ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଠାରେ ସୋମବାର ମାର୍ଚ୍ଚ ୧୭ ତାରିଖରେ ଅନୁଷ୍ଠିତ ହୋଇଛି ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର। ଶିବିରରେ ୪୨ ଜଣ ଅଭିଯୋଗକାରୀ ସେମାନଙ୍କ ନାମ ପଞ୍ଜିକୃତ କରିଥିବାବେଳେ ଆରଏଚ, ପେନସନ ଓ ଅନ୍ୟାନ୍ୟ ସମସ୍ୟା ଗୁଡିକ ଉପରେ ଅଭିଯୋଗ କାରୀ ଅଭିଯୋଗ କରିଥିବା ଜଣା ପଡ଼ିଛି। ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କ ଉପସ୍ଥିତିରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। ନର୍ଲା ବିଡ଼ିଓ ବିପିନବିହାରୀ ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପ୍ରକାଶ ପାୱାର, ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା, କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା ପ୍ରମୁଖ ମଞ୍ଚାସୀନ ରହି ଅଭିଯୋଗ ସବୁ ଶୁଣିଥିଲେ। ଅନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂ, ଆଇ ଆଇ ସି ସର୍ବେଶ୍ୱର ସାମନ୍ତରାୟ, ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ଟାଟା ପାୱାର ଏସଡିଓ କମଲେଶ ପଧାନ , ବିଇଓ ତପିମଣି ଜାନି, ସିଡ଼ିପିଓ ଅଞ୍ଜଳି ପଟ୍ଟନାୟକଙ୍କ ସମେତ ଅନ୍ୟ ଲାଇନ ବିଭାଗ ଗୁଡିକର ଅଧିକାରୀ ନର୍ଲା ରେଞ୍ଜର, ଫରେଷ୍ଟର ଭବାନୀ ନାଏକ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଆସିଥିବା ବିଷୟ ଗୁଡିକର ତଥ୍ୟ ପ୍ରଦାନ କରିଥିଲେ। ବିଶେଷ କରି ମାଣ୍ଡେଲ ଗ୍ରାମ ପଞ୍ଚାୟତର କିମ୍ୱଦନ୍ତୀ ସ୍ଥଳ ଅସୁରଗଡ ସାଗର ଏକ ଗୁଳ୍ମ ଜାତୀୟ ଦଳରେ ପରିପୂର୍ଣ୍ଣ ହୋଇଯାଇଥିବାରୁ ଏହା ବ୍ୟବହାର ଯୋଗ୍ୟ ହୋଇ ପାରୁନି। ଏହା ଏକ ଖେଳ ପଡିଆ ର ଭ୍ରମ ସୃଷ୍ଟି କରୁଛି। ଏହାର ପାଣି ବ୍ୟବହାର ହୋଇ ପାରୁନି। ଏଣୁ ପାଣି ଅସୁରଗଡ ଜନସାଧାରଣ ଏଥିପାଇଁ ବହୁତ ହଇରାଣ ହେଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ। ସେହିଭଳି ସେରଗଡରେ ପିଡବ୍ଲୁ ବିଭାଗ ରାସ୍ତାକାମ ସମୟରେ ଆରଡବ୍ଲୁ ଏସ ଏସ ବିଭାଗ ତରଫରୁ ପାନୀୟ ଜଳ ଯୋଗାଣ ଚାଲିଥିବା ପାଇପଲାଇନକୁ ଭାଙ୍ଗି ଦେଇଥିବା ଯୋଗୁଁ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବା ହେତୁ ଲୋକେ ତିନିମାସ ହେଲା ପିଇବା ପାଣି ପାଇ ପାରୁ ନାହାଁନ୍ତି। ଏଣୁ ସ୍ଥାନୀୟ ଗ୍ରାମବାସୀ ଏହାର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ବିଭାଗୀୟ ଅଧିକାରୀଙ୍କୁ ଡାକି ଜିଲ୍ଲାପାଳ ଏସବୁର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଯନ୍ତ୍ରୀ ଆଲୋକ ନାୟକ, ବିଏସଏସଓ ପ୍ରଦୀପ ବେହେରା, ସନତ ସାହୁ, ସନତ ନାୟକ, ବିପିସି ଭୋଳନାଥ ଦାସ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ବିଚିତ୍ରାନନ୍ଦ ନାଏକ, ଆଲୋକ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଆବାସ ଯୋଜନା, ବିଦ୍ୟୁତ ସଂକ୍ରାନ୍ତୀୟ ମାମଲା, ବାର୍ଦ୍ଧକ୍ୟ ଭତ୍ତା ଓ ଜମିଜମା ସଂକ୍ରାନ୍ତୀୟ ମାମଲା ଗୁଡିକ ଉପରେ ଅଭିଯୋଗ ସବୁ ହୋଇଥିଲା ।