ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବିଶିଷ୍ଟ ସାହିତ୍ୟିକା ଓ ସମାଜସେବୀ ମୋନାଲିସା ପରିଡ଼ାଙ୍କୁ ସାହିତ୍ୟ ଏବଂ ସାମାଜିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମେରିକାର ଭର୍ଚୁଆଲ୍ ଅଟୋନୋମସ୍ ୟୁନିଭର୍ସିଟି ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି। ସେହିପରି ଗ୍ଲୋବାଲ୍ ଆୱାର୍ଡ ରେକଗ୍ନିସନ୍ କାଉନ୍ସିଲ୍ (GARC) ପକ୍ଷରୁ ତାଙ୍କୁ ‘କବି ଭୂଷଣ’ ସମ୍ମାନରେ ମଧ୍ୟ ଭୂଷିତ କରାଯାଇଛି। ନୂଆଦିଲ୍ଲୀର ଚାଣକ୍ୟପୁରୀସ୍ଥିତ ଆନ୍ତର୍ଜାତିକ ୟୁଥ୍ ହଷ୍ଟେଲରେ ଆୟୋଜିତ ଏହି ସମ୍ମାନ ସମାରୋହ ଆନ୍ତର୍ଜାତିକ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚୋରାଚାଲାଣ ବିରୋଧୀ ଦିବସ ଅବସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସାହିତ୍ୟିକ, ସମାଜସେବୀ ଏବଂ ଯୁବ ପ୍ରତିନିଧିମାନେ ଉପସ୍ଥିତ ରହି ସାମାଜିକ ସଚେତନତାର ବାର୍ତ୍ତା ପ୍ରସାରରେ ସାମିଲ ହୋଇଥିଲେ।ଏହି ସମ୍ମାନ ପାଇଁ ମୋନାଲିସା ପରିଡ଼ା ଡଃ ସଚ୍ଚିଦାନନ୍ଦ ଶାଣ୍ଡିଲ୍ୟ, ଡଃ ପ୍ରସନ୍ନ କୁମାର ଦଳାଇ ଓ ନରୋତ୍ତମ ପରିଡ଼ାଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ, ସାହିତ୍ୟ ଓ ସମାଜସେବାର ପରିବର୍ତ୍ତନକାରୀ ଶକ୍ତି ଉପରେ ଯେଉଁମାନଙ୍କର ବିଶ୍ୱାସ ରହିଛି, ସେମାନଙ୍କୁ ସେ ଏହି ସମ୍ମାନ ଉତ୍ସର୍ଗ କରୁଛନ୍ତି। ଏହି ସ୍ୱୀକୃତି ତାଙ୍କୁ ସମାଜସେବାରେ ଅଧିକ ନିଷ୍ଠା ଓ ଉତ୍ସାହ ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ସେ ପ୍ରକାଶ କରିଥିଲେ। ଜଣେ ପ୍ରତିଷ୍ଠିତ ସାହିତ୍ୟିକା ଓ ସମାଜକର୍ମୀ ଭାବେ ମୋନାଲିସା ପରିଡ଼ା ସାହିତ୍ୟକୁ ସାମାଜିକ ସଚେତନତା ଏବଂ ସମୁଦାୟର ବିକାଶର ଏକ ପ୍ରଭାବଶାଳୀ ମାଧ୍ୟମରେ ପରିଣତ କରିଆସିଛନ୍ତି। ତାଙ୍କର ସାହିତ୍ୟିକ ସାଧନା ସହିତ ତୃଣମୂଳ ସ୍ତରର ସାମାଜିକ କାର୍ଯ୍ୟକୁ ସ୍ୱୀକୃତି ଦେଇ ଏହି ଦୁଇଟି ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କୁ ବିଭିନ୍ନ ମହଲରୁ ଏଥିପାଇଁ ଅଭିନନ୍ଦନ ଜ୍ଞାପନ କରାଯାଇଛି।





