ଯୋଜନା ପରେ ଯୋଜନା, ଉଣା ହେଉନାହିଁ ବେଦନା : ଅଭିଶପ୍ତ ଜୀବନ ବଞ୍ଚୁଛନ୍ତି ଦୁଣ୍ଡା ଅଞ୍ଚଳବାସୀ

ଭତ୍ତା ଓ ପିଡିଏସ୍ ସାମଗ୍ରୀ ପାଇଁ ୧୦ କିମି ପାହାଡି ପାଦଚଲା ରାସ୍ତାରେ ଆସନ୍ତି ହିତାଧିକାରୀ, ରୋଗୀ ବୁହାହୁଅନ୍ତି ଖଟିଆରେ, ସବୁଦିନିଆ ରାସ୍ତା ପାଲଟିଛି ସାତ ସପନ

ଜୁନାଗଡ,୨୫/୭ : ଯୋଜନା ପରେ ଯୋଜନା ପାଣି ଫାଟୁଛି, ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ପାଣିପରି ବୋହି ଚାଲିଛି କିନ୍ତୁ ସାଧାରଣ ଜନତାର ଦୂଃଖ ଥମିବାର ନା ନେଉନାହିଁ । ଜଣେ ନାଗରିକ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ ଆଦି ମୌଳିକ ସୁବିଧା ଯୋଗାଇଦେବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ । କିନ୍ତୁ ସରକାର ନିଜ କର୍ତ୍ତବ୍ୟକୁ ଭୁଲି ଯାଉଥିବା ବେଳେ କଳାହାଣ୍ଡିର ଅନେକ ଅଞ୍ଚଳରେ ଛଟପଟ ହେଉଛନ୍ତି ଜନତା । ଏମାନଙ୍କ ଦୂଃଖ ଦୂର୍ଦଷାକୁ ସବୁ ସମୟରେ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ଜୁନାଗଡ ବ୍ଲକ ଦୁନ୍ଦେଲମାଲ ପଞ୍ଚାୟତ ଅଧିନସ୍ଥ ତଲଦୁଣ୍ଡା ଓ ଉପରଦୁଣ୍ଡା ଗାଁକୁ ରାସ୍ତାନାହିଁ । ବାରମ୍ବାର ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ପାଖରେ ଗୁହାରି କଲେ ମଧ୍ୟ ରାସ୍ତାଟିଏ ନିର୍ମାଣ ହୋଇପାରିଲା ନାହିଁ । ଭତ୍ତା ଓ ପିଡିଏସ ସାମଗ୍ରୀ ପାଇଁ ପ୍ରାୟ ୧୦ କିଲୋମିଟର ଜଙ୍ଗଲ ପାହାଡି ଚଲା ରାସ୍ତା ଦେଇ ପଞ୍ଚାୟତ କାର୍ଯ୍ୟାଳୟକୁ ବିପଦ ସଂକୁଳ ଅବସ୍ଥାରେ ଆସୁଛନ୍ତି ବୃଦ୍ଧବୃଦ୍ଧା, ମହିଳା ଓ ସାଧାରଣ ଜନତା । କର୍ଲାପାଟ ଅଭୟାରଣ୍ୟର ଏକ ପାହାଡ ଉପରୁ ତଳକୁ ଆସୁଥିବା ପାଦଚଲା ରାସ୍ତା ହିଁ ସେମାନଙ୍କ ପାଇଁ ଲାଇଫଲାଇନ ସାଜିଛି ।

