ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବାତେରଲିମା ପଞ୍ଚାୟତ ସ୍ଥିତ ବାଣୀପଙ୍ଗା ଏସଏସଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଖେଳ ଶିକ୍ଷକ ସହିତ ଦୁଇ ଜଣ ଶିକ୍ଷୟତ୍ରୀ ସ୍କୁଲକୁ ନିୟମିତ ଆସୁ ନଥିବା ନେଇ ବାତେରଲିମା ପଞ୍ଚାୟତ ସରପଞ୍ଚ ଦୀର୍ଘ ୩ ମାସ ଧରୀ ଅଭିଯୋଗ କରି ଆସୁଥିଲେ। ଠିକ୍ ଏହି ସମୟରେ ଗତ ଚଳିତ ମାସ ୨୯ତାରିଖ ଗୁରୁବାର ଦିନ ପୂର୍ବାହ୍ନ ୧୦ଘଣ୍ଟା ସମୟରେ ଆସିବା ବଦଳରେ ୧୧ଘଣ୍ଟା ସମୟରେ ଆସୁଥିବା ଜାଣି ପାରି ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍କୁଲକୁ ପହଞ୍ଚୁ ଥିବା ପୂର୍ବରୁ ସରପଞ୍ଚ ଶ୍ରୀ ମାଝୀ ବିଦ୍ୟାଳୟ ମୁଖ୍ୟ ଫଟକରେ ରହି ଉକ୍ତ ୩ ଶିକ୍ଷକ,ଶିକ୍ଷୟତ୍ରୀ ସ୍କୁଲକୁ ଆସୁଥିବା ଅପେକ୍ଷା କରି ରହିଥିଲେ। ଠିକ ଏହି ସମୟରେ ଉକ୍ତ ଦିନ ୧୧ଘଣ୍ଟା ସମୟରେ ଶିକ୍ଷକ, ଶିକ୍ଷୟତ୍ରୀ ଆସୁଥିବା ଦେଖି ପ୍ରମାଣ ସଂଗ୍ରହ ପାଇଁ ଭିଡିଓ ଉତ୍ତଳନ କରିଥିବା ବେଳେ ଖେଳ ଶିକ୍ଷକ ବିଜୟ କୁମାର ଭୋଇ ଉତ୍ୟକ୍ତ ହୋଇ ସରପଞ୍ଚ ଶ୍ରୀ ମାଝୀଙ୍କୁ ଗାଳିଗୁଲଜ କରିବା ସହିତ ମୋବାଇଲ ଓ ବାଇକ ଛଡାଇ ନେଇ ସ୍କୁଲ ଭିତରେ ଭର୍ତି କରିଦେଇ ଦେଇଥିଲେ। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଗତ କାଲି ୩୧ତାରିଖ ଶୁକ୍ରବାର ଅପରାହ୍ନ ୩ଘଣ୍ଟା ସମୟରେ ସ୍କୁଲର ଛାତ୍ରୀ ମାନଙ୍କୁ ପ୍ରବର୍ତ୍ତାଇ ସରପଞ୍ଚ କରୁଣା ମାଝୀଙ୍କ ବିରୋଧରେ ବିଭିନ୍ନ ପ୍ରକାର କଟୁ ମନ୍ତବ୍ୟ ସହିତ ସ୍ଲୋଗାନ ଦେଇ ବାଣୀପଙ୍ଗା ଛାତ୍ରୀ ଆବାସିକ ବିଦ୍ୟାଳୟ ଠାରୁ ଦୀର୍ଘ ୧୦ କିଲୋମିଟର ଚଲାଇ ନେଇ ସରପଞ୍ଚଙ୍କ ନାମରେ ଏତେଲା ଦେବା ପାଇଁ ଯାଉଥିଲେ। ଏହି ସମୟରେ ଚାଲିଯାଉଥିବା ଛାତ୍ରୀ ଓ ଶିକ୍ଷକଙ୍କ ଭିଡିଓ ଭାଇରଲ ହେବା ପରେ ଅଭିଭାବକ ତଥା ବୁଦ୍ଧିଜୀବୀ ମହୋଳରେ ଚର୍ଚ୍ଚାର ବିଷୟରେ ପାଲଟିଥିଲା। ଭିଡିଓ ଭାଇରଲ ହେବା ଖବର ପାଇ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପଙ୍କଜ ବଳିଆର