ବାପା ମା’ ଛେଉଣ୍ଡ ଦୁଇ ଅସହାୟ ନାବାଳକଙ୍କୁ ସହାୟତାର ହାତ ବଢାଇଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା

ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): କାଳର କରାଳ ଗତିରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଆରୁହା ପଞ୍ଚାୟତ ମଙ୍ଗାପୋଖରୀ ଆଦିବାସୀ ସାହିର ଦୁଇ ନାବାଳକ ବାପାମାଆଙ୍କୁ ହରାଇ ବଞ୍ଚିବା ପାଇଁ ସଂଘର୍ଷ କରୁଥିବାର ଖବର ପାଇ ସେମାନଙ୍କ ପାଖରେ ପହଞ୍ଚି ଦୁଇ ଭାଇଙ୍କୁ ସହାୟତାର ହାତ ବଢାଇଛନ୍ତି ବାଲେଶ୍ବର ଜିଲ୍ଲାର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ।

ଉଲ୍ଲେଖଯୋଗ୍ୟ କି ମଙ୍ଗାପୋଖରୀ ସାହିର ସୃଷ୍ଟିଧର ସିଂଙ୍କ ୮ ବର୍ଷ ପୂର୍ବରୁ ହୃଦଘାତରେ ମୃତ୍ଯୁ ହୋଇଥିବା ବେଳେ ସ୍ତ୍ରୀ ସୀମା ଦୁଇ ନାବାଳକ ପୁଅ ନେଇ ପର ଘରେ ମୂଲ ଲାଗି ଚଳୁଥିଲେ, ତେବେ ଗତ କିଛି ଦିନ ପୂର୍ବରୁ ସୀମାଙ୍କର ଅଚାନକ ମୃତ୍ଯୁ ପରେ ତାଙ୍କର ଦୁଇ ପୁଅ ଜଣେ ୮ ବର୍ଷର ଓ ଆଉ ଜଣେ ୧୨ ବର୍ଷର ନାବାଳକ ଏବେ ଅନାଥ ହୋଇଯାଇଛନ୍ତି ଏବଂ ମା’ ଙ୍କର ଶୁଦ୍ଧିକ୍ରିୟା ପାଳନ ପାଇଁ ମଧ୍ୟ ସେମାନଙ୍କ ପାଖରେ ଅର୍ଥର ଅଭାବ ରହିଛି।

ଏହି ବିଷୟରେ ଖବର ପାଇ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ପିଲା ଦୁଇଜଣଙ୍କ ଘରେ ପହଞ୍ଚି ସେମାନଙ୍କୁ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ନୂତନ ବସ୍ତ୍ର ଏବଂ ମା’ ଙ୍କର ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହିତ ଦୁଇ ନାବାଳକଙ୍କ ପାଠପଢା ଏବଂ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ଯାହାକୁ ନେଇ ନାବାଳକ ଦ୍ବୟଙ୍କ ସମ୍ପର୍କୀୟମାନେ ପୂର୍ବତନ ସାଂସଦ ଶ୍ରୀ ଜେନାଙ୍କୁ ଧନ୍ଯବାଦ ଜ୍ଞାପନ କରିଛନ୍ତି।

ଶ୍ରୀ ଜେନାଙ୍କ ସହିତ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଅନୁସୟା ପ୍ରଧାନ, ବିଜେଡ଼ି ନେତା ଲେନିନ ପ୍ରଧାନ, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ସିମନ୍ ଦାସ ମହାପାତ୍ର, ଜଳେଶ୍ଵର ପୌରପାଳିକାର କାଉନସିଲର୍ ଗୋବିନ୍ଦ ଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ମଧୁସୂଦନ ଦତ୍ତ, ହରିଶ୍ ଭୂୟାଁ, ଛାତ୍ର ନେତା ଗୌରବ ଦାସ, ଯୁବ ନେତା ଗୌତମ ପାତ୍ର, ପ୍ରଭାତ ସାହୁ, ୱାର୍ଡ ମେମ୍ବର ପ୍ରୀତିମାଳା ପ୍ରଧାନ, ବିଜେଡ଼ି ନେତା ମନୋଜ ପ୍ରଧାନ, ସମାଜସେବୀ ତରଣୀ ଭୂୟାଁ, ଦିପୁ ସାମଲ ଏବଂ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.