ବିକାଶର କିରଣ ଦେଖି ନଥିବା ଆଦିବାସୀ ପଲ୍ଲୀ ତୁର୍କା

ଗମନା ଗମନ ମୁଖ୍ୟ ସମସ୍ୟା, ବିଜୁଳୀ ସାତ ସପନ, ଏଠି ବିଫଳ ହୋଇଛି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ପ୍ରହସନ ପାଲଟିଛି ଆବାସ ଯୋଜନା, ଅନ୍ତ ହଉନାହିଁ ଜଳ କଷ୍ଟ

ଲାଞ୍ଜିଗଡ଼,୨୦/ ୩ : ଗାଁକୁ ଭାରତର ଆତ୍ମା ବୋଲି କୁହାଯାଏ । ଗ୍ରାମାଞ୍ଚଳର ବିକାଶ ହେଲେ ଦେଶର ବିକାଶ ତ୍ବରାନ୍ବିତ ହୋଇଥାଏ । ତେଣୁ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଲାଞ୍ଜିଗଡ ବ୍ଲକର ଅନେକ ଗାଁ ଅବହେଳିତ ହୋଇ ପଡିଛି । ଏହି ଗାଁ ମାନଙ୍କ ଭିତରୁ ଗୋଟିଏ ହେଉଛି ଦୂର୍ଗମ ଲାଞ୍ଜି ପଞ୍ଚାୟତର ‘ତୁର୍କା’ ଗାଁ । ଏହି ଗାଁରେ ବାସ କରନ୍ତି ୩୫ଟି ଆଦିବାସୀ ପରିବାର । ବ୍ଲକ ମହକୁମା ବିଶ୍ବନାଥପୁର ଠାରୁ ଏହି ଗାଁର ଦୂରତା ୩୫କିମି ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୧୮କିମି । ଏହି ଗାଁରେ ଅନେକ ଗୁଡିଏ ସମସ୍ୟା ଦେଖା ଦେଇଥିବା ବେଳେ ମୁଖ୍ୟ ସମସ୍ୟା ହେଉଛି ଗମନା ଗମନ ।

ରାସ୍ତା ନଥିବାରୁ ଗ୍ରାମବାସି ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯେ କୈାଣସି ରୋଗ ହେଲେ କିମ୍ବା ଗର୍ଭବତି ମହିଳାଙ୍କୁ ଖଟିଆରେ ବୋହି ୮କିମି ପାଦରେ ଚାଲି ଚାଲି ମୁଖ୍ୟ ରାସ୍ତାକୁ ଅଣା ଯାଇଥାଏ । ଗାଁରେ ରାସ୍ତା ଅଭାବରୁ ଏଠିକାର ଲୋକେ ଇଟା,ବାଲି ସିମେଣ୍ଟ ଆଣି ନପାରି ପ୍ରଧାନମନ୍ତ୍ରୀ ଆବାସ ସବୁ ନିର୍ମାଣ କରି ପାରୁନାହାନ୍ତି । ରାସ୍ତା ନଥିବାରୁ ପାଦରେ ଚାଲି ଚାଲି ୧୫କିମି ପିଡିଏସ ସାମଗ୍ରୀ ପାଇଁ ପଞ୍ଚାୟତକୁ ଯିବାକୁ ପଡିଥାଏ । ସ୍କୁଲ ନଥିବାରୁ ଗାଁ ପିଲା ପାଠ ପଢିନପାରି ବେକାର ହୋଇ ଗାଇ ଚରାଇ ବୁଲୁଛନ୍ତି । କିଛିପିଲା ଜଙ୍ଗଲ ରାସ୍ତାରେ ଚାଲିଚାଲି ଯୁବାଗାଁ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ଅନ୍ୟତମ ସମସ୍ୟା ହେଉଛି ପିଇବା ପାଣି । ଗାଁରେ ନଳକୁଅ ନଥିବାରୁ ନାଳପାଣି ଉପରେ ଭରସା କରୁଛନ୍ତି ଏଠାକାର ଅଧିବାସି । ଅନେକ ସରକାରୀ ଯୋଜନା ଥିଲେ ବି ସବୁ ଅପହଞ୍ଚ ହୋଇପଡିଛି ଏଠାକାର ଅଧିବାସିଙ୍କ ପାଇଁ ? ରାସ୍ତା ନଥିବା କାରଣରୁ ସରକାରୀ କର୍ମଚାରୀ ମାନେ ଉକ୍ତ ଅଞ୍ଚଳର ଦୁଃଖସୁଖ ବୁଝିବା ପାଇଁ ଗାଁକୁ ଯିବାକୁ ଇଛା ପ୍ରକାଶ କରନ୍ତି ନାହିଁ ।

ଏହି ଗାଁରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ସମ୍ପୁର୍ଣ୍ଣ ଫେଲ୍ । ଗାଁରେ ଗୋଟିଏ ହେଲେ ପାଇଖନା ନାହିଁ । ଗାଁର ଲୋକେ ବାହାରେ ମଳତ୍ୟାଗ କରି ଅନେକ ସଂକ୍ରାମକ ରୋଗରେ ପିଡିତ ହେଉଛନ୍ତି । ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଅନେକ ଶିଶୁ ଅପପୃଷ୍ଟିର ଶିକାର ହେଉଛନ୍ତି । ସେ ଗାଁ ପାଇଁ ବିଜୁଳି ଆଲୁଅ ସାତସପନ ? ଡିବିରି ଆଲୁଅ ହିଁ ସେମାନଙ୍କ ସାହାଭରସା । ଏମିତି ବିଭିନ୍ନ ସମସ୍ୟା ଦେଇ ଘାଣ୍ଟି ଚକଟି ହେଉଛନ୍ତି ତୁର୍କା ଗ୍ରାମବାସି । ଚଳିତ ବର୍ଷ ମୁଖ୍ୟରାସ୍ତା ଠାରୁ ଯୁବାଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ହୋଇଛି । ଆଉ ୮କିମି ରାସ୍ତା ହୋଇଥିଲେ ଏହି ଗାଁର ଭାଗ୍ୟ ବଦଳି ଯାଇଥାନ୍ତା । କିନ୍ତୁ ଏହି ରାସ୍ତା ହୋଇ ପାରିଲା ନାହିଁ । ଗାଁ ବିଭିନ୍ନ ସମସ୍ୟାକୁ ନେଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଛନ୍ତି ହେଲେ କୈାଣସି ଅଧିକାରୀ ସେମାନଙ୍କ ଦୁଃଖ ବୁଝୁ ନାହାନ୍ତି ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ । ତେଣୁ ଏହା ଆଦିବାସୀ ପଲ୍ଲୀ ଉପରେ ପ୍ରଶାସନର ଶୁଭ ଦୃଷ୍ଟି ପଡୁ ବୋଲି ବୁଦ୍ଧିଜିବୀ ମହଲରୁ ମତ ପ୍ରକାଶ ପାଇଛି ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.