ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ତିନିଦିନିଆ ଆନ୍ତର୍ଜାତୀୟ ସଂସ୍କୃତି ଉତ୍ସବ ‘ଉନୁରୁମ’ ହେଲା ଉଦଯାପିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଆନ୍ତର୍ଜାତିକ ସାଂସ୍କୃତିକ ଉତ୍ସବ ‘ଉନୁରୁମ’ର ଶେଷ ଦିବସ ପାଳନ ସହ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏହି ତିନିଦିନିଆ ମହାଉତ୍ସବ ସଫଳତାର ସହ ଉଦଯାପିତ ହୋଇଯାଇଛି। ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହୋଇ ୩୧ ପର୍ଯ୍ୟନ୍ତ ପାଳିତ ହୋଇଥିବା ଅନନ୍ଯ ଆନ୍ତର୍ଜାତିକ ‘ଉନୁରୁମ’ ଉତ୍ସବ ଫକୀରମୋହନ ବିଶ୍ୱବିଦ୍ୟାଳୟର ଏକ ଅନନ୍ୟ ପ୍ରୟାସ ଯାହା କ୍ୟାମ୍ପସରେ ଭିନ୍ନ ଧରଣର ସାଂସ୍କୃତିକ ପରିବେଶ ତିଆରି କରିଥିଲା। ଏହି ତିନିଦିନ ଲୋକସଂସ୍କୃତି, ଲୋକକଳା ଓ ଲୋକନୃତ୍ଯ ସମ୍ଭାରର ସମିଶ୍ରଣ ଘଟିଥିଲା ।

ଉନୁରୁମର ତୃତୀୟ ସଂସ୍କରଣର ତୃତୀୟ ତଥା ଅନ୍ତିମ ଦିନରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ‘କାହାଣୀ ଉତ୍ସବ’ ଆୟୋଜିତ ହୋଇଥିଲା । ଏଥିରେ ଓଡିଶା ଓ ଆସାମର ୯ ଜଣ ବିଶିଷ୍ଟ କଥାକାର ଓ ଗାଳ୍ପିକ ଯୋଗ ଦେଇ ସ୍ବରଚିତ ଲୋକଗଳ୍ପ ପଠନ କରିଥିଲେ। କାହାଣୀକାର ଉଦୟ ନାରାୟଣ ଦାସ, ଡକ୍ଟର କବିତା ବାରିକ, ନିରଞ୍ଜନ ଖୁଣ୍ଟିଆ, ଡକ୍ଟର ବର୍ଣ୍ଣାଳୀ ଡେକା, ଡକ୍ଟର ଭାଗବତ ଦାସ, ରବି ପଣ୍ଡା, ଡକ୍ଟର ଶିରୀଶ ଚନ୍ଦ୍ର ଜେନା, ସୈରିନ୍ଧ୍ରୀ ସାହୁ, ହେମେନ୍ଦ୍ର ମହାପାତ୍ର ପ୍ରମୁଖ ଏଥିରେ ଯୋଗ ଦେଇ ଲୋକକଥା, ଜନଜାତିଙ୍କ କାହାଣୀ ଓ ପୁରାତନ ଲୋକକାହାଣୀକୁ ଭିତ୍ତି କରି ଭିନ୍ନ ସ୍ବାଦର ଗଳ୍ପ ପରିବେଷଣ କରିଥିଲେ। ଏହି ଅବସରରେ କୁଳପତି ଆମନ୍ତ୍ରିତ ଗାଳ୍ପିକ ଗଣଙ୍କୁ ସମ୍ମାନିତ କରିବା ସହ ଗଳ୍ପ ଲେଖିବା ଓ କହି ଶୁଣାଇବା ଆମ ସଂସ୍କୃତିର ଏକ ଅଂଶ ବୋଲି ଉଲ୍ଲେଖ କହିଥିଲେ। ଭାଷା ଓ ସାହିତ୍ୟ ବିଭାଗର ମୁଖ୍ଯ ପ୍ରଫେସର ଦେବାଶିଷ ପାତ୍ର କାହାଣୀ ଉତ୍ସବର ସଂଚାଳନ କରିବା ସହ ନିଜ ଲିଖିତ ଗଳ୍ପ ପାଠ କରିଥିଲେ।ସଂଧ୍ୟାକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଉଦଯାପନୀ ସମାରୋହରେ କେନ୍ଦୁଝରରୁ ଆସିଥିବା ଅଲେଖ ମହିମା ଖଞ୍ଜଣୀ ଦଳର କଳାକାରଙ୍କ ଦ୍ବାରା ଖଞ୍ଜଣୀ ଭଜନ ଗାନ କରିଥିଲେ।

