ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ବିଶାଖାପାଟଣା ୬ ନମ୍ବର ରାଜ୍ୟ ରାଜପଥରେ ଗତ ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ସିକେରକୁପା ନିକଟସ୍ଥ ଏକ ଅଣଓସାରିଆ ପୋଲ ନିକଟରେ କୋଇଲା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଛି। ଫଳରେ ଡ୍ରାଇଭର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଟ୍ରକଟି ବିଶାଖାପାଟଣାରୁ କୋଇଲା ବୋଝେଇ କରି ରାୟପୁର ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା। ସିକେରକୁପା ନିକଟରେ ଥିବା ସଂକୀର୍ଣ ପୋଲ ଉପରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ରାସ୍ତା କଡ଼ରୁ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଟ୍ରକ୍ ଭିତରେ ଫସି ରହିଥିଲେ।ଘଟଣା ସମ୍ପର୍କରେ ଖବର ପାଇ ସିକେରକୁପା ଫାଣ୍ଡି ପୁଲିସ ଓ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲେ। ତେବେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ସିକେରକୁପା ଫାଣ୍ଡି ଅଧିକାରୀ ମୂରଲୀ ମୋହନ ପିଡିକା ଘଟଣାର ଅଧିକ ତଦନ୍ତ କରୁଛନ୍ତି। ଏହି ୬ ନମ୍ବର ରାଜ୍ୟ ରାଜପଥରେ ଦିନକୁ ଦିନ ଦୁର୍ଘଟଣା ବଢ଼ି ଚାଲିଛି। ଅଣଓସାରିଆ ପୋଲ, ବାରମ୍ବାର ମୋଡ଼ ଓ ଦ୍ରୁତ ଗତି ଯୋଗୁଁ ଅନେକ ସମୟରେ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ସ୍ଥାନୀୟ ବାସିନ୍ଦା ଓ ଗାଡ଼ି ଚାଳକମାନେ ଏହି ରାସ୍ତାର ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସହ ଅଣଓସାରିଆ ପୋଲଗୁଡିକୁ ପ୍ରଶସ୍ତ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।





