ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲାପାଳ ଅନ୍ୟା ଦାସ ଆଜି ବୋଡ଼େନ ବ୍ଲକର ଭଇସାଦାନୀ ଗ୍ରାମ ପଞ୍ଚାୟତ ଅଞ୍ଚଳ ଗସ୍ତ କରି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗ୍ରାମୀଣ ଭିତ୍ତିଭୂମି ଓ ଜୀବିକା ସମ୍ପର୍କିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ପ୍ରଥମେ ଧୋବେଇସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ (ଏସ୍ଏସ୍ଡି) ପରିଦର୍ଶନ କରି ଜିଲ୍ଲାପାଳ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ। ପାଠପଢ଼ା ଓ କ୍ରୀଡ଼ାରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ପିଲାମାନଙ୍କୁ ଉତ୍ସାହିତ କରିବା ସହ ଗଣିତ ଓ ବିଜ୍ଞାନ ଶିକ୍ଷାର ମାନ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। ବିଦ୍ୟାଳୟ ପରିସରରେ କିଚେନ୍ ଗାର୍ଡେନ୍ ପ୍ରତିଷ୍ଠା ଓ ଶ୍ରେଣୀ ଗୃହର ବ୍ଲାକବୋର୍ଡଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ପରାମର୍ଶ ଦେଇଥିଲେ। ଖେଳପଡ଼ିଆ ଓ ପାଚେରି ନିର୍ମାଣ ସମ୍ପର୍କିତ ଦାବିର ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବାକୁ ବୋଡ଼େନ ବିଡିଓଙ୍କୁ କହିଥିଲେ। ପରେ ଭଇସାଦାନୀ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ, ଭଇସାଦାନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ପରିଦର୍ଶନ କରି ପାଟଧରା ସାପ୍ତାହିକ ହାଟ ପରିଦର୍ଶନ ମନରେଗା ଯୋଜନାରେ ନିର୍ମିତ ପାଟଧରା ଚେକ୍ ଡ୍ୟାମ୍ ପରିଦର୍ଶନ କରି ଜଳ ସଂରକ୍ଷଣ ଓ ଭୂତଳ ଜଳସ୍ତର ବୃଦ୍ଧିରେ ଏହାର ଗୁରୁତ୍ୱ ସମୀକ୍ଷା କରିଥିଲେ।ପାଟଧରାଠାରେ ଗ୍ରାମବାସୀଙ୍କ ସହ ଆଲୋଚନା କରି ଫସଲ ବିବିଧକରଣ ଓ ପଶୁପାଳନ ମାଧ୍ୟମରେ ଜୀବିକା ଓ ଆୟ ବୃଦ୍ଧି ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। କୋଇମୁଣ୍ଡାସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ଭବିଷ୍ୟତ ଲକ୍ଷ୍ୟ ଓ ଆକାଂକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କରିବା ସହ ବିଦ୍ୟାଳୟରେ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଆୟୋଜନ ଉପରେ ଗୁରୁତ୍ୱାରୋପ କରିଥିଲେ। ଗସ୍ତ ଅବସରରେ ପାଟଧରାଠାରେ ସହନଶୀଳତା ପାଇଁ ଅନୁକୂଳନ (Adapt for Resilience) ପ୍ରକଳ୍ପ ଅନ୍ତର୍ଗତ ଆୟୋଜିତ ଗ୍ରାମସ୍ତରୀୟ କ୍ୟାସକେଡ୍ ପ୍ରଶିକ୍ଷଣରେ ଯୋଗଦେଇ ଜିଲ୍ଲାପାଳ ଜଳବାୟୁ ସହନଶୀଳ କୃଷି ପଦ୍ଧତି, ଜଳ ସଂରକ୍ଷଣ ଓ ସ୍ଥାୟୀ ଜୀବିକା ଗ୍ରହଣ ଉପରେ ଗୁରୁତ୍ୱ ଦେଇଥିଲେ।





