ପ୍ରଥମ କୋଶମ୍ବ ମେଳା ଉଦଯାପିତ : ଆଗାମୀ ପିଢ଼ିକୁ ଏହା ଅନୁପ୍ରେରିତ କରିବ

●ମନ ମୋହିଲେ କୋଶମ୍ବ ରାଜାବେଶରେ ଯାତ୍ରାସମ୍ରାଟ୍ ଦୈତାରୀ ପଣ୍ଡା
●ବାରିପଦା ଓ ନୀଳଗିରିର
ମହାରାଜା ଓ ମହାରାଣୀ ପାଲଟିଲେ ଆକର୍ଷଣର କେନ୍ଦ୍ରବିନ୍ଦୁ

ବାଲେଶ୍ୱର, ୩/୨:(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) କୋଶମ୍ବ ହେଉଛି ବାଲେଶ୍ୱରର ପୁରାତନ ନାମ। ଏ ନାମକୁ ବାଲେଶ୍ଵର ବାସୀ ଭୁଲିବାକୁ ବସିଥିବା ବେଳେ ଏବର୍ଷ ଠୁ ଆରମ୍ଭ ହେଲା କୋଶମ୍ବ ମେଳା। ପ୍ରାଚୀନ ନାମକୁ ପୁନରୁଜ୍ଜୀବିତ କରି ରଖିବା ଲକ୍ଷ୍ୟରେ ନୂଆ ବାଲେଶ୍ଵର ଅଞ୍ଚଳର ସଚେତନ ନାଗରିକମାନେ ଆରମ୍ଭ କରିଛନ୍ତି ଏହି ମେଳା। ଏଥିସହ ଏହି ମେଳା ଅାଗାମୀ
ପିଢିକୁ ଅତୀତର ଐତିହ୍ୟ, ସଂସ୍କୃତି, ବାଣିଜ୍ୟ ଓ ପରମ୍ପରା ସହ ପରିଚିତ କରାଇ ପାରିବ କୋଶମ୍ବ ମେଳା।

ଅାଦି ବାଲେଶ୍ୱରର ମୁଖଶାଳା ଏହି କୋଶମ୍ବ ମେଳା ଅତୀତ ଓ ଭବିଷ୍ୟତର ମିଳନ ମେଳା ଭାବେ ହେବ ପରିଗଣିତ। ସଦର ମହକୁମା ଓ ରମଣୀୟ ରେମୁଣାର ମିଳନ ମେଖଳା ହୋଇ ବାଲେଶ୍ୱରର ବିକାଶ ରଥକୁ ଅାଗେଇ ନେବ ଏହି ମେଳା। ଉଦଘାଟକ ଭାବେ ଯୋଗ ଦେଇ ବାଲେଶ୍ୱରର ପ୍ରାକ୍ତନ ଜିଲ୍ଲପାଳ ଡକ୍ଟର ଅଲେଖ ଚନ୍ଦ୍ର ପଢିଅାରୀ ଏହି ଭବିଷ୍ୟବାଣୀ କରିଛନ୍ତି।

ପ୍ରଥମଥର ଏପରି ଏକ ମେଳାର ଅାୟୋଜନ ବାଲେଶ୍ଵର ଠାରେ କରାଯାଇଥିବା ବେଳେ ଏହା ଦୁଇ ଦିନିଅା ଉତ୍ସବ ଭାବେ ପବିତ୍ର ସରସ୍ବତୀ ପୂଜା ଅବସରରେ ଉଦଘାଟିତ ହୋଇଥିଲା। ରେମୁଣା ବ୍ଳକର ରେମୁଣା ଗୋଲେଇ ନିକଟସ୍ଥ ଭୀମପୁରା ଓ ଗଣେଶ୍ୱରପୁର ଗ୍ରାମ ପଞ୍ଚାୟତର ମିଳନ ସ୍ଥଳ ଦଧୀବାମନ ଖେଳ ପଡିଅାରେ କୋଶମ୍ବ ଉନ୍ନୟନ ପରିଷଦ ଦ୍ୱାରା ଏହି କୋଶମ୍ବ ମେଳା ଆୟୋଜିତ ହୋଇଥିଲା।

