ମଗଧା ଯାଦବ ସଂସ୍କୃତିରେ ହରାଲି ଉଆଁସର ମହତ୍ତ୍ବ
ଓଡିଆ ଜାତିର ମହାନ ପର୍ବ ଚିତାଲାଗି ଅମାବାସ୍ୟା ପଶ୍ଚିମ ଓଡିଶାରେ ହରାଲି ଉଆଁସ ଭାବେ ଖ୍ୟାତ । ଶ୍ରାବଣ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ଦିନ ଏହି ପାର୍ବଣ ଅନୁଷ୍ଠିତ ହୁଏ । ଏହି ଅଞ୍ଚଳର ବିଭିନ୍ନ ସଂପ୍ରଦାୟ ହରାଲି ଉଆଁସକୁ ପାରଂପରା ଅନୁକ୍ରମେ କୂଳାଚାର ରିତି ଅନୁସାରେ ପାଳନ କରିଥାନ୍ତି ।
ଓଡିଶା ବିଶେଷକରି ପଶ୍ଚିମାଞ୍ଚଳରେ ସଂଖ୍ୟା ଗରିଷ୍ଠ ମଗଧା ଯାଦବ ମାନେ ମଧ୍ୟ ଏହି ପର୍ବକୁ ପାରମ୍ପାରିକ ରିତି ନିତି ଅନୁସାରେ ପାଳନ କରିଥାନ୍ତି । ପୁରାଣ ପ୍ରସିଦ୍ଧ ସୋମବଂଶ ବା ଯଦୁବଂଶର ଏକ ଶାଖା ହେଉଛନ୍ତି ମଗଧା ଯାଦବ ଗୋଷ୍ଠୀ । ମଗଧରୁ କଳିଙ୍ଗକୁ ଆସିଥିବା ଯଦୁବଂଶୀମାନେ ମଗଧା ଯାଦବ ବା ମଗଧା ଗଉଡ ଭାବେ ଜନ ମୂଖରେ କଥିତ ହେଲେ ।
ଚିତୋଉ ଅମାବାସ୍ୟା ବା ହରାଲି ଉଆଁସ କୃଷି ସହ ସମନ୍ଧିତ ଏକ ମହାନ ପାର୍ବଣ । ଏହି ପାର୍ବଣ ମଧ୍ୟରେ ଅନ୍ତର୍ନିହିତ ହୋଇ ରହିଛି ମଗଧା ଯାଦବଙ୍କ ପୂର୍ବ ଗୌରବର ଗାଥା, ଯାହା ଏହି ପର୍ବର ଛତ୍ରେ ଛତ୍ରେ ପରିଦୃଷ୍ଟ ହୁଏ ।
● ଗୋ ବନ୍ଦାଣ ଓ ଗୁହାଳ ପୂଜା
ହରାଲି ଉଆଁସ ଦିନ ଯାଦବ ରମଣୀ ଓ ଗୃହକର୍ତ୍ତା ସକାଳୁ ଗାଧୁଆ ପାଧୁଆ ସାରି ଗୁହାଳକୁ ଯାଇ ଗାଇ ଗୋରୁଙ୍କୁ ହଳଦୀ ମିଶ୍ରିତ ଚାଉଳରେ ବନ୍ଦାପନା କରି ସାଷ୍ଟାଙ୍ଗ ପ୍ରଣାମ କରି ଜାଣତ ଅଜାଣତରେ ହୋଇଥିବା ଭୂଲ ପାଇଁ କ୍ଷମା ପ୍ରାର୍ଥନା କରନ୍ତି ।
ଏହାପରେ କୃଷିକ୍ଷେତ୍ରରେ ଆନୁସାଙ୍ଗିକ ପୂଜାପାଠ, ଚରଡାଙ୍ଗ, ଗୃହ ଦେବାଦେବୀ ଆରଧନା ଆଦି ସାରିବାପରେ ଗୁହାଳ ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ ।
ମଗଧା ଯାଦବଙ୍କ ୧୨୦ ବଂଶ/ଗୋତ୍ର ମଧ୍ୟରୁ କେତେକ ଗୁହାଳରେ ଶୁକ୍ଲାହାର ସହ ପୂଜାବିଧି ସାରୁଥିବା ସମୟରେ ଅନ୍ୟ କେତେକ ବଂଶ ରକ୍ତାହାର ଦେଇଥାନ୍ତି । ଗୁହାଳ ପୂଜାପରେ ବନ୍ଧୁ ବାନ୍ଧବ ଭାଇଦାଇ ସହ ମିଶି ସନ୍ଧ୍ୟାରେ ଭୋଜି ଭାତ କରି ଖାଇଥାନ୍ତି ।