ଏଠାରେ ସୂଚନା ଯୋଗ୍ୟଯେ, ଜୁନାଗଡ ବ୍ଲକ ଅନ୍ତର୍ଗତ ଦୁନ୍ଦେଲମାଲ ପଞ୍ଚାୟତର ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ତଳଦୁଣ୍ଡା ଓ ଉପରଦୁଣ୍ଡା ଗ୍ରାମରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଜନସଂଖ୍ୟା ବସତି ସ୍ଥାପନ କରିଛନ୍ତି । ଏହି ଦୁଇ ଗାଁରେ ପ୍ରାୟ ୧୫୦ ଜଣ ପରିବାର ସରକାରଙ୍କ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ସାମିଲ ଅଛନ୍ତି । ଜୁନାଗଡ ବ୍ଲକ କାର୍ଯ୍ୟାଳୟଠାରୁ ଏଠାକୁ ପ୍ରାୟ ୨୫ କିଲୋମିଟର ଦୁର ହୋଇଥିବାବେଳେ ଦୁନ୍ଦେଲମାଲ ପଞ୍ଚାୟତରୁ ୧୦କିମି ପଡିଥାଏ । ଦୁଣ୍ଡା ଗ୍ରାମରେ ଉପରଦୁଣ୍ଡା, ତଳ ଦୁଣ୍ଡା, ବସ୍ତିପଡା, ପୁଝାରୀ ପଡା, ଗୁମାଡଙ୍ଗରୀ ପଡା ଓ ଭୋଲିଆ ଘାଟି ପଡା ଆଦି ରହିଛି । ଏହି ଗାଁକୁ ଯିବାକୁ ବର୍ତ୍ତମାନ ସୁଦ୍ଧା ବି ଭଳ ରାସ୍ତା ଟିଏ ନାହିଁ । ଯଦି କେହି ଦୁଣ୍ଡା ଗ୍ରାମକୁ ଯିବାକୁ ହେଲେ ସେମାନେ ବାଙ୍କପଲାସ ପଞ୍ଚାୟତର ପୋଡପୋଡି ଠାରୁ ଭୋଲିଆଘାଟି ପାହାଡ ଚଢି ୪ କିମି ଆସିଲା ପରେ ଏହି ଗ୍ରାମ ପଡେ । ବିପଦ ସଂକୁଳ ପାହାଡ ଦେଇ ଗର୍ଭବତୀ ମହିଳା ଓ ରୋଗୀମାନଙ୍କୁ ଭାରରେ ବୋହି ତଳକୁ ଆଣିଥାନ୍ତି । ସେଠାରୁ ଗାଡିରେ ଜୁନାଗଡ ଡାକ୍ତରଖାନାକୁ ନେଇଥାନ୍ତି ।

ସେହିପରି ପିଡିଏସ ସାମଗ୍ରୀ ଓ ଭତ୍ତା ନେବା ପାଇଁ ଏଠାକାର ଜନସାଧାରଣ ଏହି ପାହାଡ ଦେଇ ପ୍ରାୟ ୧୦ କିମି ଦୁର ଦୁନ୍ଦେଲମାଲ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥାନ୍ତି । ବର୍ଷା ଦିନରେ ଦୁଣ୍ଡା ଗ୍ରାମ ଆରମ୍ଭରେ ପଡୁଥିବା ଡଙ୍ଗଜୋଡି ନାଳରେ ପାଣି ଚାଲୁଥିବାରୁ ସେହି ସମୟରେ ଏମାନେ ଜଳବନ୍ଦୀଭାବେ ଜୀବନ ଯାପନ କରିଥାନ୍ତି । ବୃଦ୍ଧ ଓ ବୃଦ୍ଧାମାନେ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଜୀବନକୁ ପାଣି ଛଡାଇ ୧୦ କିଲୋମିଟର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଭତ୍ତା ଆଣିଥାନ୍ତି । ଅତ୍ୟଧିକ ବାର୍ଦ୍ଧକ୍ୟ ତଥା ରୋଗାଗ୍ରସ୍ତ ହିତାଧିକାରୀମାନେ ବାର୍ଦ୍ଧକ୍ୟ ଭତ୍ତା‌ ଆଣିଯିବାକୁ ପାହାଡି ବିପଦ ସଂକୁଳ ରାସ୍ତାରେ ଯିବାକୁ ସକ୍ଷମ ହୋଇପାରନ୍ତି ନାହିଁ । ପିଡିଏସ ସାମଗ୍ରୀ ପାଇଁ ମଧ୍ୟ ବିପଦ ସଂକୁଳ ରାସ୍ତାରେ ଜୀବନକୁ ବାଜି ଲଗାଇ ରାସନ ଆଣିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥାନ୍ତି । ଅନେକ ସମୟରେ ପିଡିଏସ ସାମଗ୍ରୀ ଆଣି ଯିବାକୁ ସକ୍ଷମ ନହେବା ଯୋଗୁଁ ସରକାରୀ ଯୋଜନା ସେମାନଙ୍କ ପାଇଁ ଧର୍ମକୁ ଆଖିଠାର ସାଜେ । ତଥାପି ପାହାଡି ମୂଲକରେ ନିଜର ହକ ପାଇବାକୁ ବର୍ଷବର୍ଷ ଧରି ସରକାରୀ ଯୋଜନା ଅପେକ୍ଷାରେ ରହିଛନ୍ତି । ଯୋଗାଯୋଗ ପାଇଁ ରାସ୍ତା ନଥିବା ଯୋଗୁଁ ସେମାନଙ୍କ ବିକାଶ ପାଇଁ ବାଟ ଓଗାଳୁଛି ।