ଉଦଘାଟନୀ ସନ୍ଧ୍ୟାରେ ବାଲେଶ୍ୱରର ପ୍ରାକ୍ତନ ଜିଲ୍ଲାପାଳ ଡକ୍ଟର ଅଲେଖ ଚନ୍ଦ୍ର ପଢିଅାରୀ କୋଶୋମ୍ବ ମେଳାକୁ ଅାନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଯୋଗଦେଇ ଅାୟୋଜକମାନଙ୍କ ମହତ ପ୍ରୟାସକୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ରେମୁଣା ବ୍ଳକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ, ଗଣେଶ୍ୱରପୁର ସରପଂଚ ସୀତାଳି ଗିରି, ଉପସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି, ହାସ୍ୟ ଅଭିନେତା ମୁନା ପରମାଣିକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା କୋଶମ୍ବ ରାଜା ବେଶରେ ସଜ୍ଜିତ ହୋଇ କୋଶମ୍ବ ରାଜାଙ୍କ ସଂଳାପ ମାଧ୍ୟମରେ ଭରପୂର ମନୋରଞ୍ଜନରେ ପରିବେଶକୁ ମହକାଇ ଦେଇଥିଲେ। ପରିଷଦର ସଭାପତି ଭଗବାନଦାସ ଖଣ୍ଡେଲବାଲ ଏଥିରେ ଅଧ୍ୟକ୍ଷତା କରିଥିଲେ।ସଂପାଦକ ଶିଳ୍ପୀ କେଶୁଦାସ ପ୍ରାକ ସୂଚନା ପ୍ରଦାନ କରିଥିବା ବେଳେ ପରିଷଦର କୋଷାଧ୍ୟକ୍ଷ ବଳଭଦ୍ର ଶତପଥୀ ବେଦ ପାଠ କରିଥିଲେ।ଅଧ୍ୟାପକ ପ୍ରଦୀପ୍ତ ମିଶ୍ର ଅତିଥିଙ୍କୁ ମଂଚ ଅାହ୍ବାନ ସହ ପରିଚୟ ପ୍ରଦାନ କରିଥିଲେ। ଶେଷରେ ସହ-ସଂପାଦକ ଜୟକୃଷ୍ଣ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

ଉଦଯାପନୀ ସଂଧ୍ୟାରେ ମହାରାଜା, ମହାରାଣୀ ଓ ଅତିଥିମାନଙ୍କୁ କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ସ୍ବାଗତ କରାଯିବା ସହ ପୂଜାପାଠ କରାଯାଇଥିଲା। ପରେ ପରେ ସମସ୍ତେ କାଠସଙ୍ଗଡା ଠାରେ ଶୋନ, ଗଙ୍ଗାହାର ଓ ବୁଢାବଳଙ୍ଗ ନଦୀର ପବିତ୍ର ସଂଗମ ସ୍ଥଳ ତ୍ରିବେଣୀ ତୀର୍ଥ ଦର୍ଶନ କରିଥିଲେ। ଶେଷରେ ରେମୁଣା ଗୋଲେଇ ଠାରୁ ନୀଳଗିରି ବଣଧୂଳିର ଫୁଲ ତଥା ଗଣେଶ୍ୱରପୁରର ମାରାଂବୁରୁ ଅାଦିବାସୀ ନୃତ୍ୟ ମଣ୍ଡଳୀର ଅାଦିବାସୀ ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରି ଶୋଭାଯାତ୍ରରେ ଅତିଥିମାନଙ୍କୁ ମଂଚସ୍ଥଳ ପର୍ଯ୍ୟନ୍ତ ପାଛୋଟି ଅଣା ଯାଇଥିଲା। ମଂଚ ପାଖରେ ଦୁଇଟି ଗ୍ରାମର ଶତାଧିକ ମହିଳା ଫୁଲଚନ୍ଦନ, ଶଙ୍ଖ ହୁଳହୁଳି ଦେଇ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ମୟୂରଭଞ୍ଜ ମହାରାଜା ପ୍ରବୀଣ କୁମାର ଭଞ୍ଜଦେବ ଓ ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେବ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ନୀଳଗିରି ରାଣୀ ମନୋଜାମଞ୍ଜରୀ ଦେବୀ, ଭୀମପୁରା ସରପଂଚ ଦୀବେଶ ରଞ୍ଜନ ପରମାଣିକ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବରେ ଗବେଷକ ତଥା ପ୍ରାକ୍ତନ ସାଂସଦ ଡକ୍ଟର କାର୍ତ୍ତିକେଶ୍ୱର ପାତ୍ର ଏବଂ ଅନ୍ୟତମ ବକ୍ତା ଭାବରେ ‘ପୁନଶ୍ଚ ଉତ୍କଳପ୍ରଭା’ର ସଂପାଦିକା ତଥା ସୁଲେଖିକା ଡକ୍ଟର କବିତା ବାରିକ ଯୋଗଦେଇ ବାଲେଶ୍ୱରର ହୃତ ଗୌରବ ଉପରେ ଅାଲୋକପାତ କରିଥିଲେ।ଉଦଯାପନୀ ସଂଧ୍ୟାର ସଭାକୁ ପରିଷଦର ବରିଷ୍ଠ ଉପଦେଷ୍ଟା ହରମୋହନ ଦାଶ ପୌରୋହିତ୍ୟ କରିଥିବା ବେଳେ ସଂଯୋଜକ ଶିବ ଦାସ ଅତିଥିମାନଙ୍କୁ ମଂଚ ଅାହ୍ବାନ ସହ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବାରିପଦାର ଶିଶୁ ଛଉ ନୃତ୍ୟଶିଳ୍ପୀ ଡିମ୍ପଲ ସାହୁଙ୍କୁ ପୁଷ୍ପଗୁଚ୍ଛ, ପ୍ରଶଂସା ପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ଶିଶୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ନୃତ୍ୟ ଗୀତ ପ୍ରତିଯୋଗିତାର ବିଚାରକ ଅମୃତାଂଶୁ ପଟ୍ଟନାୟକ, ମମତା ତ୍ରିପାଠୀ, ବସନ୍ତ ଭୋଇ ଓ ଅାନନ୍ଦ ରଞ୍ଜନ ଜେନାଙ୍କୁ ସମ୍ମାନିତ କରିବା ସହ ପୁରସ୍କୃତ ଶିଳ୍ପୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା।

