କଳାହାଣ୍ଡି,୧୩/୧(ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ଶ୍ରୀରାମକୃଷ୍ଣ ଆଶ୍ରମ ଠାରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ମହୋତ୍ସବ ତଥା ଜାତୀୟ ଯୁବ ଦିବସ ସଂପାଦକ ସ୍ୱାମୀ ଶାସ୍ତ୍ରଚିଦାନନ୍ଦଙ୍କ ପୌରୋହିତ୍ୟରେ ମହାଆଡ଼ମ୍ବର ସହକାରେ ପାଳନ କରାଯାଇଛି । ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ଆଶ୍ରମର ଅନ୍ତେବାସୀଙ୍କ ସହ ପ୍ରାୟ ଏକହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ସ୍ୱାମୀଜୀଙ୍କ ପ୍ରତିକୃତି ସହିତ ମ.ରାମପୁର ଆଶ୍ରମରୁ ବାହାରି ମଟୋଗଣ୍ଡା ଶାଖା ଆଶ୍ରମକୁ ଯାଇଥିଲା । ତତ୍ପରେ ବିବେକାନନ୍ଦ ସ୍ମୃତି ଭବନରେ ଆୟୋଜିତ ସଭାର ପ୍ରାରମ୍ଭରେ ଠାକୁର, ମାଁ, ସ୍ୱାମୀଜୀଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ସହିତ ପୂଜାର୍ଚ୍ଚନା ପରେ ସ୍ୱାମୀ ପ୍ରଜ୍ଞାନନ୍ଦଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ କରାଯାଇଥିଲା ।ପ୍ରାରମ୍ଭରେ ସମ୍ମାନୀତ ଅତିଥି ଅବସର ପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହେଇ ଆମେ ସମସ୍ତେ ଶୃଙ୍ଖଳିତ ଜୀବନଯାପନ ପୂର୍ବକ ଏକ ନୂତନ ଭାରତ ଗଢିତୋଳିବାକୁ ଶପଥ ନେବା । ତତ୍ପରେ ମୁଖ୍ୟ ଅତିଥି ଡ଼ଃ ଯୁଗ୍ମ ସଚିବ ଆଦିବାସୀ ହରିଜନ ଉନ୍ନୟନ ବିଭାଗ,ଓଡ଼ିଶା ସରକାର ଡକ୍ଟର ନୃପରାଜ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ – ମଣିଷ ଦୀର୍ଘ ଜୀବନ କାଳ ସ୍ୱାର୍ଥପର ଭାବେ ବଂଚିବା ଅପେକ୍ଷା ସ୍ୱଳ୍ପ ଜୀବନକାଳ ମଧ୍ୟରେ ଉନ୍ନତ ତଥା ନିଃସ୍ୱାର୍ଥପର ଭାବେ ସମାଜ ତଥା ଦେଶପାଇଁ ତ୍ୟାଗ ଓ ସେବା ଯୋଗାଇବା ହିଁ ସଫଳ ଜୀବନ । ନାରୀ ସଶକ୍ତିକରଣ ଉପରେ ପ୍ରାଧାନ୍ୟ ଦେଇ ଡକ୍ଟର ସାହୁ କହିଥିଲେ ଯେ, ନାରୀ ଜାତିର ସର୍ବବିଧ ଉନ୍ନତି ହିଁ ଦେଶର ଉନ୍ନତି । ସମ୍ମାନୀୟ ବକ୍ତା ସ୍ୱୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣାର ଅଧ୍ୟାପକ ପଦ୍ମଲୋଚନ ଭୋଇ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ, ଆଧୁନିକ ସମାଜର ଯୁବକଯୁବତୀମାନେ ମୋବାଇଲ ଫୋନ ପ୍ରତି ବହୁଳ ଭାବରେ ଆକର୍ଷିତ ନହୋଇ ପ୍ରତ୍ୟକ୍ଷ ଭାବେ ଉପାଦେୟ ପୁସ୍ତକରେ ମନୋନିବେଶ କଲେ ଏକ ସଂସ୍କାରିତ ଜୀବନଯାପନ କରିପାରିବେ । ପରେ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି ସଭାକୁ ଅନ୍ନଦା ପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଗୋବିନ୍ଦ ଚନ୍ଦ୍ର ମହାନ୍ତି ।
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମ.ରାମପୁର ଠାରେ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ
ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମଧ୍ୟ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାଗବତ ଓ ଗୀତାପାଠ ପ୍ରଚାରକ ଇସ୍କନ ଭୁବନେଶ୍ୱର ମୁଖ୍ୟ ସୁଶିଲ କୃଷ୍ଣ ଦାସ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ସ୍ୱାମୀଜୀଙ୍କ ଲକ୍ଷ୍ୟ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଆମେ ସମସ୍ତେ କିପରି କାର୍ଯ୍ୟ କରିବା ଉଚିତ ସେଥିପ୍ରତି ମାର୍ଗ ଦର୍ଶନ ପ୍ରଦାନ କରିଥିଲେ । ବିଦ୍ୟାଳୟର ଗୁରୁମା ଆରତୀ ମହାପାତ୍ର ମଂଚ ପରିଚାଳନା କରିଥିଲେ । ଗୁରୁମା ସବିତା ଷଡ଼ଙ୍ଗୀ ସ୍ୱାମୀଜୀଙ୍କ ଜୀବନୀ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ଶେଷରେ ଗୁରୁଜୀ ନବୀନ କୁମାର ଭୋଇ ଧନ୍ୟବାଦା ଅର୍ପଣ କରିଥିଲେ ।
_________________________________________