ପେଟପାଇଁ ନାଟ: ସଙ୍କଟରେ ‘ଡାଙ୍ଗଚଘୁ’ ଓ ‘ମୁଡତୁପୁ’ଙ୍କ ଜୀବନ ଜୀବିକା, ବିଲୁପ୍ତ ହୋଇ ଗଲେଣି ସାପୁଆ କେଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା କଳାହାଣ୍ଡି ଜିଲ୍ଲାରେ ନଭେମ୍ବର ରୁ ଡିସେମ୍ବର ମାସ ମଧ୍ୟରେ ଡାଙ୍ଗଚଘୁ ଓ ମୁଡତୁପୁ ମାନେ ନିଜ ପରିବାର କୁ ନେଇ ଗାଁ ଦାଣ୍ଡରେ ଖେଳ ପ୍ରଦର୍ଶନ କରି ଜୀବନ ଜୀବୀକା ନିର୍ବାହନ କରି ଆସୁଥିଲେ । “ସାପୁଆ କେଳା” ମାନେ ମଧ୍ୟ ୧୦ ରୁ ୧୫ ଗୋଟି ବିଭିନ୍ନ ପ୍ରଜାତିର ସାପ ନେଇଆସି ଗାଁ ଦାଣ୍ଡରେ ସାପ ଖେଳ ପ୍ରଦର୍ଶନ କରି ଚାଉଳ, ଡାଲି, ଟଙ୍କା, ପଇସା ମାଗି ଜୀବନ ଜୀବିକା ନିର୍ବାହନ କରିଆସୁଥିଲେ । ହେଲେ ଗାଁ ଗାଁ ରେ ଏବେ କଂକ୍ରୀଟ ରାସ୍ତା ହୋଇଯିବା ଫଳରେ “ମୁଡତୁପୁ” ମାନଙ୍କ ବେଉସା ବୁଡିଛି । ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ହୋଇଗଲାଣି ଆଉ “ମୁଡତୁପୁ”ଗାଁ ମାନଙ୍କୁ ଆସୁ ନାହାନ୍ତି କିମ୍ବା ଗାଁ ଦାଣ୍ଡରେ “ମୁଣ୍ଡପୋତା” ଖେଳ ପ୍ରଦର୍ଶନ କରି ପାରୁ ନାହାନ୍ତି । କାରଣ ଆଗରୁ ଗାଁ ଦାଣ୍ଡ ଗୁଡିକ ମାଟି, ମେଟାଲ ଓ ମାଟି ରାସ୍ତା ସବୁ ରହିଥିଲା।ଫଳରେ ଗାଁ ଦାଣ୍ଡରେ ସୁବିଧାରେ ୨ ଫୁଟ ଗାତ ଖୋଳି ମୁଣ୍ଡ ପୋତି ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶନ କରି ଗାଁ ଦର୍ଶକଙ୍କ ହୃଦୟ ଜିଣି ଭଲ ଦୁଇପଇସା ପାଉଥିଲେ । କୁଟୁମ୍ବ ପ୍ରତିପୋଷଣ କରୁଥିଲେ । ଏବେ ଗାଁ ଦାଣ୍ଡ ଗୁଡିକ ଚାରିଆଡେ କଂକ୍ରିଟ ରାସ୍ତା ହୋଇଯିବାରୁ ଏମାନଙ୍କ ବେଉସା ବୁଡିଗଲାଣି । ହେଲେ କାଁ ଭାଁ ଦେଖିବାକୁ ମିଳୁଛି “ଡାଙ୍ଗଚଘୁ”ମାନଙ୍କୁ ଗାଁ ଦାଣ୍ଡରେ ବାଉଁଶ ଦଉଡି ମାଧ୍ୟମରେ ସନ୍ତୁଳନ ଖେଳ ପ୍ରଦର୍ଶନ । ଗୋଟିଏ ପରିବାରର ୫ ଜଣ । ମାଁ ରାସ୍ତାକଡ କୋଉ ଗଛ ମୂଳେ ରୋଷେଇବାସ ସମ୍ଭାଳୁଥିବା ବେଳେ ବାପା ଏହି ବାଉଁଶ ଦଉଡି ଖେଳ ପାଇଁ ଆବଶ୍ୟକ ବାଉଁଶ, ଦଉଡି, ମାଇକ ସେଟ ନେଇ ଦୁଇ ଝିଅ ଓ ପୂଅ ସହ ଆସି ବାଜା ବଜାଇ ଦର୍ଶକଙ୍କୁ ଆକର୍ଷିତ କରିଥାଏ । ଭାଇ ମାଇକ ଯୋଗେ କମେଣ୍ଟ୍ରି କରିଥାଏ । ଅତି ଛୋଟ ୬ ରୁ ୮ ବର୍ଷର ଦୁଇ ଭଉଣୀ କଂକ୍ରୀଟ ରାସ୍ତା ଉପରେ ବାଉଁଶ ଚାରିଗୋଟି ଉପରେ ଖଞ୍ଜିଥିବା ୧୦ ଫୁଟ ଉଚ୍ଚର ଦଉଡିରେ ଖାଲି ପାଦରେ ଓ ଥାଳିଆ ଯୋଗେ ଯୋଗେ ଚାଲି, ଡ୍ୟାନ୍ସକରି ବିଭିନ୍ନ ଭଙ୍ଗିରେ ସନ୍ତୁଳନ ଖେଳ ପ୍ରଦର୍ଶିତ କରିଥାଏ । ଗାଁ ଲୋକ ଛୋଟ ଝିଅ ମାନେ କରୁଥିବା ବାଉଁଶ ଦଉଡି ସନ୍ତୁଳନ ଖେଳ ଦେଖି ଖୁବ ମଜା ନେଇଥାନ୍ତି । ହେଲେ ଗାଁ ଗାଉଁଳି ରୁ ମିଳୁଥିବା ଚାଉଳ ଏବଂ ଟଙ୍କା ପଇସା ଏମାନଙ୍କ ପାଇଁ ଯଥେଷ୍ଟ ହୋଇନଥାଏ । ଉଦୁ ଉଦିଆ ପ୍ରଚଣ୍ଡ ଖରା ସମୟ । ଯା ଘରେ ସେ ଖାଇ ପିଇ ବିଶ୍ରାମ ନେଉଥିବା ବେଳେ ଏମାନେ ଗାଁ ଦାଣ୍ଡରେ ଖେଳ ପ୍ରଦର୍ଶନ କରିଥାନ୍ତି । ଦୟନୀୟ ସ୍ଥିତିରେ ଗୁଜୁରାଣ ମେଣ୍ଟାଉଛନ୍ତି ଏହି “ଡାଙ୍ଗଚଘୁ”ପରିବାର ସବୁ । ସରକାରୀ ପ୍ରୋତ୍ସାହନ ଏମାନଙ୍କ ପାଇଁ କିଛି ନଥିବାରୁ ଏମାନଙ୍କ ସଂଖ୍ୟା ଧିରେ ଧିରେ ବିଲୁପ୍ତ ହେବାକୁ ଯାଉଛି । ଏବେ କାଁ ଭାଁ ଦେଖା ଯାଉଛନ୍ତି “ଡାଙ୍ଗଚଘୁ”ଓ ମୁଡତୁପୁ ପରିବାର ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.