ମରଣାସ୍ତ୍ର ଦେଖାଇ ମୋବାଇଲ ଲୁଟ୍ ଉଦ୍ୟମ, ଦୁଇ ନାବାଳକ ଅଟକ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ନାରାୟଣୀ ହିଲଟପ ଉପରେ ଛୁରୀ ଓ ମରଣାସ୍ତ୍ର ଦେଖାଇ ଲୋକଙ୍କ ଠାରୁ ମୋବାଇଲ ଛଡାଇ ନେଉଥିବା ବେଳେ ୨ ନାବାଳକଙ୍କୁ କାବୁ କରିଛି ଟାଉନ ପୁଲିସ। ଉଭୟ ଟାଉନ ଥାନା ଅଞ୍ଚଳର ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ବହୁଦିନ ଧରି ଏମାନେ ଏଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି। ଜନଗହଳି ସ୍ଥାନ ଛାଡି ନିରୋଳା ସ୍ଥାନରେ ଚୋରି କରିବାକୁ ଯୋଜନା କରି ନାରାୟଣୀ ହିଲ ଟପ ରାସ୍ତାକୁ ସେମାନେ ବାଛିଥିଲେ । ଏ ନେଇ ଅଭିଯୋଗ ମିଳିବା ପରେ ଟାଉନ ଥାନା ଅଧିକାରୀ ପି. ସ୍ୱରୂପ କିଶନ ସଦଳ ବଳେ ଚଢାଉ କରିଥିଲେ। ଜନୈକ ବ୍ୟକ୍ତିଙ୍କ ଠାରୁ ମୋବାଇଲ ଫୋନ ଛଡାଇ ଚାଲି ଯାଉଥିବା ବେଳେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା ପୁଲିସ। ସେମାନଙ୍କ ଠାରୁ ଗୋଟିଏ ଆଇ ଫୋନ ଓ ଗୋଟିଏ ସ୍ମାର୍ଟ ଫୋନ ସହିତ ଛ’ ଶହ ଟଙ୍କା ଜବତ କରାଯାଇଛି। ସେମାନେ ବ୍ୟବହାର କରୁଥିବା ଏକ ଛୁରୀ ଓ ଅନ୍ୟ ଏକ ତିନି ଫାଳିଆ ଲୁହାଅସ୍ତ୍ର ଜବତ କରା ଯାଇଥିବା ତଦନ୍ତକାରୀ ଅଧିକାରୀ ମନୋରଞ୍ଜନ ଭୋଇ କହିଛନ୍ତି । ଏ ନେଇ କେଶ ନଂ. ୧୧୮/୨୫ରେ ଏକ ମାମଲା ରୁଜ୍ଜୁ କରାଯିବା ସହ ସମ୍ପୃକ୍ତ ଦୁଇ ନାବାଳକଙ୍କୁ ଜୁବେନାଇଲ କୋର୍ଟରେ ହାଜର କରାଇ ବୌଦ୍ଧ ସ୍ଥିତ ଜୁଭେନାଇଲ ହୋମକୁ ପଠାଇ ଦିଆ ଯାଇଥିବା ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସହରର ବିଭିନ୍ନ ଅଞ୍ଚଳରେ ଲଗାତାର ଭାବେ ପୁଲିସର ପାଟ୍ରୋଲିଂ ଜାରି ରହିଥିବା ଏବଂ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଅଗ୍ରାଧିକାର ଦିଆ ଯାଉଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.