ବାଲେଶ୍ଵରରେ ଅନୁଷ୍ଠିତ ହେଲା ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ

ବନ୍ୟା ପ୍ରତିକାର ଡ୍ରେନେଜ୍ ଲିକେଜ୍ ସିଷ୍ଟମ ପାଇଁ ଆବଶ୍ୟକୀୟ ପଦକ୍ଷେପ ଉପରେ ଗୁରୁତ୍ୱାରୋପ

ଓଡିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ଭାବରେ ବାଲେଶ୍ୱରର ବେଶ୍ ଖ୍ୟାତି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଅନେକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାର ସଠିକ୍ ମୁକାବିଲା କରିଥାଏ। ଗତକାଲି ୨୧ ତାରିଖ ଦିନ ସ୍ଥାନୀୟ ଜିଲ୍ଲାପାଳଙ୍କ ନୂତନ ଅଡ଼ିଟରିୟମ ହଲ୍ ଠାରେ ଜିଲ୍ଲା ଜରୁରୀକାଳୀନ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପ୍ରତିନିଧି ଶୁଭଙ୍କର ମହାପାତ୍ର, ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ବାଲେଶ୍ୱର (ସଦର) ବିଧାୟକ ମାନସ କୁମାର ଦତ୍ତ, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ମାନ୍ୟବର ବିଧାୟିକା, ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ଜିଲ୍ଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ଶାସକ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ସୋର ବିଧାୟକ ମାଧବ ଧଡ଼ାଙ୍କ ପ୍ରତିନିଧି ଅଶ୍ୱିନୀ କୁମାର ମହାପାତ୍ର ଯୋଗ ଦେଇ ଜିଲ୍ଲାର ସମସ୍ତ ଅଞ୍ଚଳରେ ପ୍ରତ୍ୟେକଟି ଆବଶ୍ୟକତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

Omkar Vasthu
Omkar Vasthu

ଏହି ବୈଠକରେ ବାଲେଶ୍ଵରର ଅତିରିକ୍ତ ଜ଼ିଲ୍ଲାପାଳ(ରାଜସ୍ୱ) ହେମନ୍ତ କୁମାର ସିଂ, ଅତିରିକ୍ତ ଜ଼ିଲ୍ଲାପାଳ(ସାଧାରଣ) ସୁଧାକର ନାୟକ, ସଦର ଉପ ଜ଼ିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଓ ନୀଳଗିରି ଉପ ଜ଼ିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ, ପୌରପାଳିକା ଗୁଡିକର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଓଡ୍ରାଫ୍ ବାହିନୀ, ସ୍ଵେଚ୍ଛାସେବୀ ସଂଗଠନ, ଆପଦ ମିତ୍ରସ୍ଵେଚ୍ଛାସେବୀ, ସିଭିଲ ଡିଫେନ୍ସ, ଅଗ୍ନିଶମ ବିଭାଗ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଏବଂ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଯୋଗଦାନ କରିଥିଲେ । ଏହି ବୈଠକରେ ସମସ୍ତ ସମ୍ପୃକ୍ତ ବିଭାଗ ଯଥା, ରାସ୍ତା ଓ ଗୃହନିର୍ମାଣ, ପାନୀୟ ଜଳ ଯୋଗାଣ ଓ ପରିମଳ,ଯୋଗାଣ, ଜଳସେଚନ, ବିଦ୍ୟୁତ୍ ଯୋଗାଣ, ବ୍ଲକ ଅଧିକାରୀ, ତହସିଲ ଅଧିକାରୀ, ଅତ୍ୟାବଶ୍ୟକ ସେବା, ଓଡରାଫ୍ ଆଦି ଲାଇନ ବିଭାଗ ମାନେ ଯୋଗ ଦେଇ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତିରେ ସେମାନଙ୍କର ସ୍ଥିତି ଉପସ୍ଥାପନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ହେମନ୍ତ କୁମାର ସିଂ ବିଷୟ ୱାରି ଆଲୋଚନାର କାର୍ଯ୍ୟସୂଚୀ ପରିଚାଳନା କରିଥିଲେ। ବର୍ତ୍ତମାନ ପରିସ୍ଥିତିରେ ଆମେ ଆହୁରି ଅଧିକ ପ୍ରସ୍ତୁତ ରହିବା ପାଇଁ ସଭ୍ୟ ତଥା ଅତିଥି ମାନେ ମତବ୍ୟକ୍ତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ବନ୍ୟା ପରିସ୍ଥିତିରେ ପୀଡ଼ିତଙ୍କୁ ଉଦ୍ଧାର ଓ ଥଇଥାନ ନିମନ୍ତେ ଆଶ୍ରୟସ୍ଥଳୀ ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ଶୁଖିଲା ଏବଂ ରନ୍ଧା ଖାଦ୍ୟ ବ୍ୟବସ୍ଥା, ଔଷଧ ମହଜୁଦ, ନଦୀବନ୍ଧ ଓ ଘାଇ ମରାମତି, ପାଇପ୍ ଦ୍ୱାରା ବିଶୋଧିତ ଜଳ ଯୋଗାଣ, ନଳକୂପ ବିଶୋଧନ, ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଔଷଧ, ହେଲୋଜନ ବଟିକା, ଓଆରଏସ, ବ୍ଲିଚିଙ୍ଗ ପାଉଡର , ପ୍ରାଣୀସମ୍ପଦର ସୁରକ୍ଷା ନିମନ୍ତେ ଟୀକା ଓ ଔଷଧ ସହ ପଦକ୍ଷେପ, ଦୁର୍ଗମ ଅଞ୍ଚଳରେ ଖାଦ୍ୟ ଶସ୍ୟ ମହଜୁଦ ରଖିବା ଆଦି ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା। ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ବନ୍ୟା ପ୍ରତିକାର ପାଇଁ ଆବଶ୍ୟକୀୟ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ ।