ବନ ବିଭାଗର ଅନୁମତି ଅଭାବ ଯୋଗୁଁ ଏଠାରେ ରାସ୍ତା ନିର୍ମାଣ ମରୀଚିକା ପାଲଟିଛି । ଅଧିକ ଭୋଟବ୍ୟାଙ୍କ ନଥିବା ଯୋଗୁଁ ରାଜନେତା ମାନେ ମଧ୍ୟ ଏହି ଅଞ୍ଚଳକୁ ଆଡଆଖିରେ ମଧ୍ୟ ଦେଖୁନାହାନ୍ତି । ତେଣୁ ପ୍ରତିମାସରେ ଅଧିକାରୀମାନେ ଏହି ଅଞ୍ଚଳପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଓ ପିଡିଏସ ସାମଗ୍ରୀ ବଣ୍ଟନ ନକରି ଗାଁରେ ପହଞ୍ଚାଇବା ପାଇଁ ଦୀର୍ଘଦିନରୁ ଦାବୀ କରିଆସୁଛନ୍ତି । ଯେଉଁଠି ରାସ୍ତାଟିଏ ନିର୍ମାଣ ହୋଇପାରିନାହିଁ ସେଠାରେ ବିକାଶର ପାଦଚିହ୍ନ ପଡିବ କେମିତି ? ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳପରି ଅନେକ ସମସ୍ୟାରେ ଜର୍ଜରିତ ହୋଇ ଉଠିଛି ଏହି ଅଞ୍ଚଳ । ଜୀବନଜୀବିକା ହୋଇଉଠିଛି ଦୂର୍ବିସହ । ସତେଅବା ଅଭିଶପ୍ତ ଜୀବନ ନିର୍ବାହ କରୁଛନ୍ତି ଏହି ଉପାନ୍ତ ଇଲାକାର ଜୀବନଯାତ୍ର । ପ୍ରଶ୍ନ ଉଠୁଛି ଏହି ମୂଳକର ଅବସ୍ଥା ପରିବର୍ତ୍ତନ କରିବା କ’ଣ ସରକାରଙ୍କ କର୍ତ୍ତବ୍ୟ ନୁହଁ ? ସାଂସଦ, ବିଧାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ଏଠି କରୁଛନ୍ତି କ’ଣ ? କାହିଁକି ଏମାନଙ୍କୁ ଅବହେଳିତ କରି ରଖାଯାଇଛି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି କଳାହାଣ୍ଡିର ସଚେତନ ନାଗରିକ ଓ ବୁଦ୍ଧିଜିବୀ । ତେବେ କିଏ ଦେବ ଏସବୁର ଉତ୍ତର, ଏଥିପାଇଁ ଦାୟୀ କିଏ ? କେବେ ସୁଧୁରିକ ଏହି ସ୍ଥାନର ଚିତ୍ର ? ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

ଜୁନାଗଡ ପ୍ରତିନିଧି ରାକେଶ ବେମାଲଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.