ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ରେ ରେଣ୍ତୋମାଝୀ ମଞ୍ଚ ପରି ପାରବା ମଞ୍ଚରେ ମଧ୍ୟ ଚମତ୍କାର ପ୍ରଦର୍ଶନ ପରିଲକ୍ଷିତ ହୋଇଥିଲା । କଳାହାଣ୍ଡି ଜିଲ୍ଲା ଏବଂ ତତ୍ ସଙ୍ଗେସଙ୍ଗେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅନେକ କଳାକାର ଏହି ପାରବା ମଞ୍ଚରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ସମଗ୍ର ଲାଲ ବାହାଦୁର ଷ୍ଟାଡିୟମ ମୁଖରିତ ହୋଇ ଉଠିଥିଲା କଳାକାରମାନଙ୍କ ସୃଜନଶୀଳତାରେ । ମଞ୍ଚରେ ଶତାଧିକ କଳାକାର ଦମଦାର ପ୍ରଦର୍ଶନ କରିଥିଲେ।
କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୫ର ପ୍ରଥମ ସନ୍ଧ୍ୟାରେ ପାରବା ମଞ୍ଚର ଶୁଭ ଉଦଘାଟନ କଳାହାଣ୍ଡି ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶଙ୍କ କରକମଳରେ ହୋଇଥିଲା ଏବଂ ବୈଦ୍ୟରାଜ ପବିତ୍ର ଶବର ସମ୍ବର୍ଦ୍ଧିତ ହୋଇଥିଲେ। ଅନୁରୂପ ଭାବେ ପ୍ରେମ ମାଝୀ, ଜୟନ୍ତ କୁମାର ବେହେରା, ପ୍ରଭାସ କୁମାର ମିଶ୍ର ଇତ୍ୟାଦି ଖ୍ୟାତି ସଂପନ୍ନ ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କୁ ଦ୍ବିତୀୟ, ତୃତୀୟ ଏବଂ ଚତୁର୍ଥ ସନ୍ଧ୍ୟାରେ ସମ୍ବର୍ଦ୍ଧିତ କରାଯାଇଥିଲା।
ଦୀର୍ଘ ଚାରିଦିନର ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ୧୨ ହଜାରରୁ ଉର୍ଦ୍ଧ୍ଵ ଦର୍ଶକଙ୍କର ସମାଗମ ହୋଇଥିଲା। ଏପରିକି ପ୍ରତ୍ୟେକ ସନ୍ଧ୍ୟାରେ ୩୦୦୦ରୁ ଊର୍ଦ୍ଧ୍ୱ ଦର୍ଶକ ଉତ୍ସାହିତ ଭାବରେ କାର୍ଯ୍ୟକ୍ରମକୁ ଉପଭୋଗ କରୁଥିଲେ।
ଘୁମୁରା -୨୦୨୫ ଅବସରରେ ପାରବା ମଞ୍ଚରେ ସାଜସଜ୍ଜା, ମଞ୍ଚର ପରିଚାଳନା ଏବଂ ମଞ୍ଚର ଦାୟିତ୍ଵ ପ୍ରଗତି ଶିକ୍ଷା ନେଇଥିଲା । ଶିକ୍ଷାନୁଷ୍ଠାନର ସେକ୍ରେଟାରୀ ଇଂ. ଅଜୟ କୁମାର ପଣ୍ଡା, ଚେୟାରମେନ ସୁଶ୍ରୀ ସଙ୍ଗୀତା ପଣ୍ଡାଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳିତ ହୋଇଥିଲା। ଏକାଡେମୀକ ହେଡ ପ୍ରଣବ କୁମାର ପଣ୍ଡା, ପ୍ରଗତି କନସେପ୍ଟ ସ୍କୁଲର ଅଧ୍ୟକ୍ଷ ଚିନ୍ମୟ ଗୁରୁ, ପ୍ରଗତି ହାୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ଶେଷଦେବ ମୁଣ୍ଡ ପ୍ରମୁଖଙ୍କ ସହଯୋଗରେ ପାରବା ମଞ୍ଚରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା। ପ୍ରଗତି ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଗଣ ଶୃଙ୍ଖଳାର ସହ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଯେଉଁ ପ୍ରୟାସ କରିଥିଲେ ତାହା ବାସ୍ତବରେ ପ୍ରଶଂସନୀୟ।
ଏତଦବ୍ୟତୀତ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୫ର ଅନ୍ୟତମ ବିଶେଷ ଆକର୍ଷଣ ପାଲଟିଥିବା ପାରବା ମଞ୍ଚର ସାଜସଜ୍ଜାରେ ପ୍ରଗତି କନସେପ୍ଟ ସ୍କୁଲର ଆର୍ଟ ଶିକ୍ଷକ ମାନସ ପଣ୍ଡା, ଯୁବରାଜ ସାହୁ, ଶୁଭେନ୍ଦୁ ଶେଖର ସାହୁ ଏବଂ ଚିତ୍ତରଞ୍ଜନ ନନ୍ଦଙ୍କ ସିଦ୍ଧହସ୍ତତା ଏବଂ ଅପୂର୍ବ କାରିଗରୀ ବିଶେଷ ମନଲୋଭା ଥିଲା।