🖋ଅରବିନ୍ଦ ଦାସ
ଏଇ ଶ୍ରାବଣ ସୋମବାରରେ ସ୍ୱୟଂ ମହାଦେବ ନିଜେ ସ୍ଵଦେହରେ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ନିଷ୍ପତ୍ତି ନେଇଥିବା ଜାଣି ଦେଵୀ ପାର୍ବତୀ ବ୍ୟସ୍ତ ହୋଇପଡିଲେ।
– ଲକ୍ଷ ଲକ୍ଷ ଭକ୍ତଙ୍କ ସାମ୍ନାକୁ ଆସିବା ଟିକେ ତରବରିଆ ନିଷ୍ପତ୍ତି ପ୍ରଭୁ।ଆପଣଙ୍କୁ ଦେଖିବା ପାଇଁ ଭକ୍ତଙ୍କ ଭିତରେ ଦଳା ଚକଟା ହୋଇ ଶାନ୍ତି ସୁରକ୍ଷା ଉପରେ ବିପଦ ତଥା ଅଭାବନୀୟ ପରିସ୍ଥିତି ଉପୁଜିପାରେ।ତାଛଡା ଆପଣ ନିଜେ ନଯାଇ ନନ୍ଦୀ କିମ୍ବା ସାପକୁ ପଠାଇ ଦିଅନ୍ତୁ।
ଶିବଙ୍କ ବେକରେ ଝୁଲୁଥିବା ସାପ ଡରିଯାଇ କହିଲା, “ନା,ମା,ଏକୁଟିଆ ମୁଁ ତ କଦାପି ଯିବିନି।ଥରେ ଶିବ ଲିଙ୍ଗ ପାଖରେ ଉଭା ହୋଇଥିଲି।ମୋ ଲାଞ୍ଜ ରେ କଣ୍ଟା ବାଡେଇ ସାରା ଦିନ ମୋ ମୁଣ୍ଡକୁ କ୍ଷୀରରେ ବୁଡାଇ ବୁଡାଇ ଦରମରା କରିଦେଇଥିଲେ କିଛି ପୂଜକ ମୋଟା ଅଙ୍କର ଦକ୍ଷିଣା ପାଇଁ।ଯେଉଁ କଷ୍ଟରେ ମୁଁ ନିଜେ ମୁକୁଳିଛି।
ନନ୍ଦୀ କହିଲା,”ପ୍ରଭୁଙ୍କ ବିନା ମୁଁ ବି ଏକୁଟିଆ ଯିବିନି।ଏକୁଟିଆ ବୁଲିଲା ବେଳେ ଥରେ ମୋତେ ନେଇ କାଞ୍ଜିଆଗଦାରେ ପୁରାଇଥିଲେ।”
ହସିଦେଇ ମହାଦେବ କହିଲେ- କୋଟି କୋଟି ଶ୍ରଦ୍ଧାଳୁଙ୍କ ସାମ୍ନାକୁ ସ୍ଵଦେହରେ ଆମେ ଦେଵତାମାନେ ଯାଉନୁ ବୋଲି ବିଭିନ୍ନ ବାବା ମାତା ମାନେ ମଠ,ମନ୍ଦିର କରି ଆମ ନାଁରେ ଲୋକଙ୍କୁ ଲୁଟୁଛନ୍ତି।ତେଣୁ ମୁଁ ନିଜେ ପହଞ୍ଚିବି ଭକ୍ତଙ୍କ ମେଳରେ।”
ରବିବାର ରାତି ବାରଟାରେ ମହାଦେବ ନିଜର ସେଇ ପ୍ରସିଦ୍ଧ ମନ୍ଦିରରେ ପହଞ୍ଚିଗଲେ।ପୂଜକମାନେ ଶିବ ଲିଙ୍ଗକୁ ସୁନ୍ଦର ଭାବେ ସଜାଉଥିବା ଦେଖି ଖୁସି ହୋଇ ସ୍ୱୟଂ ଆବିର୍ଭୁତ ହେଲେ।
ଚମକି ପଡି ପୂଜକମାନେ କହିଲେ,”କିଏରେ ତୁ ?ୟା ଭିତରକୁ କେମିତି ଆସିଲୁ ?”