● କେନ୍ଦୁ ବୃକ୍ଷ ପୂଜା, ଖେନା ଗାଡା ଓ କ୍ଷେତ ପୂଜା
ଯାଦବ ସଂସ୍କୃତିରେ କେନ୍ଦୁ ବୃକ୍ଷର ବିଶେଷ ମହତ୍ବ ରହିଛି । କେନ୍ଦୁ ବାଡି ଯାଦବଙ୍କ ମହାନ ଅସ୍ତ୍ର ଭାବେ ପରିଗଣିତ ହୁଏ ।
ହରାଲି ଉଆଁସ ଦିନ ଗୋ ବନ୍ଦାଣ ପରେ ଚାଷୀ କୃଷି କ୍ଷେତ୍ରକୁ ଯାଇ କେନ୍ଦୁ ବୃକ୍ଷକୁ କ୍ଷୀର, ଅରୁଆ ଚାଉଳ,ଦୁବପତ୍ର, ବରପତ୍ର ଓ ଫୁଳଦେଇ ବନ୍ଦାପନା କରିଥାନ୍ତି ଓ ସେହି ବୃକ୍ଷରୁ ଏକ ଶାଖା (ଖେନା) ନେଇ କ୍ଷେତରେ ସ୍ଥାପନ କରିଥାନ୍ତି ।
କୃଷି କ୍ଷେତ୍ରରେ ଏହି ସମୟରେ ବେଉଷଣ ସରିଯାଇଥିବା ବେଳେ ତଳି ରୋପିବା କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥାଏ ।
ଏହି ସମୟରେ ଧାନର କଅଁଳ ସବୁଜ ପତ୍ର କୁ ଖାଇବାକୁ କୃଷିକ୍ଷେତ୍ରରେ ବିଭିନ୍ନ ପ୍ରକାର କୀଟ ପତଙ୍ଗ ମାନଙ୍କର ଉପଦ୍ରବ ଆରମ୍ଭ ହୋଇଯାଇଥାଏ
ଚାଷ ଜମିରେ ବିଭିନ୍ନ ସ୍ଥାନରେ ଏହି କେନ୍ଦୁ ଡାଳ ପୋତିବା ଦ୍ୱାରା ସେଥିରେ ବୁଢିଆଣୀମାନେ ବସା ବାନ୍ଧନ୍ତି ଓ ଏହି ବୁଢୀଆଣି ଜାଲରେ ପୋକ ଲାଗିଯିବା ମାତ୍ରେ ସେମାନେ ତାକୁ ଖାଇ ଦିଅନ୍ତି, ବୁଢିଆଣୀମାନଙ୍କୁ ପ୍ରାକୃତିକ କୀଟନାଶକ କୁହାଯାଏ ।
ସେହିପରି ଧାନ କ୍ଷେତରେ ଚଢେଇମାନେ ବସିବାପରି କୌଣସି ସୁବିଧା ନଥାଏ । ଏହି କାଠି ଉପରେ ସେମାନଙ୍କୁ ବସିବାକୁ ସୁବିଧା ହୁଏ । ଏବଂ ଏହା ଉପରେ ବସି ସେମାନେ ତାଙ୍କ ଚାରିପାଖର ପୋକଯୋକଙ୍କୁ ସହଜରେ ଦେଖି ପାରନ୍ତି ଏବଂ ସେମାନଙ୍କୁ ଝାମ୍ପି ଆଣି ପୁଣି ଆସି କାଠି ଉପରେ ବସନ୍ତି । ପକ୍ଷୀମାନେ ବି ଏକ ପ୍ରକାର ପ୍ରାକୃତିକ କୀଟ ନାଶକ ।
କେହି ହୁଏତ ଭାବୁଥିବେ ଏ କେଇଟା ବୁଢିଆଣୀ ଓ କେଇଟା ଚଢେଇ ଏମିତି କେତେ ପୋକ ଖାଉଥିବେ ଯେ ତାଙ୍କପାଇଁ ଫସଲ ସୁରକ୍ଷା ହେବ ?
