ନର୍ଲା ମଣ୍ଡିରେ ୫ ଦିନରେ ଉଠିଛି ୮୪ ଚାଷୀଙ୍କ ୩୭୧୦ କ୍ଵିଣ୍ଟାଲ ଧାନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ୭ ଗୋଟି ପ୍ୟାକ୍ସ ଅଧିନରେ ୨୬ ଗୋଟି ମଣ୍ଡି ଶୁକ୍ରବାରରୁ ସୋମବାର ମଧ୍ୟରେ ଉଦ୍ଘାଟିତ ହୋଇଯାଇଛି। ସେଥି ମଧ୍ୟରୁ କଟନୀ ଛଟନୀ, ଅଖାବସ୍ତା ପ୍ରଦାନରେ ଟାଳଟୁଳ ନୀତି ଭଳି କେତେକ ସମସ୍ୟା ଯୋଗୁଁ ମିଲର୍ସ ଓ ଚାଷୀଙ୍କ ମଧ୍ୟରେ ବୁଝାମଣା ହୋଇ ପାରି ନଥିବାରୁ ୫ ଦିନ ହେଲାଣି ମଣ୍ଡିରେ ଧାନ ବସ୍ତା ରଖି ଚାଷୀ ରାତ୍ରୀ ଯାପନ କରୁଛି। ହେଲେ ସୁରୁଖୁରୁରେ ଚାଲିଛି ନର୍ଲା ମଣ୍ଡି। ଶୁକ୍ରବାର ଉଦ୍ଘାଟିତ ହୋଇଥିବା ନର୍ଲା ଧାନ ମଣ୍ଡି ଆରମ୍ଭ ଦିନ ୧୧ ଜଣ ଚାଷୀଙ୍କ ଠାରୁ ୬୧୦ କ୍ଵିଣ୍ଟାଲ ଧାନ କିଣିଥିବା ବେଳେ ଗୁରୁବାର ପର୍ଯ୍ୟନ୍ତ ୫ ଦିନରେ ୮୪ ଜଣ ଚାଷୀଙ୍କ ଠାରୁ ୩,୭୧୦ କ୍ଵିଣ୍ଟାଲ ଧାନ ସମବାୟ ସମିତି କିଣିଥିବା ଜଣା ପଡ଼ିଛି। ପ୍ୟାକ୍ସ ସଭାନେତ୍ରୀ ମଞ୍ଜୁଲତା ଗୌଡ଼ଙ୍କ ନେତୃତ୍ବରେ ତଥା ଉପ ସଭାପତି ଅଭୟ କୁମାର ଚାନ୍ଦ ଙ୍କ ସହଯୋଗରେ ସମ୍ପାଦକ ଲବକାନ୍ତ ସା, ଧନୁର୍ଦ୍ଧର ସେନାପତି, ଧାନର ଗୁଣବତ୍ତା ପରୀକ୍ଷଣ କାରୀ ଆରଏମସି ଷ୍ଟାଫ ଜଗତରାମ ନାଏକ ପ୍ରମୁଖ ଉପସ୍ଥିତ ରହି ସମବାୟ ସମିତି ର ଚାଷୀଙ୍କ ଧାନ କିଣାରେ ସହଯୋଗ କରୁଥିବା ଜଣାପଡ଼ିଛି। ନର୍ଲା ମଣ୍ଡିରୁ ରୁପ୍ରାରୋଡ ବୁଢ଼ୀପଦରର ରାମାନୁଜ ଏଗ୍ରୋ ରାଇସ ମିଲ ଓ କୁସୁମପଡ଼ା କନକ ଦୁର୍ଗା ରାଇସ ମିଲ ଧାନ ନେଉଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.