ଏଥିସହ ଶ୍ରୀଲଙ୍କାରୁ ଆମନ୍ତ୍ରିତ ଚାନ୍ଦିନୀ କସ୍ତୁରୀ ଓ ଦଳଙ୍କ ଦ୍ବାରା ଭାରତନାଟ୍ୟମ, କଳାହାଣ୍ଡିର କର୍ତ୍ତବ୍ଯ ଘୁମୁରା ନୃତ୍ଯାନୁଷ୍ଠାନ ଦ୍ବାରା ଘୁମୁରା ନାଚ, ଫକୀରମୋହନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ନାଗାଲାଣ୍ଡର ଲୋଥା ଲୋକନୃତ୍ଯ ଓ ସମ୍ବଲପୁରୀ ନୃତ୍ଯ, ପଶ୍ଚିମବଙ୍ଗର ହଳଦିବାରି କଲେଜର ମାଇମ୍ ଥିଏଟର ଗ୍ରୁପ ଦ୍ବାରା ମାଇମ୍ ନାଟକ ଆର୍ଟ, ଆସାମର କାମରୂପ କଲେଜର ଛାତ୍ରଛାତ୍ରୀଙ୍କ ଦ୍ବାରା ବିହୁ ନୃତ୍ଯ ଓ ଝୁମର ନୃତ୍ଯ ଆଦି ବିଭିନ୍ନ ପ୍ରକାରର ଚିତ୍ତାକର୍ଷକ ନୃତ୍ଯମାନ ପରିବେଷଣ କରାଯାଇଥିଲା।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ବର ସ୍ଥିତ ଆଇ.ଏମ.ଆଇ. ଶିକ୍ଷାନୁଷ୍ଠାନର ଡିନ୍ ପ୍ରଫେସର ସୁପ୍ରିତୀ ମିଶ୍ର ଯୋଗଦେଇ ନିଜର ଉଦବୋଧନ ପ୍ରଦାନ କରିବା ସହ ଏହି କାର୍ଯ୍ୟକ୍ରମର ଆଭିମୁଖ୍ଯକୁ ପ୍ରଶଂସା କରିଥିଲେ। ଉତ୍ସବରେ ତିନିଦିନବ୍ୟାପୀ ଚାଲିଥିବା ଫୋଟଚିତ୍ର ତଥା ଚିତ୍ରକଳା ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ସମସ୍ତ ଚିତ୍ରଶିଳ୍ପୀ ତଥା ନୃତ୍ୟଶିଳ୍ପୀମାନଙ୍କୁ ପ୍ରଫେସର ସୁପ୍ରିତୀ ମିଶ୍ର ଓ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସମ୍ମାନିତ କରିଥିଲେ।

ବିଶ୍ବବିଦ୍ୟାଳୟ ଏନଏସଏସର ସମସ୍ତ ସ୍ବେଚ୍ଛାସେବୀଙ୍କ ତିନିଦିନର ନିରବିଚ୍ଛିନ୍ନ ସେବାକୁ କୁଳପତି, କୁଳସଚିବ ଓ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ପ୍ରଶଂସା କରିବା ସହ ଏନଏସଏସର ସଂଯୋଜକ ଡକ୍ଟର ପ୍ରତିମା ପ୍ରଧାନଙ୍କୁ ସମ୍ମାନିତ କରିଥିଲେ। ଏହାସହିତ ଏହି ଆନ୍ତର୍ଜାତିକ କଳା, ସଂସ୍କୃତି ଓ ସାହିତ୍ୟର ପ୍ରତୀକ ‘ଉନୁରୁମ’ ଉତ୍ସବର ସଫଳ ରୂପାୟନକୁ ନେଇ କୁଳପତି ପ୍ରଫେସର ତ୍ରିପାଠୀ କାର୍ଯ୍ୟକ୍ରମର ସଂଯୋଜକ, ଆୟୋଜକ ଓ ସମସ୍ତଙ୍କ ମହତ୍ବପୂର୍ଣ୍ଣ ଯୋଗଦାନ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.