ନର୍ଲାରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଖୋର୍ଦ୍ଧାରୁ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ବ୍ଲକରେ ଏହା ସମନ୍ତରାଳ ଭାବେ ଆୟୋଜିତ ହୋଇଥିଲା। ଏହି କ୍ରମରେ ନର୍ଲା ବ୍ଲକ ପରିସରରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ବିଡ଼ିଓ ବିପିନ ବିହାରୀ ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ ଓ ଲିଲି ଦୀପ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ବରିଷ୍ଠ ବିଜେପି ନେତା ଅନିରୁଦ୍ଧ ପଧାନ, ରାଜୀବ ଲୋଚନ ପୋଢ, ବ୍ଲକର ଅନେକ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ବ୍ଲକର ୨୬ ଗୋଟି ପଞ୍ଚାୟତର ସିଆରପି, ଏମବିକେ, ସ୍ବୟଂ ସହାୟିକ ଗୋଷ୍ଠୀର ମହିଳା ଓ ଜନସାଧାରଣ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

ଏଠାରେ ପ୍ରକାଶଯୋଗ୍ୟ ଯେ, ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ପୂର୍ବରୁ ରାଜ୍ୟ ସରକାର ବିସ୍ତୃତ ମାର୍ଗଦର୍ଶିକା ଜାରି କରିସାରିଛନ୍ତି। ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇଛି। ଫେବ୍ରୁଆରୀ ମାସ ୧୫ ତାରିଖ ସୁଦ୍ଧା ପ୍ରତି ଗାଁ ସେହି ଅନୁସାରେ ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରି ପଠାଇବାକୁ କୁହାଯାଇଛି। ୨୦୨୪-୨୫ରେ ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ଓଡ଼ିଶା ସରକାର ବଜେଟ୍‌ରେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି। ନୂଆ ମାର୍ଗଦର୍ଶିକା ମୁତାବକ ଏହି ଟଙ୍କାକୁ ପ୍ରତି ପଞ୍ଚାୟତକୁ ଆବଣ୍ଟନ କରାଯିବ। ନୂଆ ବ୍ୟବସ୍ଥା ଅନୁସାରେ ପଛୁଆ ବା ଆଦିବାସୀ ବହୁଳ ଅଞ୍ଚଳକୁ ଏହି ଯୋଜନାରେ ସର୍ବାଧିକ ପ୍ରାଥମିକତା ଦିଆଯିବ। ଏଥି ପାଇଁ ମୋଟ ପାଣ୍ଠିର ୪୦ ପ୍ରତିଶତ ବା ୪୦୦ କୋଟି କେବଳ ଆଇଟିଡିଏ ବା ଇଣ୍ଟିଗ୍ରେଟେଡ୍ ଟ୍ରାଇବାଲ ଡେଭଲପମେଣ୍ଟ ଏଜେନ୍ସି ଅଧୀନରେ ଥିବା ବ୍ଲକ୍‌ରେ ବ୍ଲକ୍‌ରେ ଖର୍ଚ୍ଚ ହେବ।

ରାଜ୍ୟର ମୋଟ ୩୧୪ ବ୍ଳକ୍ ଭିତରୁ ୧୨୧ଟି ବ୍ଳକ୍ ଆଇଟିଡିଏ ଅଧୀନରେ ଆସୁଛି। ଏ ସବୁ ଅଞ୍ଚଳର ବିକାଶକୁ ସରକାର ଅଧିକ ଗୁରୁତ୍ବ ଦେବେ। ବାକି ୧୯୩ଟି ବ୍ଲକରେ ଥିବା ପଞ୍ଚାୟତକୁ ୬୦୦ କୋଟି ଟଙ୍କାର ପାଣ୍ଠି ଆବଣ୍ଟନ ହେବ। ପ୍ରତି ଗାଁରେ ଭଲ ରାସ୍ତା ନିର୍ମାଣ ପାଇଁ ଟଙ୍କା ଦିଆଯିବ। ଗାଁରେ ବ୍ଲକ ଟପ୍ ରୋଡ୍, କଂକ୍ରିଟ୍ ରୋଡ଼ ଓ ପେଭର ବ୍ଲକ ରାସ୍ତା ତିଆରି ହେବ। ଆବଶ୍ୟକ ସ୍ଥାନରେ ଡ୍ରେନ୍ ବି ନିର୍ମାଣ ହେବ। ଏହାସହ ଆହୁରି ଅନେକ ପ୍ରକାର ଉନ୍ନତି ପାଇଁ ଯୋଜନା ରଖାଯାଇଛି। ସବୁ ପଞ୍ଚାୟତ ଗ୍ରାମସଭା ଡାକି ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା ପାଇଁ ପ୍ରକଳ୍ପ ଚୟନ କରିବେ। ଗ୍ରାମସଭାରେ ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରାଯିବ।

ଫେବ୍ରୁଆରୀ ୧୪ ସୁଦ୍ଧା ଗ୍ରାମସଭାରେ ପ୍ରକଳ୍ପ ତାଲିକା ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ପଞ୍ଚାୟତ ୧୫ ତାରିଖରେ ବ୍ଲକରେ ଏହି ପ୍ରକଳ୍ପ ତାଲିକା ଦାଖଲ କରିବେ। ୧୮ ତାରିଖ ସୁଦ୍ଧା ପଞ୍ଚାୟତ ସମିତିର ଟେକ୍ନିକାଲ କମିଟି ଏହାକୁ ଯଞ୍ଚ ସାରିବ। ୨୦ ତାରିଖ ସୁଦ୍ଧା ଏହାକୁ ଜିଲ୍ଲାପାଳଙ୍କ ପାଖକୁ ପଠଯିବ। ଜିଲ୍ଲାପାଳ ପ୍ରକଳ୍ପର ଅନୁମୋଦନ ଦେବା ପରେ ଏହି କାମ ଆଗେଇବ ବୋଲି ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.