ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭବାନୀପାଟଣା ସ୍ଥିତ ‘ପ୍ରତିଭା’ ଅନୁଷ୍ଠାନ ପକ୍ଷରୁ ଜାତୀୟ ଲୋକ/ଜନଜାତି ଓ ପାରମ୍ପରିକ ନୃତ୍ୟ, ସଙ୍ଗୀତ ଓ ଗୀତ ଉତ୍ସବ ‘ନୃତ୍ୟ ସଂଗମ’ ଅବସରରେ ସ୍ଥାନୀୟ ସମ୍ପ୍ରସାରଣ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ‘ଜନଜାତିୟ ଜୀବନ କଳା ଓ ପାରମ୍ପରିକ ନୃତ୍ୟ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ଲେଖିକା ତଥା ଗବେଷିକା ଦେବହୂତି କର ଭିତ୍ତି ପ୍ରବନ୍ଧ ପାଠ କରିଥିବା ବେଳେ ଗବେଷକ ସମୀର ମହାପାତ୍ର, ଅଶୋକ ପଟ୍ଟନାୟକ, କଳ୍ପନା ରଥ, ଡିଲେଶ୍ୱର ରଣା, ସ୍ଵାଧୀନ ପାତ୍ର ଓ କୀର୍ତ୍ତନ ନାୟକ ବକ୍ତବ୍ୟ ରଖିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ତଥା ସଂଗଠକ ଡ. ଅଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରରେ ଅନୁଷ୍ଠାନର ସମ୍ପାଦକ ଚିଣ୍ଟୁ ପ୍ରସାଦ ନାଏକ ସ୍ଵାଗତ ଅଭିଭାଷଣ ରଖିଥିବା ବେଳେ ସଭାପତି ଧ୍ୟାନାନନ୍ଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବହୁ ସଂଖ୍ୟାରେ ଦର୍ଶକ ଓ କଳାପ୍ରେମୀ ଯୋଗ ଦେଇଥିଲେ।