ମଣ୍ଡିରେ ଚାଷୀଙ୍କ ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯିବ -ମଞ୍ଜୁଲତା ଗଉଡ, ପ୍ୟାକ୍ସ ସଭାପତି
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲାରେ ନଭେମ୍ବର ଶେଷ ସୁଦ୍ଧା ସମସ୍ତ ଧାନ ମଣ୍ଡି ଉଦ୍ଘାଟନ ହେବ ବୋଲି ସରକାର ଘୋଷଣା କରିଥିଲେ ମଧ୍ୟ ଜିଲ୍ଲାର ଅଧିକାଂଶ ମଣ୍ଡି ଏଯାଏଁ ଉଦ୍ଘାଟିତ ହୋଇନାହିଁ। ଜିଲ୍ଲାର ନର୍ଲା ବ୍ଲକରେ ରହିଥିବା ୭ ଗୋଟି ପ୍ୟାକ୍ସ ଓ ଉକ୍ତ ପ୍ୟାକ୍ସ ଗୁଡିକ ଅଧିନରେ ଚାଲୁଥିବା ୧୬ ଗୋଟିଧାନ ଉପମଣ୍ଡି ମଧ୍ୟରୁ ନର୍ଲା ଓ ପଲମ ଧାନ ମଣ୍ଡି ଶୁକ୍ରବାର ସକାଳ ୧୧ ଘଣ୍ଟା ସମୟରେ ଉଦ୍ଘାଟିତ ହୋଇଯାଇଛି। ନର୍ଲା ବ୍ଲକ ଅଧିନସ୍ଥ ରପ୍ରା, ରୁପ୍ରାରୋଡ, ଶାନ୍ତପୁର ମଣ୍ଡି ୪ ଓ ୫ ରେ ଉଦଘାଟିତ ହୋଇଯାଇଛି। କେବଳ ତୁଳାପଡ଼ା ଓ ଭାନପୁର ମଣ୍ଡି ଉଦ୍ଘାଟନ ହୋଇନି। ନର୍ଲା ପ୍ୟାକ୍ସ ଅଧିନରେ ଚାଲୁଥିବା ନର୍ଲା ବସ୍ତି ଆରମ୍ଭ ମୁଣ୍ଡ ରାଜ ରାସ୍ତା କଡରେ ଏକ ଘରୋଇ ଜାଗାରେ ଅନୁଷ୍ଠିତ ହୋଇଛି ନର୍ଲା ଧାନମଣ୍ଡି। ନର୍ଲା ପ୍ୟାକ୍ସ ସଭାପତି ମଞ୍ଜୁଲତା ଗଉଡଙ୍କ ଅଧ୍ୟକ୍ଷତାରେ ଏହି ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ, ସମ୍ମାନୀତ ଅତିଥି ଭାବରେ ନର୍ଲା ତହସିଲଦାର ବଳଦେବ
ବେହେରା, ନର୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ ଶ୍ରୀଚନ୍ଦନ, ଡାଇରେକ୍ଟର ଅଭୟ ଚାନ୍ଦ, କୃଷି ଅଧିକାରୀ ହେମଲତା ଦୀପ, କେମନ୍ତ ସାହୁ ପ୍ରମୁଖ ଯୋଗଦାନ କରି ମହାଲକ୍ଷ୍ମୀ ଫଟୋଚିତ୍ର, ଧାନବସ୍ତା ଓ ଧାନ ଓଜନ ପରିମାପକ ମେସିନରେ ସିନ୍ଦୁର, ଚନ୍ଦନ ଦେଇ ପୂଜାପାଠ କରି ନାରୀକେଳ ଭାଙ୍ଗି ଏହାର ଶୁଭ ଉଦ୍ଘାଟନ କରିଥିଲେ। ଏହାପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ନର୍ଲା ପ୍ୟାକ୍ସର ଭାରପ୍ରାପ୍ତ ସମ୍ପାଦକ ଲବକାନ୍ତ ସା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମବାୟ ସମିତି ସଦସ୍ୟ ତଥା ସର୍ଗିଗୁଡା ପଞ୍ଚାୟତର ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ ମଞ୍ଚ ସଂଯୋଜନା କରିଥିଲେ। ନିୟନ୍ତ୍ରୀତ ବଜାର କମିଟିର କର୍ମଚାରୀ, ପ୍ୟାକ୍ସର ଡାଟାଏଣ୍ଟ୍ରି ଅପରେଟର କେତନ ବଗର୍ତ୍ତି, ଦେବେନ୍ଦ୍ର ରଣା, ରୁପ୍ରାରୋଡ ରାମାନୁଜ ମିଲ ମାଲିକ ଧିରେନ୍ଦ୍ର ଖେତାନ, ନର୍ଲାରୋଡ କହ୍ନେଆ ଏଗ୍ରୋ ରାଇସ ମିଲର ଏଜେଣ୍ଟ ନିକୁଞ୍ଜ ଓଝା, ଚାଷୀ ଅନି ବିଶ୍ଵାଳ, ଜଗନ୍ନାଥ୍ ସାହୁ, ନରସିଂହ ନାଏକ, ସୁନିଲ ଚାନ୍ଦ, ମନ୍ମୟ ଚାନ୍ଦ, କିଶୋର ଚନ୍ଦ୍ର ନାଏକ, ଧନୁର୍ଦ୍ଧର ସେନାପତି, ନୋଡ଼ାଲ ଅଫିସର ଲୋକେଶ ସେନାପତି, କୈଳାସ ବୁଦ୍ଧିଆଙ୍କ ସମେତ ଆଖପାଖ ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ୱ ଚାଷୀଙ୍କ ଉପସ୍ଥିତିରେ ଏହି ଉଦ୍ଘାଟନୀ ଉତ୍ସବ ସମ୍ପନ୍ନ ହୋଇଥିଲା। ନର୍ଲା ମଣ୍ଡିରେ କହ୍ନେୟା ଏଗ୍ରୋ ନର୍ଲାରୋଡ ମିଲ, ରାମାନୁଜ ଏଗ୍ରୋ ଟେକ ବୁଢୀପଦର ମିଲ, ଶ୍ରୀ ଜଗନ୍ନାଥ ଫୁଡସ କେସିଙ୍ଗା, ତୁଳାପଡା କନକଦୁର୍ଗା ରାଇସ ମିଲ, କେସିଙ୍ଗା ରାଇସ ମିଲକୁ ନର୍ଲା ମଣ୍ଡିରେ ସଂଯୁକ୍ତ କରାଯାଇଥିବା ଜଣାପଡିଛି। ଉଦ୍ଘାଟନୀ ଦିବସରେ ଟୋକନ ପାଇଥିବା ନର୍ଲା ଜୟନ୍ତୀ ନଗର ପଡ଼ାର ଚାଷୀ ଲବ କୁମାରଙ୍କ ୧୫ କ୍ଵିଣ୍ଟାଲ ଧାନ ମଣ୍ଡିକୁ ଆସିଥିଲା।
ଚଳିତ ବର୍ଷ ଅଞ୍ଚଳରେ ପ୍ରଚୁର ଧାନ ଉତ୍ପାଦନ ହୋଇଛି। ନର୍ଲା ଧାନ ମଣ୍ଡି ଆଗରୁ ମଧ୍ୟ ଶୃଙ୍ଖଳିତ ଭାବରେ ଚାଲି ଆସୁଥିଲା। ଏଥିରେ ଚାଷୀ, ନିୟନ୍ତ୍ରୀତ ବଜାର କମିଟି, ପ୍ୟାକ୍ସ କର୍ମଚାରୀ ଓ ମିଲର୍ସଙ୍କ ମଧ୍ୟରେ କୌଣସୀ ମତପାର୍ଥକ୍ୟ ନଥିଲା। ଚଳିତ ବର୍ଷ ମଧ୍ୟ ନର୍ଲାର ଧାନ ମଣ୍ଡି ଉତ୍ତମ ଭାବରେ ଚାଲିବ ବୋଲି ମୁଁ ଆଶା କରିବି। କାରଣ ନର୍ଲା ଅଞ୍ଚଳର ଚାଷୀ ବହୁତ ଭଲ। ମିଲର୍ସ, ପ୍ୟାକ୍ସ କର୍ମଚାରୀ ଓ ନିୟନ୍ତ୍ରୀତ ବଜାର କମିଟି ର କର୍ମଚାରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହୁଛି। ଆମ ତରଫରୁ ମଧ୍ୟ ଚାଷୀଙ୍କ ପାଇଁ ମଣ୍ଡିରେ ଯାହା କିଛି ସୁବିଧା ରହିବା କଥା ସେ ସବୁ ଯୋଗାଇ ଦିଆଯିବ। ଏହି ପରିପ୍ରେକ୍ଷୀରେ ମୁଁ ନର୍ଲା ପ୍ୟାକ୍ସ ଅଞ୍ଚଳର ଚାଷୀ ଭାଇ ମାନଙ୍କୁ ଅନୁରୋଧ କରିବି ଉତ୍ତମ ଭାବରେ, କୌଣସୀ ଝାମେଲା ନଥାଇ ମଣ୍ଡି ଚଲେଇବା ଦିଗରେ ଆମକୁ ସାହାଯ୍ୟ, ସହଯୋଗ କରିବେ ବୋଲି ନର୍ଲା ସମବାୟ ସମିତି ସଭାପତି ମଞ୍ଜୁଲତା ଗଉଡ ତାଙ୍କ ମତାମତରେ କହିଛନ୍ତି। ସେହିଭଳି ପଲମ ପ୍ୟାକସ ପାଖରେ ସମ୍ପାଦକ କୁମୁଦ ଚନ୍ଦ୍ର ଙ୍କ ନେତୃତ୍ଵରେ ପଲମ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି।