ରେଞ୍ଜ ଅଫିସରଙ୍କ କାର୍ଯ୍ୟଶୈଳୀକୁ ନେଇ ପୁଣି ଉଠିଲା ପ୍ରଶ୍ନବାଚୀ 

କାଠଗଣ୍ଡିକୁ ଜବତ କଲେ, ଗାଡିକୁ ଛାଡିଲେ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ସରକାର ବନ କର୍ମଚାରୀମାନଙ୍କୁ ନିଯୁକ୍ତ କରିଛନ୍ତି। ତେବେ କେତେକ ସ୍ଥାନରେ ଜଙ୍ଗଲ ସୁରକ୍ଷା ହେବା ପରିବର୍ତ୍ତେ ଧ୍ବଂସ ହେବାରେ ଲାଗିଛି। ସାହାଜଖୋଲ ଜଙ୍ଗଲ ଏବେ ଶ୍ରୀହୀନ ହେବାରେ ଲାଗିଥିବାବେଳେ ରେଞ୍ଜ ଅଫିସରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳର ସଚେତନ ନାଗରିକ। ବିଭିନ୍ନ ସମୟରେ କାଠ ଓ ମକା ମାଫିଆମାନଙ୍କ ସହ ସମ୍ପର୍କ ଓ ଅନେକ କାର୍ଯ୍ୟକଳାପ ପାଇଁ ଚର୍ଚ୍ଚାର ପରିସରରେ ରହି ଆସିଥିବା ଧର୍ମଗଡ଼ ରେଞ୍ଜ ଅଫିସର ବର୍ତ୍ତମାନ ପୁଣି ଆଉ ଏକ ଘଟଣା ପାଇଁ ଚର୍ଚ୍ଚାର ପରିସରରକୁ ଆସିଛନ୍ତି। ଶୁକ୍ରବାର କାଠ ବୋଝେଇ କରି ଯାଉଥିବା ଏକ ଅଟୋକୁ ଧରିଥିବା ବେଳେ ଆମପାଣି ଫରେଷ୍ଟ କାର୍ଯ୍ୟାଳୟରେ କାଠଗଣ୍ଡିକୁ ଜବତ କରି ରଖିଛନ୍ତି। ତେବେ କାଠ ନେବାରେ ବ୍ୟବହୃତ ହୋଇଥିବା ଅଟୋକୁ ଛାଡି ଦେଇଥିବା ବନ କର୍ମଚାରୀମାନଙ୍କ ଠାରୁ ଜଣାପଡିଛି। କାଠ ଚୋରାଚାଲାଣରେ ବ୍ୟବହାର ହୋଇଥିବା ଅଟୋକୁ ଜବତ କରିବା ପରିବର୍ତ୍ତେ ଛାଡିଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଯାହା ଅଧିକାରୀଙ୍କ କାର୍ଯ୍ୟରେ ସନ୍ଦେହ ଯାତ ହେଉଛି। ଗତ କିଛିଦିନ ତଳେ ସାହାଜଖୋଲ ବନ ସୁରକ୍ଷା ମହାସଂଘ ଦୁର୍ନୀତିଖୋର ବନ ଅଧିକାରୀ ଓ କର୍ମଚାରୀମାନଙ୍କୁ ବଦଳି ଦାବିକରି ରାଜରାସ୍ତାକୁ ଓହ୍ଲାଇ ଥିଲେ ଓ ବନ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ତେବେ ୭ଦିନ ମଧ୍ୟରେ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ବଦଳି କରାଯିବ ବୋଲି ସେତେବେଳେ ଡେପୁଟି କଲେକ୍ଟର ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏ ପର୍ଯ୍ୟନ୍ତ ତାହା ପୂରଣ ହୋଇପାରି ନାହିଁ। ଅନ୍ୟପଟେ ନିଜର ଛବିକୁ ଠିକ୍ କରିବାକୁ ଯାଇ ବନ ବିଭାଗ ଛୋଟ ମାଛକୁ ଧରୁଥିବା ବେଳେ ବଡ଼ ବଡ଼ଙ୍କୁ ଧରିବାରେ କେବେ ସଫଳ ହୋଇନାହିଁ। ଏଣୁ ଛୋଟିଆକୁ ଧରି ବାହା ବାଃ ନେଉଥିବା ବେଳେ ଭାତ ହାଣ୍ଡିରୁ ଗୋଟିଏ ଚାଉଳକୁ ଧରିଲା ପରି ମନେ ହେଉଛି। ଏଣେ ବଡ଼ ବଡ଼ ମାଫିଆ ମାନେ ବେଫିକର ରହି ସାହାଜଖୋଳ ଜଙ୍ଗଲରେ ଆଡା ଜମାଇ ରହି ଥିବାବେଳେ ସେମାନଙ୍କୁ ଧରିବା ପାଇଁ ବନ ବିଭାଗ ସାହସ ଜୁଟାଇ ପାରୁ ନଥିବା ସାଧାରଣରେ ଚର୍ଚ୍ଚା ହେଉଛି। ତେଣୁ କାଠଗଣ୍ଡି ଜବତ ବିଷୟରେ ପ୍ରତିକ୍ରିୟା ନେବାପାଇଁ ବାରମ୍ବାର ଧର୍ମଗଡ଼ ବନାଞ୍ଚଳ ଅଧିକାରୀଙ୍କୁ ଯୋଗାଯୋଗ କରା ଯାଇଥିଲେ ମଧ୍ୟ ଫୋନ୍ ରିସିଭ ନ କରିବାରୁ କୋୖଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.