କୋରାପୁଟ,୨୦/୭: ଚିତାଲାଗି ଅମାବାସ୍ୟା ଓଡ଼ିଶାରେ ପାଳିତ ଏକ କୃଷି ଭିତ୍ତିକ ଗଣପର୍ବ । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତି ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି ।
ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ । ଏହି ପ୍ରଥା ଶବର ପରମ୍ପରାରୁ ଚାଲି ଆସିଛି । ଏଥିରେ ଚିତଉ ପିଠା କରି ଜୀବଜନ୍ତୁମାନଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପ୍ରଥା ରହିଛି । ସାଧାରଣତଃ ଚାଷୀମାନେ ବର୍ଷା ଋତୁ ସମୟରେ ଧାନ ଫସଲ କରିବା ସମୟରେ, ବିଲରେ ଗେଣ୍ଡା ଯୋଗୁଁ ଗୋଡ଼ କାଟି ହୋଇ କ୍ଷତି ହୋଇଥାଏ ଏଣୁ ଏହି ସମ୍ଭାବନାକୁ ଏଡ଼େଇବା ନିମନ୍ତେ ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡା ମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜଳାଶ୍ରୟରେ ଭସା ଯାଏ ଓ ଜମିର ଏକ କୋଣରେ ପୋତାଯାଏ ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋରାପୁଟ ଶାବର ଶ୍ରୀ କ୍ଷେତ୍ରରେ କୌଣସି ଭକ୍ତ ଦର୍ଶନ କରିବା ପାଇଁ ସରକାରଙ୍କ ପକ୍ଷରେ ବାରଣ କରାଯାଇଛି । ତେଣୁ ଏ ବର୍ଷ ମନ୍ଦିର ଭିତରକୁ କୌଣସି ଭକ୍ତ ପ୍ରବେଶ କରିନଥିଲେ ।