କୃଷି ବିଜ୍ଞାନୀମାନେ କୁହନ୍ତି ଗୋଟିଏ ଗୋଟିଏ ପୋକ ଦିନକୁ ହଜାର ହଜାର ଅଣ୍ଡା ଦେଇ ପାରନ୍ତି ଓ ଏ ଅଣ୍ଡା ଗୁଡିକ ଦୁଇ ତିନିଦିନ ଭିତରେ ଫୁଟି ଫସଲ ଖାଇବା ଆରମ୍ଭ କରି ଦିଅନ୍ତି ।
ଏବେ ହିସାବ କରାଯାଉ
ଯଦି ଚଢ଼େଇ ଓ ବୁଢିଆଣୀ ମିଶି ଦିନକୁ ଶହେ ପୋକ ଖାଇଲେ, ସେ ଲେଡାପୋକ ବି ହେଇପାରେ, ତାହେଲେ ଶହେ ଗୁଣନ ହଜାରେ ଅଣ୍ଡା ଅର୍ଥାତ୍ ଲକ୍ଷେ ପୋକ ଫସଲ କିଆରୀରୁ କମିଲେ କି ନାହିଁ ।
ପ୍ରକୃତିରୁ ଏହି ସବୁ କଥାକୁ ଅନୁଧ୍ୟାନ କରି ଆମର ପୂର୍ବଜମାନେ ବିଭିନ୍ନ ସମୟରେ ବିଭିନ୍ନ ପର୍ବପର୍ବାଣୀ ସୃଷ୍ଟି କରିଯାଇଛନ୍ତି । ଯାହା ଭିତରେ ବୈଜ୍ଞାନିକ ସିଦ୍ଧାନ୍ତ ଅନ୍ତର୍ନିହିତ ଅଛି ।
ହଁ ସମୟକ୍ରମେ ସେଥିରେ କିଛି ଅନ୍ଧବିଶ୍ୱାସ ମିଶିଥିଲେ ମିଶିଯାଇଥାଇ ପାରେ । ଏହାକୁବି ଅସ୍ବିକାର କରାଯାଇ ପାରିବ ନାହିଁ ।
ଆମେ ସାମାନ୍ୟ ସତର୍କତା ପୂର୍ବକ ଏଥିରୁ ସେହି ଅନ୍ଧବିଶ୍ୱାସ କଥାଟିକୁ ବାଦ୍ ଦେଇ ଦେଲେ, ଆମ ପର୍ବପର୍ବାଣୀ ବହୁମାତ୍ରାରେ ମାନବ କଲ୍ୟାଣ ଉପଯୋଗୀ ହୋଇଯିବ ।
ସେହିପରି ଫସଲକୁ କଙ୍କଡା ମାନଙ୍କ ଉପଦ୍ରବରୁ ରକ୍ଷା କରିବାପାଇଁ ହେଉ ଅଥବା ଗେଣ୍ଡା କଙ୍କଡା ମାନଙ୍କର ବଂଶ ବିସ୍ତାର ପାଇଁ ହେଉ କ୍ଷେତରେ ଚିତାଉ ପିଠା ପକାଯାଇ କ୍ଷେତ ପୂଜା କରାଯାଏ ।
ଜୈବିକ କୃଷି ବିଜ୍ଞାନୀମାନେ କୁହନ୍ତି ଯଦି ଗୋଟିଏ ହିଡ ମୁଣ୍ଡରେ ଗୋଟିଏ ଗେଣ୍ଡା ମରି ପଡିଥାଏ, ତାହାର ପଚା ଗନ୍ଧ ଚଉ ଦିଗକୁ ବ୍ୟାପିଥାଏ,
ଏହି ଗନ୍ଧ ନାକରେ ବାଜିବାମାତ୍ରେ ଶହ ଶହ କୀଟ ପତଂଗ ପାଗଳ ପରାଏ ଏହାକୁ ଖାଇବାକୁ ଛୁଟି ଆସନ୍ତି । ଏବଂ ଏହାକୁ ଖାଇବା ମାତ୍ରେ ସେଠାରେ ନିଶାଗ୍ରସ୍ତ ହେଲାପରିକା କିଛି ସମୟ ଢୁଳେଇ ପଡନ୍ତି । ସେଇ ମଉକାରେ କେନ୍ଦୁ ଖୁଣ୍ଟି ଉପରେ ବସିଥିବା ପକ୍ଷୀମାନେ ସହଜରେ ସେ ପୋକମାନଙ୍କୁ ଭୁରୀ ଭୋଜନ କରନ୍ତି ଓ ଫସଲ ଏ ପୋକମାନଙ୍କ ଦାଉରୁ ଅନେକାଂଶରେ ରକ୍ଷାପାଏ ।
