ଛାତ ପଡୁପଡୁ ଭାଙ୍ଗିଗଲା ଅସ୍ଥାୟୀ ପିଲାର୍, ଅଙ୍କା ବଙ୍କା ହୋଇଗଲା ବ୍ରିଜ
କାର୍ଯ୍ୟସ୍ଥଳୀରେ ଉପସ୍ଥିତ ରହୁ ନାହାନ୍ତି ନିର୍ବାହୀ ଯନ୍ତ୍ରୀ, ଠିକାଦାରଙ୍କ ମନମୁଖୀ ଅଭିଯୋଗ
କଳାହାଣ୍ଡି/ଲାଞ୍ଜିଗଡ଼,୨୭/୭: ୨୦୧୯ ଅଗଷ୍ଟ ମାସରୁ ଆରମ୍ଭ ହୋଇଥିବା ଲାଞ୍ଜିଗଡ ବ୍ଲକର ଛତ୍ରପୁର-ବାତେଲଲିମା ବ୍ରିଜ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରୁନାହିଁ । ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ବ୍ରିଜର କାମ ମାର୍ଚ୍ଚ ୨୦୨୦ରେ ସଂପୂର୍ଣ୍ଣ ହେବା କଥା । କିନ୍ତୁ ଦାଇତ୍ବରେ ଖିବା ଆର୍ଡି ବିଭାଗ ଜେଇ ବସନ୍ତ ବେହେରା କାର୍ଯ୍ୟ ସ୍ଥଳରେ ଉପସ୍ଥିତ ରହୁନଥିବାରୁ କାମରେ ଯଥେଷ୍ଟ ବିଳମ୍ବ ହେଉଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ବ୍ରିଜ କାମ ଅସଂପୂର୍ଣ ଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଏନେଇ ଗତ ୨୩ ତାରିଖରେ ‘ଓଡ଼ିଆ ବାର୍ତ୍ତା’ରେ ଏକ ଖବର ମଧ୍ୟ ପ୍ରକାଶ ପାଇଥିଲା ।
ଏହାରି ମଧ୍ୟରେ ବୁଧବାର ଦିନ ହରବରିଆ ଭାବେ ବ୍ରିଜର ଛାତ ପକାଇବା ଆରମ୍ଭ ହୋଇଥିଲା । ତେବେ ବର୍ଷା ଯୋଗୁଁ କାମ ଅଧାରୁ ବନ୍ଦ ରଖାଯାଇଥିଲା । ଏପଟେ ଦୁଇମାସ ହେଲା ଲାଗିଥିବା ବଳି (ଅସ୍ଥାୟୀ ପିଲାର) ବ୍ରିଜର ଛାତ ପଡିବାମାତ୍ରେ ଭାଙ୍ଗି ଯାଇଥିଲା । ଯାହା ଫଳରେ ବ୍ରିଜଟି ଅଙ୍କା ବଙ୍କା ହୋଇଯାଇଛି । ସ୍ଥାନୀୟ ଲୋକଙ୍କ ବିରୋଧ ପରେ ମଧ୍ୟ ଶନିବାର ଠିକାଦାର ବ୍ରିଜର ଅଧୁରା ଛାତ ପକାଇଛନ୍ତି । ଯାହା ଅସୁରକ୍ଷିତ ଓ ଚିରସ୍ଥାୟୀ ହୋଇପାରିବ ନାହିଁ ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତବର୍ଷ ବର୍ଷାରେ ଛତ୍ରପୁର-ବାତେଲଲିମା ପୋଳ ଭାଙ୍ଗି ଯାଇଥିଲା । ଏହି ପୋଳ ଉପରେ ଲାଞ୍ଜିଗଡ ବ୍ଲକର ହଜାର ହଜାର ଲୋକଙ୍କ ଗମନା ଗମନକୁ ଦୃଷ୍ଟିରେ ରଖି ବଂଶୀଧାର ନଦୀ ଉପରେ ୩୬ ଫୁଟ ଲମ୍ବ ଓ ୧୮ ଫୁଟ ଓସାର ବିଶିଷ୍ଟ ବ୍ରିଜ ନିର୍ମାଣ ଆରମ୍ଭ କରିଥିଲା କଳାହାଣ୍ଡି ଆର୍ଡି ବିଭାଗ । ୨୦୧୯ ମସିହା ଅଗଷ୍ଟ ମାସରେ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ଠିକାଦାର । ତେବେ ୨୦୨୦ ଅଗଷ୍ଟ ଆସିବାକୁ ବସିଲାଣି କିନ୍ତୁ ରଡ଼ ବାଇଡିଂ କରି ୨ ମାସ ଧରି ପଡିରହିଥିବା ବେଳେ ଆଜି ପର୍ଯ୍ୟନ୍ତ ବ୍ରିଜ କାର୍ଯ୍ୟ ଶେଷ ହୋଇନାହିଁ । ବ୍ରିଜ ନିର୍ମାଣ ସରିନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଲୋକଙ୍କ ବିରୋଧାଭାଷ ଓ ଅସନ୍ତୋସର ସମ୍ମୁଖିନ ହୋଇ ଶ୍ରାବଣ ମାସରେ ସାମ୍ଭାବ୍ୟ ବର୍ଷା/ବଢି ଆସଙ୍କା ଥିବାସତ୍ବେ ମଧ୍ୟ ଛାତ ପକାଯାଉଛି । ମଜଭୂତ କାମ ଦୂରେଥାଉ ଜେନତେଣ ଭାବେ କାମ ସାରିଦେବାକୁ ଜେଇ ଓ ଠିକାଦାର ମସୁଧା କରିଛନ୍ତି ଓ ଏମାନଙ୍କ ମଧୁଚନ୍ଦ୍ରିକାର ଫଳ ସ୍ବରୂପ ବ୍ରିଜର ଛାତ ପଡିଥିବା ଅଂଶ ଅଙ୍କା ବଙ୍କା ହୋଇଯାଇଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।
ଏହି ବ୍ରିଜ ଦାଇତ୍ୱରେ ଥିବା ଆର୍ଡି ବିଭାଗର ନିର୍ବାହୀ ଯନ୍ତ୍ରୀ ବସନ୍ତ ବେହେରା କରୋନା ସଂକଟ ଯୋଗୁଁ ଶ୍ରମିକ ମିଳିଲେ ନାହିଁ ତେଣୁ କାମ ସଂପୂର୍ଣ୍ଣ ହେବାରେ ବିଳମ୍ବ ହୋଇଛି ବୋଲି ସଫେଇ ଦେଇଛନ୍ତି । ତେବେ ଏହି କାମରେ ଜେଇ ପ୍ରାୟ ଅନୁପସ୍ଥିତ ରହୁଥିବା ଓ ଠିକାଦାର ମନମୁଖୀ କାର୍ଯ୍ୟ କରୁଥିବା ଜନତା ଅଭିଯୋଗ କରିଛନ୍ତି ।