– ମୁଁ ପରା ଖୋଦ ମହାଦେବ।ଭକ୍ତଙ୍କୁ ଏଇ ସୋମବାର ରେ ଦର୍ଶନ ଦେବି।
ପୂଜକମାନେ ନିଜ ଭିତରେ କଥାହେଲେ
– ଏଇ ଶଳା ଏମିତି ବେଶ ହୋଇ ୟା ଭିତରେ ରହି ଦାନ ଦକ୍ଷିଣା ତକ ନିଜେ ନେବ ବୋଲି ଭାବିଛି।”
ଓ ରାଗିଯାଇ କହିଲେ
– ଆଛା,ତୁ ମହାଦେବ ?ହଇରେ ଦୁନିଆ ବାଲାଙ୍କ ଠାରୁ ଆମେ ଲୁଟୁଛୁ,ତୁ ଆମକୁ ଲୁଟିବାକୁ ଆସିଛୁ ? ଚିତ୍ରାଳୟରୁ ଏଇ ଡ୍ରେସ ପିନ୍ଧି ବହୁରୁପିଆ ହୋଇ ୟା ଭିତରକୁ ଆସିଛୁ।ହଇରେ,ତୋତେ ଭିତରକୁ କିଏ ଛାଡିଲା? ସି ସି ଟିଭି ଲାଗିଛି ,ଜାଣିନୁ?
ପଛପଟୁ କିଏ କହିଲା,”ଭାଇନା,ଶ୍ରାବଣ ଚାରି ସୋମବାର ପାଇଁ ଆମେ ସିସି ଟିଭି ଅଚଳ କରିଦେଇଛୁ ପା”
– ସିକ୍ୟୁରିଟି କୁ ଡ଼ାକି ଜଲଦି ୟାକୁ ବାହାର କର ।ମାଡ଼ ଖାଇବୁ ଆମ ହାତରୁ ? ହଇରେ ମାଡ଼କୁ ପରା ମହାଦେବ ଡରନ୍ତି।”
ଆଉ ଯୁକ୍ତି ନକରି ଅଦୃଶ୍ୟ ହୋଇଗଲେ ମହାଦେବ ଓ ସିଧା ପହଁଚିଲେ ବୋଲ୍ ଵମ ଭକ୍ତଙ୍କ ଗହଳି ଭିତରେ।
ନନ୍ଦୀ ଉପରେ ବସି ବିଭୁତି ବୋଳି, ବ୍ୟାଘ୍ର ଚର୍ମ ପରିହିତ ହାତରେ ତ୍ରିଶୂଳ,ଡମ୍ବରୁ ଓ ବେକରେ ସର୍ପମାଳ ବେଶରେ ମହାଦେବଙ୍କୁ ଦେଖି ଭକ୍ତ ମାନେ ଅନାଉଥିଲେ। ଡ଼ିଜେ ବାଜାରେ ଉଦ୍ଭଟ ନୃତ୍ୟ କରୁଥିବା କିଛି ଭକ୍ତ ଗାଉଥିଲେ,”ଗଣେଶ ବାପା ପାର କରେଗା,କାର୍ତ୍ତିକ ଡ୍ୟାଡି ପାର କରେଗା,ପାର୍ବତୀ ହଜବ୍ୟାଣ୍ଡ ପାର କରେଗା,ନଙ୍ଗୁଳି ବାବା ପାର କରେଗା।”
କ୍ରୋଧିତ ହୋଇଗଲେ ଶିବ ଓ ତ୍ରିଶୂଳ ଉଞ୍ଚାଇ ପାଟିକଲେ,”ହଇରେ ମୁଁ ନଙ୍ଗଳା କେଉଁଠି ହୋଇଛି ?ମୋତେ ମୋ ନାଁ ରେ ନଡାକି ମୋ ସ୍ତ୍ରୀ,ପୁଅଙ୍କ ସମ୍ପର୍କ କୁ କାହିଁକି ଉଛାଳୁଛ ? “
ଠେଲାପେଲା ଚାଲିଲା।ସାଇରନ ବଜାଇ ପହଁଚିଲା ପୋଲିସ ଜିପ। ଶିବ ଗଲେ ପାଖରେ ଥିବା ଥାନାକୁ।
– ମୋତେ କଣ ପାଇଁ ଅଟକାଯାଉଛି ? ମୁଁ ସ୍ୱୟଂ ମହାଦେବ। ମୁଁ ତାଣ୍ଡବ କଲେ ସୃଷ୍ଟି ପ୍ରଳୟ ହୋଇଯିବ ?
