ଆନ୍ଦୋଳନରତ ଡାକ୍ତରଙ୍କ ସହ ଆଲୋଚନା କଲା ବିଜେଡିର ସ୍ୱତନ୍ତ୍ର ଟିମ୍

• ଜିଲ୍ଲାରେ ରୋଗୀ ସେବା ଠପ୍, ରେଫରରେ ଚାଲିଛି ଚିକିତ୍ସା

• ସରକାରଙ୍କ ଦରମା ବନ୍ଦ କରାଇବା ନିଷ୍ପତ୍ତିକୁ ବିରୋଧ

ଓଡ଼ିଆ ବାର୍ତ୍ତା, ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଦଶ ଦଫା ଦାବି ପୂରଣ ନେଇ ସିଡ଼ିଏମଓ କାର୍ଯ୍ୟାଳୟ ପରିସରରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି | ଏହି ପରିପ୍ରେକ୍ଷୀରେ ବିଜେଡିର ଏକ ସ୍ୱତନ୍ତ୍ର ଟିମ୍ ଗୁରୁବାର ଅପରାହ୍ନରେ ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିବା ସହ ସେମାନଙ୍କ ସମସ୍ୟା ଓ ନାନା ବିଷୟ ନେଇ ଆଲୋଚନା କରିଛି। ବିଜୁ ଜନତା ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡିର ଏକ ଟିମ୍ ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟି ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛି। ପୂର୍ବତନ ନୀଳଗିରି ବିଧାୟକ ତଥା ରାଜ୍ୟ ସାଧାରଣ ସମ୍ପାଦକ ସୁକାନ୍ତ ନାୟକ, ପୂର୍ବତନ ସଦର ବିଧାୟକ ତଥା ରାଜ୍ୟ ସାଧାରଣ ସମ୍ପାଦକ ସ୍ୱରୂପ କୁମାର ଦାସ, ପୂର୍ବତନ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ପ୍ରମୁଖ ବଡ଼ ମେଡ଼ିକାଲରେ ପହଞ୍ଚି ଓଡ଼ିଶା ମେଡ଼ିକାଲ ସର୍ଭିସେସ୍ ଆସୋସିଏସନର ରାଜ୍ୟ ସମ୍ପାଦକ ଡା. ସଞ୍ଜୀବ ପ୍ରଧାନ, ଜିଲ୍ଲା ସଭାପତି ଡା. ସରୋଜ ରାଜ, ଜିଲ୍ଲା ସମ୍ପାଦକ ଡା. ଦିଲ୍ଲୀପ ପାତ୍ର ଓ ଉପସ୍ଥିତ ସମସ୍ତ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଦାବି ପୂରଣ ନେଇ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଥିବା ଜାଣି ଏହାକୁ ନିନ୍ଦା କରିଛନ୍ତି। ବିଜେଡି ସରକାର ସ୍ୱାସ୍ଥ୍ୟସେବା ପାଇଁ ସୁବିଧା ସୁଯୋଗ ଯୋଗାଇଥିବା ବେଳେ ଏ ସରକାର ଡାକ୍ତରଙ୍କ ସମସ୍ୟା ବୁଝିବାରେ ବିଫଳ ହୋଇଥିବା କହିଛନ୍ତି। ଫଳସ୍ୱରୂପ ଦୁଇ ଦିନ ଧରି ରୋଗୀଙ୍କୁ ବଡ଼ ମେଡ଼ିକାଲରେ ଚିକିତ୍ସା ପରିବର୍ତ୍ତେ କେବଳ ମେଡ଼ିକାଲ କଲେଜ ଓ କଟକ ରେଫର କରାଯାଉଥିବା ଭଳି ଦୟନୀୟ ପରିସ୍ଥିତିକୁ ନିନ୍ଦା କରିଛନ୍ତି। ଏଥିସହ ଘଟଣା ବିଷୟରେ ନବୀନ ନିବାସକୁ ଟିମ୍ ଅବଗତ କରାଇଛି। ପୁନଶ୍ଚ, ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ମଧ୍ୟ “କାର୍ଯ୍ୟ ବନ୍ଦ ତ ଦରମା ବନ୍ଦ” ନେଇ ଡାକ୍ତରଙ୍କୁ ସରକାରଙ୍କ ଚେତାବନୀକୁ ସଂଘ ପକ୍ଷରୁ ନିନ୍ଦା ଓ ବିରୋଧ କରାଯାଇଛି।

ଏହି ପରିପ୍ରେକ୍ଷୀରେ ବିଜେଡିର ଆନ୍ୟନ୍ୟ ନେତୃତ୍ୱଙ୍କ ମଧ୍ୟରେ ପୌର ଉପାଧ୍ୟକ୍ଷ କୈଳାଶ ସେଠୀ, ବିଜେଡି ଟାଉନ ସଭାପତି ମନୋଜ କୁମାର ରାଉତ, ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ବାଗ, ସେକ ଆୟୁବ, ସନ୍ଧ୍ୟାରାଣୀ ଜେନା, ସେକ ସାକିର, ଅଶୋକ ଦାସ, ସଞ୍ଜୟ ବେହେରା, ବିଶ୍ୱଜିତ୍ ମହାପାତ୍ର, ଅଶୋକ ଆଦ୍ୟ ପ୍ରମୁଖ ଉପସ୍ଥିତ ରହି ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ପ୍ରକାଶ ଥାଉକି, ଦଶ ଦଫା ଦାବି ନେଇ ଓଏମଏସଏ ସଂଘ ପକ୍ଷରୁ ଦୁଇ ଦିନ ଧରି ସାରା ରାଜ୍ୟରେ ଆନ୍ଦୋଳନ ଚାଲିଥିବା ବେଳେ ସମୁଦାୟ ୬ହଜାର ୫ଶହ ଡାକ୍ତର ଆନ୍ଦୋଳନରେ ବସିଛନ୍ତି। ଅନୁରୂପ ଭାବେ ବାଲେଶ୍ଵରର ୨୯୫ରୁ ଅଧିକ ଡାକ୍ତର ଦୁଇ ଦିନ ଧରି ସିଡିଏମଓ କାର୍ଯ୍ୟାଳୟ ପରିସରରେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ତେବେ ଦାବି ସମ୍ପର୍କରେ ପୂର୍ବରୁ ବାରମ୍ବାର ସରକାର ସହ ଆଲୋଚନା ଓ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ସମସ୍ୟାର ସମଧାନ ନ ହେବାରୁ ସଂଘ ଏଭଳି ଦୃଢ଼ ନିଷ୍ପତି ନେଇଥିବା ପ୍ରକାଶ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.