ପ୍ରଥମ ଦିନ ଅପରାହ୍ଣରେ ବାଲେଶ୍ୱରର ବ୍ୟଙ୍ଗ କବି ରାମଚନ୍ଦ୍ର ମାଝୀଙ୍କ ପୌରୋହିତ୍ୟରେ ଗଗନ ସେଠୀଙ୍କ ସଂଯୋଜନାରେ ଏକ ଅାକର୍ଷଣୀୟ ବ୍ୟଙ୍ଗ କବିତା ଅାସର ଅାୟୋଜିତ ହୋଇଥିଲା। ଏଥିରେ ପଦ୍ମଲୋଚନ ପ୍ରଧାନ, ପ୍ରଭାକର ସାହୁ, ବିଶୁ ବାଦସାହା, ସନ୍ୟାସୀ ପାତ୍ର ପ୍ରମୁଖ ବ୍ୟଙ୍ଗ କବିତା ପାଠ କରି ଦର୍ଶକମାନଙ୍କୁ ହସେଇ ମଜେଇ ଥିଲେ। ଦୁଇ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମକୁ କମଳ ବିହାରୀ ଦାସ, ସସ୍ମିତା ଦାସ, ମମତା ତ୍ରିପାଠୀ, ସୌମ୍ୟାଶ୍ରୀ ପାତ୍ର ପରିାଳନା କରିଥିବା ବେଳେ ବାଲେଶ୍ୱର କଳା ପରିଷଦ, ଗୁରୁ ଗଙ୍ଗାଧର କଳା କେନ୍ଦ୍ର ଓ ସ୍ଥାନୀୟ କଳାକାର ଦ୍ୱାରା ଅାକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ମେଳାକୁ ପ୍ରଦୀପ୍ତ ଦାସ, ନିତ୍ୟାନନ୍ଦ ପ୍ରଧାନ, ମୁରଲୀଧର ଦାସ, ଇଂ ଅଶୋକ ସେଠୀ, କ୍ଷୀତିଶ ନାୟକ, ପ୍ରଦୀପ ସାହୁ, ଗଣେଶ ବେହେରା, ଜିତେନ୍ଦ୍ର ନାୟକ, ଦମୟନ୍ତୀ ବାଗ, ଗୀତାଳି ମାହାର୍ଣ୍ଣା, ଉମାକାନ୍ତ ବେହେରା, ଅମର ଜ୍ୟୋତି ପ୍ରଧାନ, ଅଜୟ ମାଇକାପ, ଦେବାଶିଷ ରାଉଳ, ଚନ୍ଦନ ଅାଚାର୍ଯ୍ୟ, ସରୋଜ ପାତ୍ର, ଗୌରହରି ନାୟକ, ବଳରାମ ଜେନା, ହରିହର ଦାସ, ବିଜୟ ଅାଚାର୍ଯ୍ୟ, ରତିକାନ୍ତ ବେହେରା, ଚୈତନ୍ୟ ପଢିହାରୀ, ବିଶ୍ୱନାଥ ରଣା, ବୁଧିରାମ ସିଂ ପ୍ରମୁଖ ପରିଚାଳନା କରିଥିଲେ।


୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.