ରେଳବାଇ ଟିକଟ ଯାଞ୍ଚ୍ କର୍ମଚାରୀଙ୍କ ଦ୍ୱାରା ନାବାଳିକା ଉଦ୍ଧାର

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଟ୍ରେନ୍‌ ସଂଖ୍ୟା ୧୨୨୪୫ ହାୱଡା–ଏସଏମଭିଟି ଦୂରନ୍ତୋ ଏକ୍ସପ୍ରେସ୍‌ରେ ୧୩ ସେପ୍ଟେମ୍ବର ଦିନ ଡ୍ୟୁଟି କରୁଥିବା ସମୟରେ ଟିଟିଆଇ ଶ୍ରୀ ଏନ୍. ଏସ୍. ରାଓ ଜଣେ ନାବାଳିକା କନ୍ୟାଙ୍କୁ ସନ୍ଦିଗ୍ଧ ଅବସ୍ଥାରେ ଏକାକୀ ଯାତ୍ରା କରୁଥିବାର ଦେଖିଥିଲେ। ପଚାରାଉଚୁରାରୁ ଜଣା ପଡିଥିଲା ଯେ ଝିଅଟି ଘରୁ ପଳାଇ ଆସିଛି। ପରିସ୍ଥିତିର ଗୁରୁତ୍ୱ ଅନୁଭବ କରି ଟିଟିଆଇ ତତକ୍ଷଣାତ୍ ଭୁବନେଶ୍ୱର ପୂର୍ବତଟ ରେଳବାଇର ଆରପିଏଫ୍ ଚାଇଲ୍ଡ କେୟାର୍ ଟିମ୍‌କୁ ସୂଚନା ଦେଇଥିଲେ। ଟ୍ରେନ୍‌ ଭୁବନେଶ୍ୱର ଷ୍ଟେସନ୍‌ ପହଞ୍ଚିଲା ପରେ ସେହି ଝିଅକୁ ଦାୟିତ୍ୱରେ ଥିବା ଆରପିଏଫ୍ ଚାଇଲ୍ଡ କେୟାର୍ ଅଧିକାରୀଙ୍କୁ ସୁରକ୍ଷିତ ଭାବରେ ହସ୍ତାନ୍ତର କରା ଯାଇଥିଲା। ଯାଞ୍ଚ୍ କର୍ମଚାରୀ ଏତାଦୃଶ ସତର୍କତା ଓ ମାନବିକପଣିଆ ପ୍ରଦର୍ଶନ କରି ଅନେକ ସ୍ଥାନରୁ ପ୍ରଶଂସା ସାଉଁଟି ଥିବା ଦେଖିବାକୁ ମିଳୁଛି। ଟ୍ରେନ୍‌ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ସାହାଜାଦା ଖାଁନ ସିଟିଆଇ/ହାଓଡାଙ୍କ ତତ୍କାଳ ସହଯୋଗ ଓ ସମନ୍ୱୟ ଯୋଗୁଁ ଏହା ସମ୍ଭବ ହୋଇପାରିଲା ବୋଲି କୁହାଯାଉଛି। ଭାରତୀୟ ରେଳ ପୁଣିଥରେ ପ୍ରମାଣ କରିଛି ଯେ, ଯାତ୍ରୀ ସୁରକ୍ଷା ସହିତ ବିଶେଷକରି ମହିଳା ଓ ଶିଶୁମାନଙ୍କ ପରି ସମ୍ବେଦନଶୀଳ ବର୍ଗଙ୍କ ସହାୟତା, ସେମାନଙ୍କର ପ୍ରଥମ ପ୍ରାଥମିକତା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.