ଏହିସବୁ ପ୍ରୀକୃତିକ କଥାମାନଙ୍କୁ ଲକ୍ଷ୍ୟ କରି କରି ଆମର ପୂର୍ବଜମାନେ ବିଭିନ୍ନ ଋତୁରେ ବିଭିନ୍ନ ତିଥିରେ ପର୍ବ ପର୍ବାଣୀମାନ ଖଞ୍ଜି ଦେଇ ଯାଇଛନ୍ତି ।
ଏ ହରାଲି ଉଆଁସ ପର୍ବ ଉପକୂଳ ଓଡିଶାର ଚାଷୀମାନେ ମଧ୍ୟ ପାଳନ କରନ୍ତି । ସେମାନେ ଏହାକୁ କାଠିମରା ପର୍ବ ଓ ଚିତୋଉ ଅମାବାସ୍ୟା କୁହନ୍ତି ।
ସେ ଯାହା ହେଉ ପୂର୍ବେ ମଗଧା ଯାଦବ ମାନେ କୃଷିକାର୍ଯ୍ୟ କରିବା ସହ ରାଜ୍ୟ ରକ୍ଷା କାର୍ଯ୍ୟ ମଧ୍ୟ କରୁଥିଲେ ।
ଏମାନେ କୃଷି କର୍ମ ସାରି କ୍ଷେତରେ ବିଜୟର ପ୍ରତିକ ଭାବେ କେନ୍ଦୁ ଶାଖା ସ୍ଥାପନ କରୁଥିଲେ ଓ ଏହାପରେ ରାଜ୍ୟ ରକ୍ଷାପାଇଁ ସୀମାକୁ ଚାଲି ଯାଉଥିଲେ କିମ୍ୱା ସମରାଭ୍ୟାସ କ୍ଷେତ୍ରକୁ ଯାଇ ଗୋଷ୍ଠିଗତ ଭାବେ ସମରାଭ୍ୟାସ କରୁଥିଲେ ।
କଳିଙ୍ଗ ସମ୍ରାଟ ମହାମେଘବାହାନ ଐର ଖାରବେଳ ଏହି ଅଞ୍ଚଳ (ଆଟବିକ ବିଦ୍ୟାଧର ରାଜ୍ୟ) ର ସୈନ୍ୟ ମାନଙ୍କୁ କଳିଙ୍ଗର ସୀମା ସୁରକ୍ଷା ଭାର ନ୍ୟସ୍ତ କରିଥିଲେ, ଯାହା ଇତିହାସର ପୃଷ୍ଠା ଅବଳୋକନ କଲେ ଜଣା ପଡିଥାଏ ।
କୁହାଯାଏ କଳିଙ୍ଗ ଯୁଦ୍ଧ ଖ୍ରୀ:ପୂ: ୨୬୧ ରେ ହୋଇଥିଲା,
ସେହି ସମୟରେ ସମ୍ରାଟ ଅଶୋକଙ୍କ ସୈନ୍ୟବାହିନୀର ସୈନିକ ଭାବରେ ମଗଧା ଯାଦବ ବୀର ମାନେ ବହୁ ସଂଖ୍ୟାରେ କଳିଙ୍ଗ ଆସିଥିଲେ । ଯୁଦ୍ଧପରେ ଶାନ୍ତି ପ୍ରତିଷ୍ଠା ହୋଇଥିଲା । ସମ୍ରାଟ ଅଶୋକ ସୈନ୍ୟବାହିନୀକୁ ଆଉ ମଗଧ ଫେରାଇ ନେଲେ ନାହିଁ । ଫଳରେ ତାଙ୍କ ସହ ଆସିଥିବା ମଗଧା ସୈନିକ ମାନେ ଓଡିଶାର ବିଭିନ୍ନ ଅଞ୍ଚଳମାନଙ୍କୁ ଯାଇ ବସବାସ କଲେ । ସେମାନେ କୃଷି କର୍ମମାନ କରି ପ୍ରତିପୋଷିତ ହେଲେ ।