ବିରକ୍ତ ହୋଇ ପୋଲିସ ବାବୁ କହିଲେ,”ବର୍ତ୍ତମାନ ପ୍ରଳୟ ଅବସ୍ଥା ହିଁ ଚାଲିଛି। ହଇରେ ତୋତେ ଯଦି ନାଚିବାର ଇଛା ଡ୍ୟାନ୍ସ ଡ୍ୟାନ୍ସ ଇଣ୍ଡିଆ ଶୋ କୁ ଯା। କହିଲା କଣ ନା ମହାଦେବ।”
– ଇୟେ ମୋ ନନ୍ଦୀ,ଆଉ ଇୟେ ମୋ ସର୍ପ।
– ସେଇଥିପାଇଁ ତୁ ଆରେଷ୍ଟ ହେବୁ।ତୋ ଓକିଲକୁ ଡକା ? ସାପ ଜଙ୍ଗଲୀ ଜୀବ। ତାକୁ ପାଖରେ ରଖିବା,ଖେଳ ଦେଖାଇବା ଅପରାଧ। ସ୍ନେକ ହେଲ୍ପ ଲାଇନ ବାଲା ସାପ ଉଦ୍ଧାର କରି ଜଙ୍ଗଲରେ ଛାଡିବେ। ଏଇ ଷଣ୍ଢ ଉପରେ ବସି ବୁଲୁଛୁ ? ଜୀଵଙ୍କ ଉପରେ ଅତ୍ୟାଚାର ! କୃଏଲିଟି ଟୁ ଆନିମଲ। ସେ ଦଫା ଲାଗିବ।ହାତରେ ତ୍ରିଶୂଳ। ମାରଣାସ୍ତ୍ର ରଖି ଖୋଲାଖୋଲି ଭାବେ ଜନତାଙ୍କ ମନରେ ଭୟ ଉଦ୍ରେକ କରୁଛୁ।ସେଥିରେ ଜେଲ ଦଣ୍ଡ ମିଳିବ।ଅଣ୍ଟାରେ ଗଞ୍ଜେଇ ଚିଲମ ?ନାରକୋଟିସ ଆକ୍ଟରେ ଜେଲ ଦଣ୍ଡ।କମସେ କମ ଦଶ ପନ୍ଦର ବର୍ଷ ଜେଲ ହେବ ତୋତେ?
ଆବାକାବା ହୋଇଗଲେ ମହାଦେବ।ଏତେ ଆଇନ କାନୁନ !
-ତୋତେ ବେଲରେ କିଏ ନେବ ?ତୋ ଆଧାର କାର୍ଡ ଦେଖା। ନାଁ,ଗାଁ ,ଠିକଣା କହ। କୋର୍ଟ ଚାଲାଣ ବେଳେ ହାତକଡି ଯଦି ନପକାଇବାକୁ ଚାହୁଁଛୁ ତେବେ କିଛି ଟଙ୍କା ଦକ୍ଷିଣା ଦେ।”
ସେପଟୁ ପୋଲିସ ବଡ଼ ବାବୁ ଆଉ ଯେଉଁ ଧାରା କଥା କହିଲେ,ତାହା ଶୁଣି ମହାଦେବ ନିଜ ଦଳ ସହ ଅଦୃଶ୍ୟ ହୋଇ ଉଭାହେଲେ କୈଳାସରେ।
– କଣ ପ୍ରଭୁ ଏତେ ଶୀଘ୍ର ଚାଲିଆସିଲେ ? ଭକ୍ତ, ପୂଜକ ଅଥବା ପୋଲିସକୁ ନା ବିଭିନ୍ନ ଦଫାକୁ ଡରିଗଲେ ?
ଟିକେ ନିଶ୍ବାସ ମାରି ମହାଦେବ କହିଲେ,”ପୋଲିସ ଯେଉଁ ଦଫା ଲଗାଇଲା ତାହା ଶୁଣୁଥିଲି। ହେଲେ ଶେଷରେ ଯେତେବେଳେ କହିଲା, ପଶୁ ଛାଲ ପିନ୍ଧିବା ଅପରାଧ ଓ ଛାଲ କାଢ଼ିବାକୁ ଆଦେଶ ଦେଲା, ଆଉ କେମିତି ରହିଥାନ୍ତି ?”