ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ଗତ ୧୯ ଓ ୨୦ ତାରିଖ ସଙ୍ଘଟିତ ଝଡ଼ତୋଫାନ ଓ କୁଆପଥର ମାଡ଼ରେ ସଇଁତଳା ବ୍ଲକ କରମତଲା ପଞ୍ଚାୟତ ତୁଷ୍ଟାପାଲି ଗାଁ ଚାଷୀଙ୍କ ବ୍ୟାପକ ଫସଲ ହାନୀ ହୋଇଛି | ଫସଲ ନଷ୍ଟ ଯୋଗୁଁ ନାଥୁ ଛତ୍ରିଆ, ଭବାନୀ ବୁଡ଼େକଙ୍କ ସମେତ ଅନେକ ଚାଷୀ ନିରାଶ ହୋଇପଡ଼ିଛନ୍ତି | ଏନେଇ ଗ୍ରାମବାସୀଙ୍କ ଏକ ପ୍ରତିନିଧି ଦଳ ସଇଁତଳା ତହସିଲଦାରଙ୍କୁ ଭେଟି ଫସଲ କ୍ଷୟକ୍ଷତି ନେଇ ତଦନ୍ତ, ଆକଳନ କରି କ୍ଷତିପୂରଣ ପ୍ରଦାନ କରାଯିବାକୁ ଦାବି କରିଛନ୍ତି | ଏହି ମର୍ମରେ ପ୍ରଦାନ କରାଯାଇଥିବା ଦାବିପତ୍ରରେ ପ୍ରାୟ ୭୦ ଏକର ଧାନ ଫସଲ ନଷ୍ଟ ହୋଇ ଧାନକେଣ୍ଡାରୁ ସବୁ ଧାନ ଝଡ଼ି ପଡ଼ିଥିବା ଓ ୫୦ ଏକର ଫଳ, ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବା ଉଲ୍ଲେଖ କରାଯାଇଛି | ତହସିଲଦାର ଆଶିଷ ଏକ୍କା ଦାବିପତ୍ର ଗ୍ରହଣ କରିଥିଲେ |ପୂର୍ବତନ ସମିତି ସଭ୍ୟ ସୁଭାଷ ବୁଡ଼େକ, ପରମେଶ୍ୱର ଛତ୍ରିଆ, ଦିକସନ ବୁଡ଼େକ ପ୍ରମୁଖ ପ୍ରତିନିଧି ଦଳରେ ସାମିଲ ହୋଇଥିଲେ |