Udyog Nursery
Udyogi Nursery

ବାଲେଶ୍ଵର (ସଦର)ବିଧାୟକ ମାନସ କୁମାର ଦତ୍ତ ଡ୍ରେନ୍ ଲିକେଜ୍ ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଏବଂ ତାର ପ୍ରତିକାର ରୂପେ ନାଳର ପୁନରୁଦ୍ଧାର ଓ ସଫେଇ ନିମନ୍ତେ କହିଥିଲେ । ଜିଲ୍ଲାପାଳ ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସରଞ୍ଜାମ ସହ ପ୍ରସ୍ତୁତ ରହିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଚୁଡ଼ା/ଗୁଡ଼ ଅଧିକ ମାତ୍ରାରେ ମହଜୁଦ ରଖିବା ଏବଂ ଚୁଡ଼ାର ଗୁଣବତ୍ତା ରକ୍ଷା କରିବା ଉପରେ ଜୋର ଦେଇଥିଲେ ଏବଂ ସଠିକ ବିପଣନ ନିମନ୍ତେ ପ୍ରମୁଖ ବ୍ୟାପାରୀମାନଙ୍କ ସହିତ ପୂର୍ବରୁ ଯୋଗାଯୋଗ ସ୍ଥାପନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସାନିଟାରୀ ନାପକିନ, ସମସ୍ତ ବ୍ଲକ୍ ଅଞ୍ଚଳରେ ଯଥେଷ୍ଟ ପରିମାଣର ପଲିଥିନ ଯୋଗାଣ, ପାନୀୟ ଜଳ, ଜେନେରେଟର ପ୍ରସ୍ତୁତ ରଖିବା ନିମନ୍ତେ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା। ଯଥାଶୀଘ୍ର ବ୍ଲକ୍ ସ୍ତରରେ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ କରାଯିବ। ବାଲେଶ୍ବର ସଦର ମହକୁମାରେ ବର୍ଷସାରା ୨୪/୭ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ ଚାଲୁ ରହିଛି।

ବ୍ଲକ୍, ସ୍ବାସ୍ଥ୍ୟ ବିଭାଗ, ଜଳସେଚନ ବିଭାଗ, ପାନୀୟ ଜଳ ଓ ପରିମଳ ଭଳି କାର୍ଯ୍ୟାଳୟ ତୁରନ୍ତ ୨୪/୭ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ବେସରକାରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟରେ ନିୟୋଜିତ କରିବାକୁ କୁହାଯାଇଥିଲା । ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତି ନିମନ୍ତେ ଜିଲ୍ଲାପାଳ ପ୍ରାଧାନ୍ୟ ଦେଇଥିଲେ ଯୋଉଥିରେ ପାନୀୟ ଜଳ, ଶୌଚାଳୟ, ଓ ବିଦ୍ୟୁତ ଭଳି ମୌଳିକ ସୁବିଧା ଉପଲବ୍ଧ ହେବା ଏବଂ ସମସ୍ତ ୧୨୯ଟି ସକ୍ରିୟ ଆଶ୍ରୟ କେନ୍ଦ୍ରର ସୁବ୍ୟବସ୍ଥାର ରିପୋର୍ଟ ଉପସ୍ଥାପନ ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.