ଏହିପରି ପ୍ରାୟ ଦୁଇଶହ ବର୍ଷ ବିତିଗଲା, ମଗଧା ସୈନିକମାନେ ଯୁଦ୍ଧବିଦ୍ୟା ଭୁଲି ଏକ କୃଷିକାରୀ ସମୁଦାୟରେ ପରିଣତ ହେଲେ ।
ଖ୍ରୀ:ପୂ: ୫୪ ମସିହା ବେଳକୁ କଳିଙ୍ଗ ଆକାଶରେ ଆଉ ଜଣେ ଦିଗବିଜୟୀ ଐଳବଂଶୀ ଯାଦବ ସମ୍ରାଟ ଐର ଖାରବେଳଙ୍କର ଉଦୟ ହେଲା । ସେ ତାଙ୍କର ଦିଗ୍ ବିଜୟ ଉଦ୍ଦେଶ୍ୟରେ ଏକ ବିରାଟ ସେନା ବାହିନୀ ଗଠନ କଲେ, ଏବଂ ସେଥିରେ ମଗଧା ଯାଦବ ମାନଙ୍କୁ ସାମିଲ କଲେ ।
ଗବେଷକ ଚକ୍ରଧର ମହାପାତ୍ରଙ୍କ ଦ୍ୱାରା ସଙ୍କଳିତ
ଉତ୍କଳ ଗାଉଁଲି ଗୀତର ପାଇକ ଦାଣ୍ଡୁଆଳି ସମରବୋଲି ପ୍ରକାରେ –
“କେତେହେଁକ କାଳେ କ୍ଷତ୍ରି ଯେ ବୃତ୍ତି ପାଶୋର ଗଲା
ଇଳା ପୁତ୍ର ବେଳା ପ୍ରସାଦେ କ୍ଷତ୍ରି ବୃତ୍ତି ବଞ୍ଚିଲା ।
ସେଠାରୁ ପାଇକ ବେଶେ ମୁଁ ହେଲି ମର୍ତ୍ତ୍ୟେ ପ୍ରକାଶ
ଏଳାଧୂଷି ବେଳା ମଣ୍ଡନା ମୋତେ କଲେ ପୌରଷ ।
ଖର ଦିଗକୁ ଦୃଷ୍ଟିଦେଇ ବେଶ କରି ଧାରଣ
ମସ୍ତକେ ପାଗକୁ ବାନ୍ଧିଲୁ କୃଷ୍ଣ ନାମ ଧ୍ୟାୟିଣ ।
ପାଇକ କୁଳ ଜାତ ଯେ, ଚନ୍ଦ୍ର ସୂର୍ଯ୍ୟ ବଂଶରୁ
ନବଗ୍ରହ ନବ ଦେବତା କହି ଅଛନ୍ତି ଗୁରୁ ।
ପର୍ଶୁରାମ ବିଦ୍ୟା ଅଟଇ କ୍ଷତ୍ରି ବୃତ୍ତି ସାଧନ
ଲୋପ ହେଲା କାଳେ ସର୍ଜିଲେ ମହା ମେଘ ବାହନ ।
ବେଶ ଦେଖି କଲେ ପ୍ରଶଂସା ମୋରେ ରାଜାଧୀଶ୍ୱର
ହାର ବାହୁଟି ସ୍ୱର୍ଣ୍ଣବଳା ପାଇଲି ପୁରସ୍କାର ।।”
କୁହାଯାଏ ଖ୍ରୀଷ୍ଟାବ୍ଦ ୯ ରେ ଖାରବେଳଙ୍କର ତିରୋଧାନ ହେଲା । କଳିଙ୍ଗର ଭାଗ୍ୟରବି ଧୀରେ ଧୀରେ ପୁନଃ ଅସ୍ତମିତ ହୋଇ ତାଙ୍କର ପୌତ୍ର ସୋମପାଳଙ୍କ ସମୟକୁ ପୂର୍ଣ୍ଣ ନିର୍ବାପିତ ହୋଇ ସାରିଥିଲା । ସମ୍ରାଟ ଖାରବେଳଙ୍କ ସମୟର ବିଶାଳ ସାମ୍ରାଜ୍ୟ ଖଣ୍ଡ ବିଖଣ୍ଡିତ ହୋଇ ବିଭିନ୍ନ ସମୟରେ ବିଭିନ୍ନ ଛୋଟ ଛୋଟ ରାଜା ମହାରାଜାଙ୍କ ଦ୍ୱାରା ଶାସିତ ହେଲା । ପୁନଶ୍ଚ କଳିଙ୍ଗ ସାମ୍ରାଜ୍ୟର ବିରାଟ ସୈନ୍ୟବାହିନୀ କୃଷିକୁ ଜୀବନ ଜୀବିକା ଭାବରେ ଆଦରି ନେଇଥିବେ ।