ସିଂ ବାଣୀପଙ୍ଗା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଏହା ଉପରେ ଅବଗତ କରାଇଥିଲେ। ପରେ ପ୍ରଧାନ ଶିକ୍ଷକ ଖେଳ ଶିକ୍ଷକଙ୍କୁ ଖବର ଦେଇ ସମସ୍ତ ଛାତ୍ରୀ ମାନଙ୍କୁ ସ୍କୁଲକୁ ଫେରାଇ ଆଣିବା ପାଇଁ ସୂଚନା ଦେବା ପରେ ଖେଳ ଶିକ୍ଷକ ଭୟଭୀତ ହୋଇ ସମସ୍ତ ଛାତ୍ରୀ ମାନଙ୍କ ସହ ସ୍କୁଲକୁ ପ୍ରତ୍ୟାବର୍ତନ କରିଥିଲେ। ଦୀର୍ଘ ୧୦କିଲୋମିଟର ଚାଲିଥିବା ଛାତ୍ରୀ ମାନଙ୍କ ଅଭିଭାବକ ମାନେ ଏହାକୁ ଦୃଢ଼ ନିନ୍ଦା କରି ଆଜି ବିଦ୍ୟାଳୟର ମୁଖ୍ୟ ଫାଟକରେ ଧାରଣାରେ ବସିଥିଲେ। ଏହାର ସୂଚନା ପାଇ ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଜାମୀ କହଁର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଜାନକୀ ବଲ୍ଳଭ ସାମନ୍ତରାୟ, ଲାଞ୍ଜିଗଡ ଗୋଷ୍ଟି ଉନ୍ନୟନ ଅଧିକାରୀ ଶଶାଙ୍କ ପାତ୍ର, ଲାଞ୍ଜିଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପଙ୍କଜ ବଳିଆର ସିଂ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ ଏବଂ ଲାଞ୍ଜିଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ଏବଂ ବାତେରଲିମା ସରପଞ୍ଚ କରୁଣା ମାଝୀଙ୍କ ସହିତ ଏହା ଉପରେ ଆଲୋଚନା କରିଥିଲେ। ଆଲୋଚନା ପରେ ମଧ୍ୟ୍ୟ କୌଣସି ସମାଧାନର ପନ୍ଥା ଅବଲମ୍ବନ ହୋଇ ନଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ଧାରଣା ସ୍ଥଳରେ ପହଞ୍ଚି ପ୍ରତିକ୍ରିୟା ଦେଇଥିବା ବେଳେ ତାଙ୍କ ପ୍ରତକ୍ରିୟାରେ ଅସନ୍ତୋଷ ହୋଇ ଖେଳ ଶିକ୍ଷକ ହାଏ ହାଏ ଖେଳ ଶିକ୍ଷକଙ୍କ ବଦଳି ଆମର ଦାବି ନାରା ଦେଇ ଅସନ୍ତୋଷ ପ୍ରଦର୍ଶନ କରିଥିଲେ। ଏଥିରେ ବାତେରଲିମା ସରପଞ୍ଚ କରୁଣା ମାଝୀ, ଛତ୍ରପୁର ପଞ୍ଚାୟତ ସରପଞ୍ଚ ସୁଷମା ମାଝୀଙ୍କ ସମେତ ଅଞ୍ଚଳର ଅଭିଭାବକ ଏବଂ ଗ୍ରାମ ପଞ୍ଚାୟତ ଅଞ୍ଚଳର ଜନସାଧାଣ ଧାରଣାରେ ସାମିଲ ହୋଇଥିଲେ। ତେବେ ଦିର୍ଘ ସମୟ ପରେ ଖେଳ ଶିକ୍ଷକ ଶ୍ରୀ ଭୋଇ ଭୁଲ ମାଗିବା ପରେ ଧାରଣା ସ୍ବାଭାବିକ ହୋଇଥିବା ଜଣାପଡ଼ିଛି।