ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ଗ୍ରାମ ପଞ୍ଚାୟତର ଲାଖଗୁଡା ଗ୍ରାମରେ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ନବ ନିର୍ମିତ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତ ୬/୨ ଗୁରୁବାର ଦିନ ଏଥିପାଇଁ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୭/୨ ପଞ୍ଚକର୍ମ, ସୂର୍ଯ୍ୟପୂଜା, ବନାଯୋଗ ଓ ଅଗ୍ନି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିଭଳି ୮/୨ ଶନିବାର ଦିନ ଶାଳାପୂଜା, ଦେବତା ସ୍ନାନ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରବିବାର ଅନ୍ତିମ ଦିବସ ମାଘ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ସୂର୍ଯ୍ୟପୂଜା, ଦେବତା ନ୍ୟାସ ଓ ରତ୍ନମୁଦ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ଲାଖଗୁଡା ଗ୍ରାମବାସୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଖପାଖର ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଚାରିଦିନ ଧରି ସକାଳୁ ସଂଧ୍ୟାଯାଏଁ ଅନବରତ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶ ମଧ୍ୟରେ ଚାଲିଥିଲା । ରତ୍ନମୁଦ ପଡିବା ପରେ ସଂକୀର୍ତ୍ତନ ମଣ୍ଡଳୀ ସହ ଗ୍ରାମବାସୀ ନଗର ପରିକ୍ରମା କରିଥିଲେ । ଏଥିରେ ମୁଖ୍ୟ ପୂଜକ ଭାବରେ ଆଲୋକ ନନ୍ଦ ଶର୍ମା, ଆଚାର୍ଯ୍ୟ ତପନ କୁମାର ଦାସ, ପ୍ରଶାନ୍ତ କୁମାର ପ୍ରହରାଜ, କେଶବ ଚନ୍ଦ୍ର ଦାସ, ଗୋକୁଳାନନ୍ଦ ଦାସ ପ୍ରମୁଖ ପଣ୍ଡିତ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ । ମନ୍ଦିର ନିର୍ମାତା ଶିଳ୍ପି ଅସୁରଗଡ ଗ୍ରାମର ଗୌରଚନ୍ଦ୍ର ମହାରଣାଙ୍କୁ ସ୍ୱତନ୍ତ୍ର ଭାବରେ ବିଶ୍ୱକର୍ମା ଭାବରେ ସମ୍ମାନ ପ୍ରଦାନ କରାଯାଇଥିଲା । ପୂଜା କର୍ତ୍ତା ଭାବରେ ଲାଖଗୁଡା ଗ୍ରାମର ପ୍ରମିଳା ଭୋଇ ଓ ସନ୍ତୋଷ ଭୋଇ, ସୀତା ଭୋଇ ଓ ବିପିନ ଭୋଇ, ତନୟା ଭୋଇ ଓ ବସନ୍ତ ଭୋଇ, ନୀରୁପମା ଭୋଇ ଓ ପ୍ରମୋଦ ଭୋଇ, ଜ୍ୟୋତ୍ସ୍ନା ଭୋଇ ଓ ସନ୍ତୋଷ ଭୋଇ ପାଞ୍ଚ ଯୋଡି ଦମ୍ପତି ପୂଜନ ସହିତ ଘୃତାହୁତି ପ୍ରଦାନ କରିଥିଲେ । ଏଥିରେ ସଂଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ପୁରୀ ଜିଲ୍ଲାର ପ୍ରବଚକ ଗୁରୁ ଶ୍ରୀ ଆଲୋକ ନନ୍ଦ ଶର୍ମା ଓ କଳାହାଣ୍ଡି ବଡଡୁଙ୍ଗୁରିଗୁଡାର ଦୁର୍ଗା ପ୍ରସାଦ ମିଶ୍ର ଜଗନ୍ନାଥ କତାମୃତ ଓ ରାମାୟଣ କଥାସାର ଶୁଣାଇଥିଲେ । ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି ଲାଖଗୁଡା ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ।