ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ପୁଣି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ। ପୂର୍ବରୁ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ମୁଣ୍ତ ଭାଙ୍ଗି ଦେଇଥିବା ଏବଂ ପ୍ରତିମୂର୍ତ୍ତି ପ୍ରତି ଅସମ୍ମାନ ଘଟଣା ଦେଖିବାକୁ ମିଳିଥିଲା। ହେଲେ ଏବେ ପୁଣିଥରେ ବିଜୁ ବାବୁଙ୍କୁ ଅସମ୍ମାନ କରାଯାଇଅଛି। ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇ ଜାଳି ଦେବାର ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି। ଆଜି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରର ପର୍ଶୁରାମ ଛକରେ ଦୁର୍ବୃତ୍ତ ବିଜୁ ପଟ୍ଟନାୟକଙ୍କ ପ୍ରତିମୃର୍ତ୍ତିରେ ନିଆଁ ଲଗାଇ ଦେଇଥିଲେ। ଆଉ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ବିଜୁ ବାବୁଙ୍କ ପ୍ରତିମୃର୍ତ୍ତି। ତେବେ ଏହି ଘଟଣାରେ କାହାର ସମ୍ପୃକ୍ତି ରହିଛି, କିଏ ଓ କାହିଁକି ନିଆଁ ଲଗାଇଲା ସେ ନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।