ଲାଞ୍ଜିଗଡ ବେଦାନ୍ତ ମୁଖ୍ୟ ଫାଟକ ସାମ୍ମୁଖରେ ମହିଳାଙ୍କ ଧାରଣା  

ଭୁବନେଶ୍ବର/ଲାଞ୍ଜିଗଡ,୨୧/୭ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ ୟୁନିଟ୍ ର ମୂଖ୍ୟ ଫାଟକ ଆଗରେ ଶନିବାର ଦିନ ଲାଞ୍ଜିଗଡ ବ୍ଲକ ଛତ୍ରପୁର ଗାଁର ମହିଳାମାନେ ଧାରଣାରେ ବସି ରହିଥିବା ଦେଖା ଯାଇଥିଲା । ବେଦାନ୍ତର ଚାପରେ ପୁଲିସ ଜନସାଧାରଣଙ୍କ ନାଁରେ ମିଥ୍ୟା କେସ ରୁଜୁ କରି ଆମକୁ ହଇରାଣ କରୁଛି ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଛତ୍ରପୁର ଗାଁର ସମସ୍ତ ମହିଳା ବେଦାନ୍ତର ମୁଖ୍ୟ ଫାଟକ ଆଗରେ ସେମାନଙ୍କ ସ୍ୱାମୀ ଓ ପିଲାଙ୍କ ନାଁରେ ଥିବା କେସ୍ କୁ ହଟେଇବା ପାଇଁ ଦାବି କରିଛନ୍ତି । ଓଆଇଏସ୍ଏଫ୍ ଯବାନଙ୍କ ବିରୁଦ୍ଧରେ ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ନକରି ନିଦାବିଷ୍ଣୁ ସାଜିଛି ବୋଲି ପ୍ରଶ୍ନ କରିଛନ୍ତି ଧାରଣାରତ ମହିଳାମାନେ। ବେଦାନ୍ତ କମ୍ପାନୀ ଅଂଚଳର ବିକାଶ କରିବା ପରିବର୍ତେ ବିନାଶ ଲୀଳା କରିଚାଲିଛି । ବେଦାନ୍ତ ଆମ ଉପରେ କରୁଥିବା ଅତ୍ୟାଚାରକୁ ଆମେ ସହ୍ୟ କରିପାରୁନାହୁଁ । ଆମ ଜାଗା, ଆମ ଗାଁ ମାଟିରେ କାରଖାନା କରି ଆମକୁ ନାଲିଆଖି ଦେଖାଉଛି ବେଦାନ୍ତ । ଏମିତି ଅନେକ କଟୁ ସମାଲୋଚନା କରିଥିଲେ ଛତ୍ରପୁର ମହିଳା ମାନେ ।

ସୂଚନା ଯୋଗ୍ୟଯେ, ଗତ ମାର୍ଚ୍ଚ ୧୮ ତାରିଖ ଦିନ ବେଦାନ୍ତ କାରଖାନା ମୁଖ୍ୟ ଫାଟକରେ ବେଦାନ୍ତ ସୁରକ୍ଷା କର୍ମୀ (ଓଆଇଏସ୍ଏଫ୍ ଯବାନ) ଓ ଜନସାଧାରଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏହି ପାଟିତୁଣ୍ଡ ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ ସୁରକ୍ଷା କର୍ମୀମାନେ ଲାଠିଚାର୍ଜ କରିବାପାଇଁ ବାଧ୍ୟ ହୋଇଥିଲେ । ଏହି ଲାଠିଚାର୍ଜରେ ଦାନି ବାତ୍ରା ନାମକ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବାବେଳେ ଜଣେ ଓଆଇଏସ୍ଏଫ୍ ହାବିଲଦାର ମେଜରଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୁଲିସ ସିସିଟିଭି ଫୁଟେଜ୍ କୁ ଆଧାର କରି ୩୦୦ରୁ ଉଦ୍ଧ୍ୱର୍ ଲୋକଙ୍କ ନାମରେ ମାମଲା ରୁଜୁ କରିଥିଲା । ବର୍ତମାନ ୨୯ଜଣଙ୍କୁ ଗିରଫ କରି ଜେଲକୁ ପଠେଇ ଦେଇଥିବାବେଳେ ବାକି ସମସ୍ତେ ଭୟରେ ଘର ଛାଡ଼ି ଚାଲି ଯାଇଛନ୍ତି ।

ଏହି ଆନ୍ଦୋଳନ ସ୍ଥଳରେ କେସିଙ୍ଗା ଏସଡିପିଓ ଗୁପ୍ତେଶ୍ୱର ଭୋଇ, ଲାଞ୍ଜିଗଡ ଆଇଆଇସି ଚତ୍ରୁଭୁଜ ନାଏକ, ବିଶ୍ୱନାଥପୁର ଆଇଆଇସି କାହ୍ନୁଚରଣ ସ୍ୱାଇଁ ଓ ଲାଞ୍ଜିଗଡ ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକ ଆନ୍ଦୋଳନକାରୀ ମହିଳାଙ୍କ ସହିତ ଆଲୋଚନା କରିଥିବାବେଳେ ବେଦାନ୍ତ ତରଫରୁ ମାନବସମ୍ବଳ ଅଧିକାରୀ ହେମନ୍ତ ଭାଟିଆ, ଜନସମ୍ପର୍କ ଅଧିକାରୀ ଶିବଦତ୍ତ୍ ମିଶ୍ର, ଆଲୋକ ଗୟା, ଶେଷଦେବ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନ କାରିମାନଙ୍କୁ ବୁଝାସୁଝା କରିଥିଲେ । ଏହାପରେ ଘଟଣାସ୍ଥଳରେ ଅତିରିକ୍ତ ଏସପି ଗୋପୀନାଥ ମଣିପାତ୍ର ପହଞ୍ଚିବା ସହ ମହିଳାମାନଙ୍କ ସହ ଆଲୋଚନା କରିଥିଲେ । 

ଦିନତମାମ ଆନ୍ଦୋଳନ ପରେ ସନ୍ଧ୍ୟା ୬.୩୦ରେ ପ୍ରଶାସନ ଓ ଆନ୍ଦୋଳନକାରୀମାନଙ୍କ ଆଲୋଚନା ପରେ ନିଷ୍କର୍ଷ ବାହାରିଥିଲା । ପୁଲିସ ପ୍ରଶାସନ ସହିତ ଆଲୋଚନା ପରେ ଘଟଣା ଓ ଏଥିରେ ହୋଇଥିବା ଗିରଫଦାରିର ତର୍ଜମା ପାଇଁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ହଟିଥିଲା । ତେବେ ଏହି ଘଟଣାରେ ବେଦାନ୍ତ ପୁଲିସ ଓ ପ୍ରଶାସନ ଉପରେ ଅଠାବୋଳି ନିଜେ ପାର ହେବାକୁ ଉଦ୍ୟମ ଜାରି ରଖିଥିବା ଆଜି ସ୍ପଷ୍ଟ ହୋଇଛି । ଏପରି ହେଲେ ଲାଞ୍ଜିଗଡରେ କଂପାନୀ ରହିବାର ଅଧିକାର ହରାଇବସିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.