କବି ଉତ୍ପଳ ମହାନ୍ତିଙ୍କ ଜନ୍ମଦିନ ପାଳିତ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆଜି ପୂର୍ବାହ୍ନ ୯ଟାରେ ସ୍ଥାନୀୟ ଡାଲଚିନି ହୋଟେଲ୍ ପରିସରରେ ‘ଭଲ କବିତା ଖୋଜ୍’ ପକ୍ଷରୁ ଏକ ସ୍ଵତନ୍ତ୍ର ବେଶାଖୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଆସରରେ ‘ଭଲ କବିତାର ଖୋଜ୍’ର ସମ୍ପାଦକ କବି ଉତ୍ପଳ ମହାନ୍ତିଙ୍କ ୫୫ତମ ଜନ୍ମଦିନ ପାଳିତ ହୋଇଥିଲା କବିତା ପାଠର ସ୍ଵରୋଦୟ ମଧ୍ୟରେ। ଆସରର ପ୍ରାରମ୍ଭରେ ଆବାହକ କବି ଶ୍ରୀଦେବ ଓ କବି କୃଷ୍ଣ କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ କବି ଉତ୍ପଳଙ୍କ କାବ୍ୟସର୍ଜନା ଉପରେ ଆଲୋକପାତ କରିଥିଲେ। କବି ଶ୍ରୀ ମହାନ୍ତିଙ୍କ ଜନ୍ମଦିନ ଅବସରରେ ଜନ୍ମଦିନ କେକ୍ କାଟି ଆସରକୁ ଉଦ୍ଘାଟନ କରିଥିଲେ କବି ପ୍ରଶାନ୍ତ ଦାସ ଓ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳ।
ଏହି ଆସରରେ ଯେଉଁମାନେ ଉପସ୍ଥିତ ଥାଇ କବିତା ପାଠ କରିଥିଲେ ସେମାନେ ହେଲେ କବି ଉତ୍ପଳ ମହାନ୍ତି, ଗଙ୍ଗାଧର ବିଶ୍ୱାଳ, ପ୍ରଶାନ୍ତ ଦାସ, ଶ୍ରୀଦେବ, ସିତାଂଶୁ ଲେଙ୍କା, କୃଷ୍ଣ କୁମାର ମହାନ୍ତି ଓ ଶୁଭେନ୍ଦୁ ଦାସ। କବିକନ୍ୟା ଦ୍ୟୁତି ମହାନ୍ତି ଏକ ଇଂରାଜୀ କବିତା ଆବୃତ୍ତି କରିଥିଲେ।

ସୂଚନାଯୋଗ୍ୟ ଯେ, ଏହି ଆସରରେ ଭଲ କବିତାର ଖୋଜ୍ ପକ୍ଷରୁ କବି ଉତ୍ପଳ ମହାନ୍ତି କବିତା ପାଠ ଆଉ ମାଗଣାରେ କରାନଯାଉ ବୋଲି କହିବା ସହିତ କବିମାନେ ଏଥିପ୍ରତି ସଚେତନ ହେବାକୁ ପରାମର୍ଶ ଦେବା ସହିତ ଆଜି ଠାରୁ ‘ଭଲ କବିତାର ଖୋଜ୍’ରେ ପଠିତ ପ୍ରତ୍ୟେକ ନୂଆ କବିତାକୁ ପାରିତୋଷିକ ପ୍ରଦାନ କରାଯିବ ବୋଲି ଏକ ଐତିହାସିକ ଘୋଷଣା କରିଥିଲେ। ଆଜିର ଆସରରେ କବିତା ପାଠ କରିଥିବା ସମସ୍ତ କବିଙ୍କୁ ପାରିତୋଷିକ ପ୍ରଦାନ କରାଯାଇ ଏହାର ଶୁଭାରମ୍ଭ କରାଯାଇଥିଲା। ଏହି ଆସରରେ ରାଜେଶ ଗିରି ଓ ଶଶୀରଞ୍ଜନ ମଲ୍ଲିକ ଉପସ୍ଥିତ ରହି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।





