ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଲା ଓସୱାସ୍ ପ୍ରଶିକ୍ଷଣ ଶିବିର : ଡିଜିଟାଲ୍ ଓ ଇକୋ-ଫ୍ରେଣ୍ଡଲି ପ୍ରଶାସନ ଦିଗରେ ବଡ଼ ପଦକ୍ଷେପ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଓଡ଼ିଶା ଷ୍ଟେଟ୍ ୱର୍କଫ୍ଲୋ ଅଟୋମେସନ ସିଷ୍ଟମ’ର ସଫଳ ରୂପାୟନ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ, ସ୍ୱଚ୍ଛ ଏବଂ ନିରାପଦ କରିବା। ଏହି ଡିଜିଟାଲ୍‌ ବ୍ୟବସ୍ଥାର ସୁଗମ ପରିଚାଳନା ପାଇଁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟରର ଏକ ବୈଷୟିକ ଟିମ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ଏହି ବ୍ୟାପକ ତାଲିମ ଶିବିରରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ପ୍ରଶାସନିକ ବିଭାଗର ଜୁନିୟର ତଥା ସିନିୟର ଆସିଷ୍ଟାଣ୍ଟ ଏବଂ ସେକ୍ସନ ଅଫିସରମାନେ ସାମିଲ ହୋଇଥିଲେ। ଏଥିସହ ବିଭିନ୍ନ ସ୍ନାତକୋତ୍ତର ବିଭାଗର ମୁଖ୍ୟ, ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ, ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ, ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ ପ୍ରମୁଖ ଅଂଶଗ୍ରହଣ କରି ଏହି ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇଥିଲେ। ପ୍ରଶିକ୍ଷଣ ଶିବିର ସମ୍ପର୍କରେ ସୂଚନା ଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ କହିଛନ୍ତି , “ଓସୱାସ୍ ବ୍ୟବସ୍ଥା ବିଶ୍ୱବିଦ୍ୟାଳୟର କାର୍ଯ୍ୟଦକ୍ଷତା ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ବହୁଗୁଣିତ କରିବ। ଏହା ଦ୍ୱାରା ବିଶ୍ୱବିଦ୍ୟାଳୟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଫାଇଲ୍‌କୁ ସୁରକ୍ଷିତ ଭାବେ ଡିଜିଟାଲ୍‌ ରୂପେ ସଂରକ୍ଷିତ କରାଯାଇପାରିବ। ଏହାସହ କାଗଜର ବ୍ୟବହାର ହ୍ରାସ ପାଇବା ଫଳରେ ଏହା ପରିବେଶ ସୁରକ୍ଷା ଦିଗରେ ମଧ୍ୟ ଏକ ବଡ଼ ପଦକ୍ଷେପ ସାବ୍ୟସ୍ତ ହେବ।” ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳସଚିବ, ପି.ଜି. କାଉନସିଲ୍ ଅଧ୍ୟକ୍ଷ ଏବଂ ଆର୍ଥିକ ନିୟନ୍ତ୍ରକ ଉପସ୍ଥିତ ରହି ବିଶ୍ୱବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଡିଜିଟାଲ୍ ଏବଂ ଇକୋ-ଫ୍ରେଣ୍ଡଲି କରିବା ଦିଗରେ ଏହି ପ୍ରଶିକ୍ଷଣ ଶିବିରର ସମୀକ୍ଷା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.