ସମୟର ସେହି ଉତ୍ଥାନ ପତନର ସ୍ରୋତରେ ବୁଡି ଉଠି ଆଜିବି ମଗଧା ଯାଦବ ଜାତି ସ୍ୱାଭିମାନର ସହ ବଞ୍ଚିଛି । ତେବେ ଶତଧା ବିଭକ୍ତ ହୋଇ, ୧୨୦ ବଂଶରେ ବିଭାଜିତ ହୋଇଯାଇଥିବା ମଧ୍ୟ କୁହାଯାଉଛି । ତା’ର ସେ ସମୟର ଯୁଦ୍ଧ କୁହାଟ ଆଜି ହୁଏତ ବାଡିଖେଳ ବୋଲିରେ ସୀମିତ ହୋଇଯାଇଥିବ ।
ସେଦିନର ସେ ଗାଥା –
“ଉଠା କଟାରୀ ଖୋସେ ପେଟି
ଖଣ୍ଡା ତଲବାର ଭେଟାଭେଟି ।
ଶାହାଣ ଖମାଣ ବାଙ୍କ କାଠି
ପରଞ୍ଜ ମୁହଁକୁ ଘାଗୁଡି ଘଣ୍ଟି ।
ଢୋଢର ଶିକୁଳି ଲଗା ବାହୁଟି
ସୁନଚିରା କୁନ୍ତ ଶୂନ୍ୟେ ଉଠି ।
ମାନ ମୂନ ଧରି ଖଣ୍ଡା ମୁଠି
ଯାଦବ ପୁତ୍ର ମାରେ କୁହାଟି
ସେବା କରିଥିବୁ ତୁ କାଇମାଟି ।।”
ଏ ବୋଲି ହୁଏତ ବିଭିନ୍ନ ଅଞ୍ଚଳର ଭାଷା ବକ୍ରତାରେ ଭିନ୍ନ ଭିନ୍ନ ହୋଇ ଶୁଭୁଥିବ କି ନଥିବ । ତଥାପି ମଗଧା ଯାଦବର ପରିଚୟ ବଞ୍ଚିଛି,
ପରମ୍ପରା ବି ଊଣା ଅଧିକେ ବଞ୍ଚିଛି ।
● ଚର ଡାଙ୍ଗ
ଗ୍ରୀଷ୍ମ ଋତୁରୁ ଗାଇର ଗୋବରକୁ ସୁଖାଇ ରଖାଯାଇଥାଏ । ହରାଲି ଉଆଁସ ଦିନ ଏହି ସୁଖା ଗୋବରକୁ ଏକ ମାଟି ପାତ୍ର (ତେଲେନ୍) ରେ ରଖି ନିଆଁ ଜଳାଇ ଦିଆଯାଏ ।
ଏଥିରେ ଚର ଡାଙ୍ଗକୁ ଗରମ କରାଯାଇ ଛୋଟ ଛୋଟ ଶିଶୁଙ୍କ ପେଟ ଓ ବଡ ମାନଙ୍କ ଆଣ୍ଠୁ ଗଣ୍ଠୀ, ଗଳା ଆଦିରେ ଚେଙ୍କ ଦିଆଯାଏ ।
ଏପରି କରିବା ଦ୍ବାରା ଶିଶୁ ମାନଙ୍କ ଉଦର ସମନ୍ଧିୟ ରୋଗ ବିନାଶ ହେବାସହ ବଡ ମାନଙ୍କ ବାତ ରୋଗ ନାଶ ହୋଇଥାଏ ବୋଲି କୁହାଯାଏ ।
● ପିତୃ ଉପାସନା
ମଗଧା ଯାଦବଙ୍କ ପ୍ରତ୍ୟେକ ପାର୍ବଣ ପିତୃ ଉପାସନାର ବିବର୍ତ୍ତିତ ରୂପ ।
