ବାଲେଶ୍ଵର ଉପକୂଳରେ ସଚେତନତା ଅଭାବରୁ ମରୁଛନ୍ତି ଶହଶହ ନୀଳରକ୍ତ କଙ୍କଡ଼ା
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବିଶ୍ବର ବିରଳ ଓ ବିସ୍ମୟ ନୀଳରକ୍ତ କଙ୍କଡ଼ା ଶହ ଶହ ସଂଖ୍ୟାରେ ମରୁଛନ୍ତି ଜନ ସଚେତନତା ଅଭାବରୁ। ଏଥିପାଇଁ ପ୍ରଶାସକ କିମ୍ବା ରାଜନେତାଙ୍କ ତରଫରୁ କୌଣସି ପଦେକ୍ଷପ ନିଆ ଯାଉନାହିଁ। ମତ୍ସ୍ୟଜୀବୀମାନେ ଅବାଧରେ ସମୁଦ୍ର ଭିତରେ କିମ୍ବା ନଦୀ ମୁହାଣ ମାନଙ୍କରେ ପରିତ୍ୟକ୍ତ ଛିଣ୍ଡା ଜାଲ ପକାଇ ଦେବାରୁ କୂଳକୁ ଅଣ୍ଡା ଦେବାକୁ ଆସୁଥିବା ନୀଳରକ୍ତ କଙ୍କଡ଼ା ଛନ୍ଦି ହୋଇ ମରି ଯାଉଛନ୍ତି। ମୁହାଣ ମୁହଁରେ କୁଢ଼ କୁଢ଼ ହୋଇ ମରି ପଡିଥିବାର ଦେଖିବାକୁ ମିଳୁଛି।
ଆଜି ଗୁରୁ ଜୁଆରକୁ ଲକ୍ଷ୍ୟ କରି ବାଲେଶ୍ଵରର ନୀଳରକ୍ତ କଙ୍କଡ଼ା ଓ ସାମୁଦ୍ରିକ ଜୈବ୍ୟ ସୁରକ୍ଷା ମଞ୍ଚ, ଆସୋସିଏସନ୍ ଫର ବାଇଓ ଡାଇଭରସିଟି କଞ୍ଜର୍ଭେସନ (ଏବିସି ) ଆରଣ୍ୟକ, ମୁନ୍ କମ୍ୟୁନିକେସନ ସହ କିଛି ଗ୍ରାମବାସୀଙ୍କ ସହଯୋଗରେ ରେମୁଣା ବ୍ଲକର ଗୁଡୁପାହି ପଞ୍ଚାୟତର ମହିଶାଳୀ ନଦୀ ମୁହାଣରେ ଠାଏଁ ଠାଏଁ ବାଲିରେ ପୋତି ରହିଥିବା ପରିତ୍ୟକ୍ତ ଓ ଛିଣ୍ଡା ଜାଲକୁ କୋଦାଳରେ ଖୋଳି ବାହାର କରିଥିଲେ। ଭାସୁଥିବା ଛିଣ୍ଡା ଜାଲକୁ ସଂଗ୍ରହ କରି ଉଚ୍ଚ ସ୍ଥଳଭାଗରେ ଠୁଳ କରି ରଖିଥିଲେ। ସ୍ଥାନୀୟ ଦୋକାନୀ ଓ ଗ୍ରାମବାସୀ ମାନଙ୍କୁ ନୀଳରକ୍ତ କଙ୍କଡ଼ାର ଉପକାରିତା ଓ ସୁରକ୍ଷା ବିଷୟରେ ସଚେତନ କରାଇ ଥିଲେ।
ଏହି ଅଭିଯାନରେ ମୁନ୍ କମ୍ୟୁନିକେସନର ଅବନୀ କୁମାର ଜେନା, ନୀଳରକ୍ତ କଙ୍କଡ଼ା ସୁରକ୍ଷା ମଞ୍ଚର ସଭାପତି ଶିଳ୍ପୀ କେଶୁଦାସ, ଆସୋସିଏସନ୍ ଫର ବାଇଓ ଡାଇଭରସିଟି କଞ୍ଜର୍ଭେସନର ସଭାପତି ଡ଼ ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ, ଫକୀରମୋହନ ବିଶ୍ବବିଦ୍ୟାଳୟର ନୀଳରକ୍ତ କଙ୍କଡ଼ାର ଗବେଷିକା ଉପାସନା ପଟ୍ଟନାୟକ, ପ୍ରୋଜେକ୍ଟ ଫେଲୋ ଶୁଭମ୍ କାନୁନଗୋ, ‘ଆରଣ୍ୟକ’ର ସୁଧାକର ସେଠୀ, ସ୍ଥାନୀୟ ମୁନ୍ କମ୍ୟୁନିକେସନ୍ ସଭ୍ୟ ଶ୍ରୀ ଜଳଧର ବେହେରା, ଶ୍ରୀ ଲକ୍ଷ୍ମୀଧର ଜେନା, ଶ୍ରୀ କରୁଣାକର ଜେନା, ଶ୍ରୀ ମାଗୁଣି ଚରଣ ଦାସ ତଥା ଗୁଡ଼ୁପାହି ମତ୍ସ୍ୟଜୀବୀ କମୁନିଟି ଶ୍ରୀ ବସନ୍ତ ବର୍ମନ, ଶ୍ରୀ ଯୁଧିଷ୍ଠିର ମଣ୍ଡଳ, ଶ୍ରୀ ମକରା ସୋରେନ, ଶ୍ରୀ ହାରୁ ମାଈତି, ଶ୍ରୀ ଅର୍ଜୁନ ରାଉଳ ପ୍ରମୁଖ ଯୋଗ ଦେଇଥିଲେ।
ଗଣତି ଅନୁଯାୟୀ ୯ଟି ଛିଣ୍ଡା ଜାଲ ଗଦାରୁ ପୁରୁଷ କଙ୍କଡ଼ା ଖୋଳ ୧୦୫ ଓ ସ୍ତ୍ରୀ କଙ୍କଡ଼ା ଖୋଳ ୯୦ ଟି ମିଳିଥିଲା। ଓଡିଶାର ଅନ୍ୟ ନଦୀ ମୁହାଣ ମାନଙ୍କରେ ବହୁ ମୃତ ନୀଳରକ୍ତ କଙ୍କଡ଼ା ପଡ଼ିଥିବାର ଅନୁମାନ ମଧ୍ୟ କରାଯାଏ।
ଶିଳ୍ପୀ କେଶୁଦାସ ଅଭିଯୋଗ କରନ୍ତି ଯେ ନୀଳରକ୍ତ କଙ୍କଡ଼ା ସୁରକ୍ଷାର ସଚେତନତା ପାଇଁ ପ୍ରଶାସନ ତରଫରୁ କୌଣସି ପଦେକ୍ଷପ ଗ୍ରହଣ କରାଯାଉ ନାହିଁ। ଆମେ ଅନେକ ଥର ପ୍ରଶାସନ ଓ ରାଜନେତାଙ୍କୁ ଆବେଦନ କଲେ ମଧ୍ୟ ସମସ୍ତେ କୁମ୍ଭକର୍ଣ୍ଣ ସାଜି ବସିଛନ୍ତି। ସମସ୍ତେ ଆନ୍ତରିକ ସହଯୋଗ ନ କଲେ ଆମ ନଦୀ ମୁହାଣରୁ ବିରଳ ନୀଳରକ୍ତ କଙ୍କଡ଼ା ବିଲୁପ୍ତ ହୋଇଯିବ ବୋଲି ସେ ଚେତାବନୀ ଦେଇଛନ୍ତି।