ମାଣ୍ଡେଲରୁ ଦୁରାପଦରକୁ ଧାନ ମଣ୍ଡି ସ୍ଥାନାନ୍ତରକୁ ବିରୋଧ 

ନର୍ଲା ବିଧାୟିକା ଓ ବ୍ଲକ ଅଧ୍ୟକ୍ଷଙ୍କୁ ଭେଟିଲେ ଚାଷୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପେକ୍ସ ଅଧିନ ମାଣ୍ଡେଲ ଉପମଣ୍ଡି ସ୍ଥାନାନ୍ତରକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଶୁକ୍ରବାର ସନ୍ଧ୍ୟାରେ ମାଣ୍ଡେଲ ଅଞ୍ଚଳର ଚାଷୀମାନେ ମାର୍କଣ୍ଡ ଜାଲଙ୍କ ନେତୃତ୍ୱରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଓ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କୁ ସାକ୍ଷାତ କରି ମାଣ୍ଡେଲରେ ହିଁ ପୁନଃ ମଣ୍ଡି ଚାଲୁ କରିବା ପାଇଁ ଅନୁରୋଧ କରିଥିଲେ। ପ୍ରାପ୍ତ ସୂଚନା ଅନୁସାରେ ୨୦୧୭ରେ ତତ୍କାଳୀନ ନର୍ଲା ବ୍ଲକ ଅଧ୍ୟକ୍ଷା ତଥା ବର୍ତ୍ତମାନର ବିଧାୟିକା ମନୋରମା ମହାନ୍ତିଙ୍କ କରକମଳରେ ମାଣ୍ଡେଲ ଠାରେ ଧାନମଣ୍ଡି ଉଦ୍ଘାଟନ ହୋଇଥିଲା। ସେହି ଦିନଠାରୁ ମାଣ୍ଡେଲରେ ସୁରୁଖୁରୁରେ ଉପମଣ୍ଡି ଚାଲି ଆସୁଥିଲା। ତେବେ ଚଳିତ ବର୍ଷ ଏହି ଧାନମଣ୍ଡି ମାଣ୍ଡେଲରୁ ସ୍ଥାନାନ୍ତର ହୋଇ ହାତୀ ଉପଦୃତ ତଥା ଜଙ୍ଗଲ ଭିତରେ ଥିବା ଦୁରାପଦରକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି। କିଛି ଦଲାଲ ନିଜ ସୁବିଧା ଦୃଷ୍ଟିରୁ ମାଣ୍ଡେଲରୁ ମଣ୍ଡି ନେଇ ଦୁରାପଦରେ ସ୍ଥାପନ କରିଇବାର ମସୁଧାକୁ ଚାଷୀମାନେ ତୀବ୍ର ବିରୋଧ କରିବା ସହ ମାଣ୍ଡେଲରେ ହିଁ ପୁନଃ ମଣ୍ଡି ଚାଲୁ କରିବା ପାଇଁ ଦାବି କରିଛନ୍ତି।  ଦଲାଲ ମାନଙ୍କର ଚକ୍ରାନ୍ତରେ ପଡ଼ି କିଛି ବିଭାଗୀୟ ଅଧିକାରୀ ମାଣ୍ଡେଲ ମଣ୍ଡିକୁ ଦୁରାପଦର ସ୍ଥାନାନ୍ତର କରାଯିବା ମସୁଧା ନେଇ ସଂପୃକ୍ତ ଦଲାଲମାନେ ଆତ୍ମବିଭୋର ହୋଇ ପତ୍ରଫଡି ନିକଟରେ କିଛି ଦିନ ପୂର୍ବରୁ ଭୋଜି କରିଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଏଠାରେ ଚାଷୀମାନେ ପ୍ରଶ୍ନ କରିଛନ୍ତି ଯେ, ମାଣ୍ଡେଲରେ ପର୍ଯ୍ୟାପ୍ତ ପରିମାଣରେ ସରକାରୀ ଯାଗା ଥିବାବେଳେ ଏଠାରେ କାହିଁକି ମଣ୍ଡି ନହୋଇ ଦୁରାପଦରକୁ ସ୍ଥାନାନ୍ତର ହେଉଛି। ଏଥିରେ କାହାର ସ୍ବାର୍ଥ ନିହିତ ରହିଛି ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ତେବେ ବିଧାୟିକା ଓ ବ୍ଲକ ଅଧ୍ୟକ୍ଷଙ୍କୁ ଚାଷୀ ଦୀନବନ୍ଧୁ ପଧାନ, ଉମାକାନ୍ତ ନାଏକ, ନିର୍ମଳ ଦୀପ, ସାଧୁ ଭୋଇ, ପିତବାସ ଜାଲ, ପିତାମ୍ବର ରଣା, ସତ୍ୟା ପଧାନ, ବୈଦ୍ୟନାଥ ପଧାନ, ଦୟାନିଧି ପଧାନ, ହୃଦାନନ୍ଦ ନାଏକ, ରମେଶ ନାଏକ, ରୋମାଞ୍ଚଳ ନାଏକ, ବୃନ୍ଦାବନ ବାରିକ ପ୍ରମୁଖଙ୍କ ସହ ଅନେକ ଚାଷୀ ଉପସ୍ଥିତ ଥିଲେ। ଯଦି ମାଣ୍ଡେଲରୁ ମଣ୍ଡି ସ୍ଥାନାନ୍ତର ହୁଏ ତେବେ ଭୟାବହ ଆନ୍ଦୋଳନ ହେବବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ତେଣୁ ବିଭାଗୀୟ କତୃପକ୍ଷ ଏହାର ସୁବିଚାର କରି ଚାଷୀଙ୍କ ହିତ ପାଇଁ ମାଣ୍ଡେଲରେ ହିଁ ପୂର୍ବପରି ମଣ୍ଡି ଚାଲୁ ରଖିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.