ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଡିସେମ୍ବର ୨ରେ ଖୋଲିବ ଧାନମଣ୍ଡି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ନର୍ଲା ବ୍ଲକ ପ୍ରଶାସନ ତରଫରୁ। ମଣ୍ଡି କେମିତି ଶୃଙ୍ଖଳିତ ଭାବରେ ଚାଲିବ ସେ ନେଇ ପ୍ରଶାସନ ବେଶ ଯତ୍ନବାନ ରହିଥିବା ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ସୂଚନା ଦେଇଛନ୍ତି। ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦୀପଙ୍କ ଅଧ୍ୟକ୍ଷତାରେ ନର୍ଲା ବ୍ଲକ ସମ୍ମେଳନ କକ୍ଷରେ, ଯୋଗାଣ ଅଧିକାରୀ, ଆରଆଇ, ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ପ୍ୟାକ୍ସ୍ ସମ୍ପାଦକ ଓ ତହସିଲ ଅଫିସ କର୍ମଚାରୀ ମାନଙ୍କୁ ନେଇ ମଣ୍ଡି ସୁ ପରିଚାଳନା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମଣ୍ଡିରେ ଚାଷୀଙ୍କ ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ରହିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ପ୍ରତିଦିନ ଚାଷୀଙ୍କ ଟୋକନ ଅନୁଯାୟୀ ଧାନ କ୍ରୟ କରାଯିବ। ସନ୍ଧ୍ୟା ସୁଦ୍ଧା ମଣ୍ଡିକୁ ଅଣାଯାଇଥିବା ସମସ୍ତ ଚାଷୀଙ୍କ ଧାନ ଉଠିବ। ଚାଷୀ ମଣ୍ଡିରେ ରାତ୍ରୀ ଯାପନ କରିବେ ନାହିଁ। ଏଥିରେ ମିଲର୍ସ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଲୋଚନା କରାଯାଇଥିଲା। ମଣ୍ଡି ପାଇଁ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀ ଚାଷୀଙ୍କ ସୁବିଧା ପାଇଁ ତତ୍ପର ରହି ନିଷ୍ଠାର ସହ କାମ କରିବେ ବୋଲି ଗୋଷ୍ଠୀ ଉନ୍ନୟନ ସମସ୍ତ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ।