର ରାତିରେ ଆଖି ବୁଜି ଦେଇଛନ୍ତି। ସୋମବାର ସକାଳେ ତାଙ୍କୁ ଗାଁ ମଶାଣିରେ ବିଶିଷ୍ଟ ବ୍ୟକ୍ତି, ବନ୍ଧୁ ପରିଜନ ଓ କନ୍ଧ ସମାଜର ପୁରୋଧା ମାନଙ୍କ ଉପସ୍ଥିତିରେ ଦାହ ସଂସ୍କାର କରାଯାଇଥିବା ସୂଚନା ମିଳିଛି। ଗତ ଦୁଇମାସ ହୋଇଗଲା ସେ କିଡନୀ ଓ ଲିଭର ଜନିତ ସମସ୍ୟାର ରେ ପୀଡ଼ିତ ଥିଲେ। ବିଶାଖାପାଟଣା ଡାକ୍ତରଖାନା ଯାଇ ଚିକିତ୍ସିତ ହେଉଥିଲେ। ଗତ ବୁଧବାର ବିଶାଖାପାଟଣା ଡ଼ାକ୍ତରଖାନାରୁ ଫେରିଥିଲେ। ରବିବାର ରାତିରେ ଖୁବ ସିରୀୟସ୍ ହେବାରୁ ତାଙ୍କୁ ଡାକ୍ତରଖାନାକୁ ନେବାପାଇଁ ଉପକ୍ରମ କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମ ପତ୍ନୀ ମାଧୁରୀ ମାଝୀ, ଦୁଇ ପୁଅ ବାବୁଲା, ବିକାଶ,ଏକମାତ୍ର ଝିଅ ବେବିନା, ଯୋଇଁ ସୁବାଷ ମାଝୀ ଓ ସାନଭାଇ ଧୁବଲେ ମାଝୀ ଉପସ୍ଥିତ ଥିଲେ।ସ୍ଵର୍ଗତ ଶ୍ରୀ ମାଝୀ ନର୍ଲା ଆଦିବାସୀ ସଂଘର ପୂର୍ବତନ ସଭାପତି ଥିଲେ। ଶାନ୍ତପୁରର ପୂର୍ବତନ ସମିତି ସଦସ୍ୟ ରହିଥିଲେ ବର୍ତ୍ତମାନ ସେ ଶାନ୍ତପୁର ପ୍ୟାକ୍ସ ର ଅଧ୍ୟକ୍ଷ ଭାବରେ କାର୍ଯ୍ୟରତ ଥିଲେ। ବିଜେଡିର ବରିଷ୍ଠ ସଦସ୍ୟ ଭାବରେ ଦୀର୍ଘବର୍ଷ ଧରି କାର୍ଯ୍ୟକରି ଶାନ୍ତପୁର ଅଞ୍ଚଳରେ ବିଜେଡ଼ିର ସଂଗଠନକୁ ମଜବୁତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ତାଙ୍କ ନିଧନରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ବରିଷ୍ଠ ଶିକ୍ଷକ କ୍ଷିତିଶ ଚନ୍ଦ୍ର ମାଝୀ, ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର, ପୂର୍ବତନ ସରପଞ୍ଚ ଟିକେଧର ସାହୁ ଓ ଲୋକନାଥ ସା ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.