୧୮ତମ ଟାଇମପାସ୍‍ ବୁକର୍ ପୁରସ୍କାର ପାଇବେ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ : ଚାରିଜଣଙ୍କୁ ‘ବେଷ୍ଟସେଲର୍‍ ପୁରସ୍କାର’

ବାର ଜଣଙ୍କୁ ମିଳିବ ‘ପ୍ରଥମା ସମ୍ମାନ’ : ଡ. ସୁବ୍ରତ କୁମାର ସେନାପତିଙ୍କୁ ବହିବନ୍ଧୁ ସମ୍ମାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ଯୁବକଥାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ୧୮ ବର୍ଷ ଧରି ପ୍ରଦାନ କରାଯାଇ ଆସୁଥିବା ‘ଟାଇମପାସ୍‍ ବୁକର ପୁରସ୍କାର’ ଚଳିତବର୍ଷ ଯୁବଲେଖିକା ଡକ୍ଟର ପ୍ରଜ୍ଞା ପ୍ରବର୍ତ୍ତିକା ଦାଶଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘କେହିଜଣେ’ ପାଇଁ ପ୍ରଦାନ କରାଯିବ। ୫୦ ବର୍ଷ ବୟସସୀମାର ଓଡ଼ିଆ କଥାକାରଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ ଓ ପୁରସ୍କୃତ ପାଣ୍ଡୁଲିପିଟି ‘ଟାଇମପାସ୍‍’ ଦ୍ୱାରା ପ୍ରକାଶିତ ହୋଇଥାଏ।

ଏଥିସହିତ ପାଠକମାନଙ୍କ ଦ୍ୱାରା ସର୍ବାଧିକ ଆଦୃତ ପୁସ୍ତକକୁ ପ୍ରଦାନ କରାଯାଉଥିବା ‘ଟାଇମପାସ୍‍ ବେଷ୍ଟସେଲର୍ ପୁରସ୍କାର’ ପାଇଁ ଚଳିତ ବର୍ଷ ଗଳ୍ପ ବିଭାଗରେ ସଂଜୟ ପଣ୍ଡାଙ୍କ ‘ତକିଆ’, କବିତା ବିଭାଗରେ ସୁମିତ୍‍ ପଣ୍ଡାଙ୍କ ‘ମାଟି ଖୋଜେ ପକ୍ଷୀ’, ଉପନ୍ୟାସରେ ତ୍ରିନାଥ ସିଂହଙ୍କ ‘ଦୁଇଫର୍ଦ୍ଦ ଆକାଶ’ ଏବଂ ପ୍ରଥମା ବିଭାଗରେ ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକଙ୍କ ‘ଋତୁଟେ ରେଭେନ୍‍ସା’ ପୁସ୍ତକ ଯୋଗ୍ୟ ବିବେଚିତ ହୋଇଛି। ନିୟମିତ ଭାବେ ଓଡ଼ିଆ ପୁସ୍ତକର ପଠନ ଓ ସାମାଜିକ ଗଣମାଧ୍ୟମରେ ତାର ପ୍ରଚାର ପ୍ରସାର କରୁଥିବା ଡକ୍ଟର ସୁବ୍ରତ କୁମାର ସେନାପତିଙ୍କୁ ଚଳିତ ବର୍ଷର ‘ଟାଇମପାସ୍‍ ବହିବନ୍ଧୁ ସମ୍ମାନ’ ପ୍ରଦାନ କରାଯିବାକୁ ସ୍ଥିର ହୋଇଛି।

ଡିସେମ୍ବର ୨୭ ଓ ୨୮ ତାରିଖରେ ଟାଇମପାସ ଦ୍ୱାରା ଆୟୋଜିତ ଷଷ୍ଠ ‘ଉତ୍‍ସାହିତ୍ୟ’ ଉତ୍ସବରେ ଉପରୋକ୍ତ ପ୍ରତିଭାମାନଙ୍କ ସହିତ ୧୨ ଜଣଙ୍କୁ ପ୍ରଥମା ପୁରସ୍କାର, ୩୦ ଜଣ ତରୁଣଙ୍କୁ ‘ଉଦୟରାଗ’ ସମ୍ମାନ ଓ ୧୦୦ଜଣଙ୍କ ମିନିକବିତାକୁ ‘ସେଫ୍‍ଟିପିନ୍‍ କବିତା’ ସମ୍ମାନ ପ୍ରଦାନ କରାଯିବ। ସାହିତ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ମତମତାନ୍ତର, କବିତା କ୍ୟାଟ୍‍ୱାକ୍‍, ଗୀତ-ସଙ୍ଗୀତର କକ୍‍ଟେଲ୍‍, ଚଳଚ୍ଚିତ୍ର ପର୍ଦ୍ଦାୟନ, ଲେଖକଙ୍କ ସହ ଗପସପ, ଛବି ଓ କବିତାର ଯୁଗଳବନ୍ଦୀ, ପୁସ୍ତକ ଲୋକାର୍ପଣ, ସାକ୍ଷାତକାର, ପ୍ରଶ୍ନୋତ୍ତର ଆଦିର କାର୍ଯ୍ୟକ୍ରମ ରହିବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବଳ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.