ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ‘ବିକଶିତ ଭାରତ-୨୦୪୭: ଅନ୍ତର୍ଭୁକ୍ତ ଓ ନିରନ୍ତର ବିକାଶ ପଥରେ ଓଡ଼ିଶା’ ସଂପର୍କରେ ଭବାନୀପାଟଣା ସ୍ଥିତ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗରେ ଏକ ଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥ ଅଧ୍ଯକ୍ଷତା କରି ବିକଶିତ ଭାରତର ଭବିଷ୍ୟତ ସଂପର୍କରେ ନିଜର ଅଭିମତ ପ୍ରକାଶ କରିଥିଲେ ।
ଅର୍ଥନୀତି ବିଭାଗର ମୁଖ୍ଯ ଡକ୍ଟର ଚିତ୍ରସେନ ଭୁଏ ଆଲୋଚନାଚକ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ଯ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ଯ ଅତିଥି ରୂପେ ପ୍ରଫେସର କହ୍ନେୟା ଆହୁଜା, ନିର୍ଦ୍ଦେଶକ, ଅର୍ଥନୀତି ବିଭାଗ, ଦେବୀ ଅହଲ୍ୟା ବିଶ୍ୱବିଦ୍ୟାଳୟ, ଇନ୍ଦୋର, ମଧ୍ୟପ୍ରଦେଶ ଯୋଗଦାନ କରି ସ୍ବାଧିନତା ପରବର୍ତ୍ତୀ ସମୟର ଅର୍ଥନୀତି ଓ ସାଂପ୍ରତିକ ଅର୍ଥନୀତିର ତୁଳନାତ୍ମକ ବିଶ୍ଳେଷଣ କରି ୨୦୪୭ ମସିହାରେ ଅର୍ଥନୈତିକ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ ।
ମୁଖ୍ଯ ବକ୍ତା ରୂପେ ଡକ୍ଟର ଦୁଃଖବନ୍ଧୁ ସାହୁ, ଆଇଆଇଟି, ଭୁବନେଶ୍ବର, ବିଭିନ୍ନ ପ୍ରକାର ସୂଚକାଙ୍କ ଆଧାରରେ ଭାରତୀୟ ଅର୍ଥ ବ୍ୟବସ୍ଥାର ସ୍ଥିତି ଓ ପ୍ରଗତି ବିଷୟରେ ଆଲୋଚନା କରିଥିଲେ ।
ସମ୍ମାନିତ ଅତିଥି ଡକ୍ଟର ଉମାଶଙ୍କର ଦାଶ ଆଞ୍ଚଳିକ ନିର୍ଦ୍ଦେଶକ, ସମ୍ବଲପୁର ସାଂପ୍ରତିକ ଓଡିଶାର ଅର୍ଥନୈତିକ ଅନୁଭୂତି ଓ ପ୍ରଗତି ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଡକ୍ଟର ଉମାଚରଣ ପତି, ଉପ-କୁଳସଚିବ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ୨୦୪୭ ରେ ଭାରତର ସମ୍ଭାବ୍ୟ ପ୍ରଗତିର ସୂଚନା ପ୍ରଦାନ କରିଥିଲେ । ସହକାରୀ ପ୍ରଫେସର ସିମାଞ୍ଚଳ ମିଶ୍ର ଆବାହକ ଦାୟିତ୍ବ ନିର୍ବାହ କରିଥିଲେ ।
ଉକ୍ତ ଆଲୋଚନାଚକ୍ରକୁ ଅଧ୍ୟାପିକା ସୋନାଲିଶା ସାହୁ ସଂଯୋଜନା କରିଥିବାବେଳେ ସହକାରୀ ପ୍ରଫେସର ଡକ୍ଟର ଶେଷଦେବ ସୁନା ଧନ୍ୟବାଦ ଅର୍ପଣ କରିଥିଲେ । ଅର୍ଥନୀତି ବିଭାଗର ଅଧ୍ୟାପକ ସନ୍ତୋଷ ସାହୁ, ରୋଶନ ପଧାନ, ଚୋଡ଼ଗଙ୍ଗ ସାହୁ, ସୁନନ୍ଦିତା ସାହୁ, ସ୍ନିଗ୍ଧା ବାରିକ, ରଶ୍ମିତା ମାଝୀ ତଥା ସମସ୍ତ ଗବେଷକ- ଗବେଷିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।