ରାୟଗଡା,୨୭/୫ : ରାୟଗଡ ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ ଶ୍ରମିକଙ୍କୁ ବିଭିନ୍ନ କ୍ଷତ୍ରରେ ବିଶେଷ କରି କୃଷି, ଉଦ୍ୟାନ, ମତ୍ସ୍ୟ ଜଳବିଭଜିକା ମିଶନ ଓ ବନ ବିଭାଗ ସମେତ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ମାନଙ୍କରେ ବୃକ୍ଷ ରୋପଣ, ପୋଖରୀ ଖୋଳା, ମୋ ପୋଖରୀ ଖନନ କରି କର୍ମସଂସ୍ଥାନ ମାଧ୍ୟମରେ ରୋଜଗାର ସୃଷ୍ଟି କରାଯାଉଛି । ଏତତବ୍ୟତୀତ ନିର୍ମାଣ କ୍ଷତ୍ରରେ ମଧ୍ଯ ଶ୍ରମିକ ମାନଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି। ଜିଲ୍ଲାରେ ବର୍ତ୍ତମାନ ଏସବୁ କ୍ଷେତ୍ରରେ ଦୈନିକ ପ୍ରାୟ ୪୭ ହଜାର ଶ୍ରମଦିବସ ସୃଷ୍ଟି କରାଯାଉଥିବା ବେଳେ ମହାମାରୀ କରୋନା ପାଇଁ ତାଲାବନ୍ଦ ଯୋଗୁଁ ପ୍ରବାସୀ ଶ୍ରମିକଙ୍କ ଆଗମନ ଫଳରେ ଜିଲ୍ଲାରେ ବେକାରି ଶ୍ରମିକଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଏସବୁ ଦୃଷ୍ଟିରେ ରଖି ମନରେଗା ଯୋଜନା ମାଧ୍ୟମରେ ଜିଲ୍ଲାର ସବୁ ଶ୍ରମିକମାନଙ୍କୁ ରୋଜଗାର ଯୋଗାଇବା ପାଇଁ ରାୟଗଡ଼ା ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସିଭିଲ ସୋସାଇଟି ସଂଗଠନମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଟିତ ହୋଇଥିଲା । ଡି.ଆର.ଡି.ଏ ସମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ପିଡି – ଡିଆରଡିଏ ଅମୃତ ରୁତୁରାଜ, ଏପିଡି ଭୀମସେନ ଶବର, ଡିପିଏମ ହେମନ୍ତ କୁମାର ବାଗ, ମନରେଗା ସଂଯୋଜକ କେ. ମୂରଲୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ । ଚଳିତ ବର୍ଷ ମନରେଗା ଯୋଜନାରେ ଜିଲ୍ଲାରେ ଦୈନିକ ୮୦ ହଜାର ଶ୍ରମଦିବସ ସୃଷ୍ଟି କରାଯିବ । ବର୍ତ୍ତମାନ ଜିଲ୍ଲାରେ ୪୭ହଜାର ଦୈନିକ ଶ୍ରମଦିବସ କରାଯାଉଥିବା ବେଳ ପ୍ରବାସୀ ଓଡ଼ିଆ ଶ୍ରମିକ ଆଗମନକୁ ଦୃଷ୍ଟିରେ ରଖି ସରକାର ଏହାକୁ ଵୃଦ୍ଧି କରିଛନ୍ତି ।
ଏହି ବୈଠକରେ ମୁଖ୍ୟତଃ ମନରେଗା ଯୋଜନାର କାର୍ଯ୍ୟ ନିର୍ବାହୀ ସଂସ୍ଥା ମାନଙ୍କରେ ପ୍ରବାସୀ ଓଡ଼ିଆ ଶ୍ରମିକ ମାନଙ୍କୁ କିପରି ଭାବରେ କର୍ମରେ ନିୟୋଜିତ କରାଯିବ ସେଥିପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସିଭିଲ ସୋସାଇଟି ସଙ୍ଗଠନ ମାନଙ୍କ ସହାୟତା ନିଆଯିବ । ସେମାନେ ସେ ଅଞ୍ଚଳରେ ଆବଶ୍ୟକତା ଦେଖି ଓଡ଼ିଶା ଜୀବିକା ମିଶନ ଓ ମନରେଗା ଯୋଜନାରେ ମିଳିତ ସହଯୋଗରେ ଶ୍ରମିକ ମାନଙ୍କୁ କାମ ଯୋଗାଇବେ । ଓଡ଼ିଶା ଜୀବିକା ମିଶନର ଗୋଷ୍ଠୀ ସଂସାଧକ, ମାଷ୍ଟର ବୁକ କିପରି ଓ କୃଷି ମିତ୍ର ଓ ପ୍ରାଣୀ ମିତ୍ର ମାନଙ୍କୁ ନେଇ ମିଳିତ ସହଯୋଗରେ ନୂତନ ପ୍ରକଳ୍ପ ନିରୂପଣ କରିବେ ଓ ଶ୍ରମିକ ନିୟୋଜିତ କରିବେ । ବିଶେଷ କରି ଉଦ୍ୟାନ ବିଭାଗ ସହାୟତାରେ କାଜୁ ଚାରା ରୋପଣ, ସୀତାଫଳ ଚାଷ, ଆମ୍ବ ବଗିଚା ଓ ଲିଚୁ ଆଦି ଚାଷ କ୍ଷେତ୍ରରେ ଶ୍ରମିକ ମାନଙ୍କୁ ନିୟୋଜିତ କରିବେ । ସେହିପରି କୃଷି ବିଭାଗ ସହାୟତାରେ ଜମି ଉନ୍ନତିକରଣ, ମାଣ୍ଡିଆ ମିଶନରେ ଚାଷ ପାଇଁ ଲୋକମାନଙ୍କୁ ବୁଝାଇବା ସହ ମତ୍ସ୍ୟ ବିଭାଗ ସହାୟତାରେ ମୋ ପୋଖରୀ ଓ ଫାର୍ମ ପୋଣ୍ଡ ଖୋଲିବା କ୍ଷେତ୍ରରେ ଶ୍ରମିକମାନଙ୍କୁ ନିୟୋଜିତ କରିବା ଦିଗରେ କାମ କରିବେ । ଏହି ବୈଠକରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସିଭିଲ ସୋସାଇଟିର ସଙ୍ଗଠନମାନଙ୍କ ସଦସ୍ୟମାନେ ଯୋଗ ଦେଇଥିଲେ ।