ପିତୃ ପୁରୁଷଙ୍କ ପ୍ରତି କୃତଜ୍ଞ ହୋଇ ଏମାନେ ପ୍ରତ୍ୟେକ ଅନୁଷ୍ଠାନରେ ପିତୃ ଉପାସନା କରିଥାନ୍ତି ।
ହରାଲି ଉଆଁସ ଦିନ ପିତୃ ପୁରୁଷଙ୍କୁ ମସାନ କୁନାରେ ମନସା ଆଦରା କରି ଅସ୍ତ୍ର ଶସ୍ତ୍ର ପୂଜା କରାଯାଇ ପିଠା, କ୍ଷିରୀ, ଅନ୍ନ ବ୍ୟଞ୍ଜନ ଭୋଗ ଲଗାଯାଇଥାଏ ।
● ମଉଜ ମଜଲିସର ଦିନ
କୃଷି ବୀଜ ବପନ ରୋପଣ ଜନିତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାରୁ ଅମଳ ପୂର୍ବରୁ ଏହି ସମୟରେ ଚାଷୀର କାମ ଟିକେ ହାଲକା ହୋଇଯାଇଥାଏ, ପ୍ରାୟ ଆଉ ବିଶେଷ କଠିନ କାର୍ଯ୍ୟ କିଛି ହାତରେ ନଥାଏ, ମନ ଖୁସିଥାଏ । ଏହି ଦିନ ବିଲକୁ ହଳ ଯାଏନାହିଁ । କୃଷି କର୍ମ ବନ୍ଦ ରୁହେ ।
ଯାଦବ ସଂପ୍ରଦାୟର ଅନ୍ୟାନ୍ୟ ବର୍ଗ ସାକାହାରୀ ହୋଇଥିବା ସ୍ଥଳେ ମଗଧା ଯାଦବ ମାନେ ମାଂସାହାରୀ ହୋଇଥାନ୍ତି । ଏମାନେ ଏକଦା ମଗଧର ନିଜବଂଶଜ ମହାପ୍ରତୀପଶାଳୀ ଯଦୁବଂଶୀ ସମ୍ରାଟ ଜରାସନ୍ଧଙ୍କ ସୈନ୍ୟବାହିନୀର ଛାମୁଆ ସୈନିକ ଥିବାରୁ ଏମାନେ ରାଜସିକ ଖାଦ୍ୟ ପେୟରେ ଅଧିକ ରୁଚି ରଖିଥାନ୍ତି ।
ତେଣୁ ହରାଲି ଉଆଁସ ଦିନ ଛେଳି, କୁକୁଡା ଆଦି ମାରି ବନ୍ଧୁ ବାନ୍ଧବ, ହଳିଆ ତୁଳିଆ ଆଦିଙ୍କୁ ଡାକି ଭୁରି ଭୋଜନରେ ଆପ୍ୟାୟିତ କରି ମଉଜ ମଜଲିସରେ ଦିନ କାଟିଥାନ୍ତି ।
● ଉପସଂହାର
କେଉଁ ଏକ ସ୍ମରଣାତୀତ ସମୟରୁ ହରାଲି ଉଆଁସ ପାଳିତ ହୋଇ ଆସୁଛି ।
ପିତୃ ପୁରୁଷ ଅନୁକ୍ରମେ ପିଢି ପରେ ପିଢି କୁଳାଚାର ଅନୁସାରେ ସମ୍ପାଦିତ ହୋଇ ଆସୁଥିବା ଏହି ମହାନ ପାର୍ବଣ ଭିତରେ ମଗଧା ଯାଦବ ସଂସ୍କୃତିର ବିବିଧ ଦିଗ ବିଷୟରେ ଜାଣିହୁଏ ।
ଏହି ପର୍ବର ପ୍ରଚ୍ଛଦ ପଟ୍ଟରେ ପିତୃ ପୁରୁଷଙ୍କୁ ସମ୍ମାନ ଜଣାଇବା ସହ ଗୋପାଳନ, କୃଷିକାର୍ଯ୍ୟ, ରାଜ୍ୟରକ୍ଷା, ସାମାଜିକ ସଂହତି ଓ ଉଦାର ଭାବ ଜଳ ଜଳ ହୋଇ ଦିଶିଯାଏ ।